ଅମରାବତୀ : ଆନ୍ଧ୍ରପ୍ରଦେଶର ଅନନ୍ତପୁରମ ଜିଲ୍ଲା ଧର୍ମାଭରମରେ ଜଣେ ମହିଳାଙ୍କୁ ହତ୍ୟା କରି ମୃତଦେହକୁ ଜାଳିଦେଲେ ଦୁବୃର୍ତ୍ତ । ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳାଙ୍କ ମୃତଦେହ ଜବତ କରିଛି ପୋଲିସ । । ହତ୍ୟାର ଶିକାର ହୋଇଥିବା ମହିଳା ଜଣଙ୍କ ନାଁ ସ୍ନେହଲତା ଓ ସ୍ଥାନୀୟ ଧର୍ମରାମ ଷ୍ଟେଟ୍ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ଜଣାପଡିଛି ।
ସେ ମଙ୍ଗଳବାର ସକାଳେ ବ୍ୟାଙ୍କକୁ ଯାଇଥିବାବେଳେ ରାତିରେ ସେ ଘରକୁ ଆସିନଥିଲେ । ଖୋଜାଖୋଜି କରି ନପାଇବା ଫଳରେ ତାଙ୍କ ବାପା ଓ ମା ୱାନ ଟାଉନ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ପରେ ବହୁ ଖୋଜାଖୋଜି ପରେ ତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଛି ପୋଲିସ । ତାଙ୍କ ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିବା ସହ ହତ୍ଯା ଅଭିଯୋଗ ଆଣିଛନ୍ତି ।
ସ୍ନେହଲତାଙ୍କ ମା ଅଭିଯୋଗ କରିଛନ୍ତି ଯେ ଅନନ୍ତପୁରମର ଜଣେ ଯୁବକ ରାଜେଶ ତାଙ୍କ ବନ୍ଧୁ କାର୍ତ୍ତିକ ଦୁହେଁ ମିଶି ତାଙ୍କ ଝିଅ ସ୍ନେହଲତାକୁ ହତ୍ୟା କରିଛନ୍ତି । ସେ ଆହୁରି ମଧ୍ୟ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଯେ ରାଜେଶ ଦୀର୍ଘ ଦିନରୁ ସ୍ନେହଲତାଙ୍କୁ ହଇରାଣ କରୁଥିଲେ। ନିର୍ଯାତନା ସହି ନ ପାରି ସ୍ନେହଲତା ହକି ଖେଳିବା ଛାଡି ଚାକିରି କରିବାକୁ ବାଧ୍ୟ ହୋଇଥିଲେ ।
ଅଭିଯୋଗ ଆସିଥିବା ଦୁଇ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର ଥିବାବେଳେ ଉଭୟଙ୍କୁ ଧରିବା ପାଇଁ ପୋଲିସ ଏକ ସ୍ବତନ୍ତ୍ର ଟିମ ଗଠନ କରି ଅପରେସନ ଆରମ୍ଭ କରି ସାରିଥିବା କଥା ଧର୍ମାଭରମ ଡିଏସପି ରାମକାନ୍ତ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ