ଲକ୍ଷ୍ନୌ: ଯୋଗୀ ସରକାରଙ୍କ ବଡ ପଦକ୍ଷେପ । ଦୁର୍ନୀତିଗ୍ରସ୍ତ ପୋଲିସ କର୍ମୀଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ଉତ୍ତରପ୍ରଦେଶର ଯୋଗୀ ସରକାର । ଡିଜିପି ମୁଖ୍ୟାଳୟ, ଏଭଳି ଭ୍ରଷ୍ଟ କର୍ମଚାରୀ ଓ ଅଧିକାରୀଙ୍କ ତାଲିକା ପଠାଇବା ପାଇଁ ପୋଲିସର ସମସ୍ତ ସଂଗଠନର ପ୍ରମୁଖ, ସମସ୍ତ ଆଇଜି ରେଞ୍ଜ ଏବଂ ଏଡିଜି ଜୋନ୍ ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିରେ ମାର୍ଚ୍ଚ 31, 2020 ରେ 50 ବର୍ଷ ବୟସ ପୂରା ହେଇଥିବା ପୋଲିସ କର୍ମଚାରୀଙ୍କ ସ୍କ୍ରିନିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ କନଷ୍ଟେବଳ ପଦବୀରୁ ଇନ୍ସପେକ୍ଟର ପଦବୀ ପର୍ଯ୍ୟନ୍ତ ପୋଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ସ୍କ୍ରିନିଂ କରାଯିବ।
ଅନ୍ୟପକ୍ଷରେ ଯୋଗୀ ସରକାରଙ୍କ ଏହି ବଡ ପଦକ୍ଷେପ ପରେ ୟୁପି ପୋଲିସରେ ଥିବା ଦୁର୍ନୀତିଗ୍ରସ୍ତ ପୋଲିସ କର୍ମଚାରୀଙ୍କ ଉପରେ ପଡ଼ିବା ନିଶ୍ଚିତ ବୋଲି ଜଣାପଡ଼ିଛି। ଏହି ସବୁ ପୋଲିସ କର୍ମଚାରୀଙ୍କୁ ଛଟେଇ କରାଯିବ, ଯେଉଁମାନଙ୍କ ବୟସ ୨୦୨୦ ମାର୍ଚ୍ଚ ୩୧ ବେଳକୁ ୫୦ ବର୍ଷ ବୟସ ପୂରା ହୋଇଥିବ। ସୂଚନାଯୋଗ୍ୟ ଯେ, କିଛି ସମୟ ପୂର୍ବରୁ ଖବର ଆସିଥିଲା ଉତ୍ତର ପ୍ରଦେଶ ସରକାର ୫୦ ବର୍ଷରୁ ଅଧିକ ବୟସର କର୍ମଚାରୀଙ୍କ କାର୍ଯ୍ୟର ସମୀକ୍ଷା କରିବାକୁ ଯାଉଛନ୍ତି। ଆଶାନୁରୂପ କାର୍ଯ୍ୟ କରୁନଥିବା କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ। ମୁଖ୍ୟ ସଚିବ ଆରକେ ତିଓ୍ଵାରୀଙ୍କ ପକ୍ଷରୁ ଜାରି ଆଦେଶ ଅନୁଯାୟୀ ସମସ୍ତ ବିଭାଗଙ୍କ ଉପ ସଚିବ ଏବଂ ସଚିବଙ୍କୁ ୫୦ ବର୍ଷ ବୟସ ଅତିକ୍ରମ କରି ସାରିଥିବା କର୍ମଚାରୀଙ୍କ କାର୍ଯ୍ୟ ସମୀକ୍ଷା କରିବାକୁ କୁହାଯାଇଛି। ଏମିତି କର୍ମଚାରୀଙ୍କ ତାଲିକା ୨୦୨୦ ଜୁଲାଇ ୩୧ ପର୍ଯ୍ୟନ୍ତ ପ୍ରସ୍ତୁତ କରିବାକୁ କୁହାଯାଇଥିଲା।
ଏହିପରି ଭାବରେ 30 ଜଣ ଅଧିକାରୀଙ୍କୁ ଚିହ୍ନଟ କରାଯାଇଛି, ଯାହାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ। ଏଥିରୁ ୧୭ ଇନ୍ସପେକ୍ଟର, ୮ ସବ ଇନ୍ସପେକ୍ଟର, ତିନି ଜଣ ସଚିବ ଓ ଦୁଇ ଜଣ ଉପ ସଚିବ ରହିଛନ୍ତି । ଏମାନଙ୍କ ବିରୋଧରେ ପୂର୍ବରୁ ହୋଇଥିବା ତଦନ୍ତ, କାର୍ଯ୍ୟାନୁଷ୍ଠାନ ଓ ସେମାନଙ୍କ ବିରୋଧରେ ରୁଜୁ ହୋଇଥିବା ଅପରାଧିକ ମାମଲାର ତଥ୍ୟ ସଂଗ୍ରହ କରାଯାଉଛି। ଯଦ୍ଵାରା ଏମାନଙ୍କୁ ଚାକିରିରୁ ହଟାଇବାର ପର୍ଯ୍ୟାପ୍ତ ପ୍ରମାଣ ମହଜୁଦ ରହିବ। ଏହା ପୂର୍ବରୁ କେନ୍ଦ୍ର ସରକାର ମଧ୍ୟ ୧୫ ବରିଷ୍ଠ ଆଇଟି ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର କରାଇଥିଲା ।