ଚେନ୍ନାଇ: ଫେସଲେସ ଇନଷ୍ଟାଗ୍ରାମ ଲଭରଙ୍କ ଦ୍ବାରା ପ୍ରତ୍ୟାଖାନର ଶିକାର ହୋଇ ଯୁବକଙ୍କ ଆତ୍ମହତ୍ୟା । ତାମିଲନାଡୁର ଏକ ଘରୋଇ ବ୍ୟାଙ୍କରେ ଏଟିଏମ୍ ଟଙ୍କା ଭରିବା କର୍ମଚାରୀ ଭାବରେ କାର୍ଯ୍ୟରତ ଥିବା ଜଣେ ଯୁବକ ଇନଷ୍ଟାଗ୍ରାମ ଲଭରଙ୍କ ଦ୍ବାରା ପ୍ରତ୍ୟାଖାନର ଶିକାର ହେବାପରେ ଆତ୍ମହତ୍ୟା କରିଛନ୍ତି ।
ସୂଚନା ଅନୁଯାୟୀ, ଆନନ୍ଦକୁମାର ନାମକ 23 ବର୍ଷୀୟ ଯୁବକ ତାମିଲନାଡୁର ସାଲେମରେ ଏକ ଘରୋଇ ବ୍ୟାଙ୍କରେ ଏଟିଏମ୍ ଟଙ୍କା ଭରିବା କର୍ମଚାରୀ ଭାବରେ କାର୍ଯ୍ୟ କରନ୍ତି । ଲକଡାଉନ କାରଣରୁ ସେ ଗତ ଦୁଇ ମାସ ହେବ ତାଙ୍କ ସମ୍ପର୍କୀୟଙ୍କ ଘର ତ୍ରିଚିରେ ରହିଥିଲେ ।
ସେଠାରେ ଆନନ୍ଦକୁମାର ଇନଷ୍ଟାଗ୍ରାମରେ ଜଣେ ମହିଳାଙ୍କ ସହ ପରିଚିତ ହୋଇଥିଲେ। ସେ ଉକ୍ତ ମହିଳାଙ୍କ ପ୍ରେମରେ ପଡିଥିଲେ । ଯାହାର ଚେହେରା ସେ କେବେ ଦେଖିନଥିଲେ । କିଛି ଦିନ ପୂର୍ବରୁ ମହିଳା ଜଣକ ତାଙ୍କ ପ୍ରେମକୁ ପ୍ରତ୍ୟାଖାନ କରିଥିଲେ ଏବଂ ତାଙ୍କୁ ଆକାଉଣ୍ଟରେ ବ୍ଲକ କରିଥିଲେ ।
ଏହା ଜାଣିବା ପରେ ଆନନ୍ଦକୁମାରଙ୍କ ସମ୍ପର୍କୀୟ ତାଙ୍କୁ ବୁଝାଇଥିଲେ । ମାତ୍ର ପ୍ରେମ ପ୍ରତ୍ୟାଖାନକୁ ସହି ନପାରି ଆନନ୍ଦକୁମାର ସମ୍ପର୍କୀୟଙ୍କ ଘରେ ଆତ୍ମହତ୍ୟା କରିଛନ୍ତି । ଖବର ପାଇ ପୋଲିସ ଘଟଣା ସ୍ଥଲରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି । ଏପଟେ ପୋଲିସ ଆନନ୍ଦକୁମାର ଭଲପାଉଥିବା ବ୍ୟକ୍ତି ଜଣଙ୍କ ପୁଅ ନା ଝିଅ ସେନେଇ ତଦନ୍ତ କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ