ଜାମ୍ମୁ ଓ କାଶ୍ମୀର ପାଇ ଆସୁଥିବା ସ୍ବତନ୍ତ୍ର ପାହ୍ୟା ଉଚ୍ଛେଦର ଗୋଟିଏ ବର୍ଷ ବିତିଗଲା। ସୀମାରେ ଥିବା ଏହି ରାଜ୍ୟକୁ ଅବଶିଷ୍ଟ ଭାରତରେ ଯୋଡିବା ପାଇଁ ଭାରତୀୟ ସମ୍ବିଧାନର ଧାରା 370 ବି ଉଚ୍ଛେଦ କରିବାକୁ ବି ବର୍ଷେ ହୋଇଗଲା। ଅଗଷ୍ଟ 5, 2019ରେ ଭାରତ ସରକାର ନେଇଥିବା ଏହି ପଦକ୍ଷେପ ସାରା ବିଶ୍ବକୁ ଚକିତ କରି ଦେଇଥିଲା। ଭାରତ ପ୍ରତି ଅସୂୟା ମନୋଭାବ ରଖି ଆସିଥିବା ପାକିସ୍ତାନ ଭାରତକୁ ବାସନ୍ଦ କରିବା ପାଇଁ ବିଶ୍ବ ସମୁଦାୟ ଆଗରେ ପହଞ୍ଚିଥିଲା।
ସମସ୍ତ ପ୍ରୟାସ ସତ୍ତ୍ବେ ବିଶେଷ କରି ସେପ୍ଟେମ୍ବର ମାସରେ ଜାତିସଂଘରେ ଏହି ପ୍ରସଙ୍ଗ ଉଠାଇ ବି ପାକିସ୍ତାନ କେବଳ ତୁର୍କି ଏବଂ ମାଲେସିଆକୁ ବାଦ୍ ଦେଲେ ଆଉ କାହାରିଠାରୁ ସମର୍ଥନ ପାଇନଥିଲା।
ଅନୁରୋଧ ସତ୍ତ୍ବେ ଇସଲାମିକ ସହଯୋଗ ସଂଗଠନ(OIC) ସମେତ ପଶ୍ଚିମ ଏସିଆର ପ୍ରମୁଖ ମୁସଲିମ ରାଷ୍ଟ୍ର ସାଉଦୀ ଆରବ, ଇରାନ ଏବଂ ଅନ୍ୟ ଇସଲାମୀୟ ରାଷ୍ଟ୍ରରୁ ସମର୍ଥନ ପାଇନଥିଲା। ଏବଂ ଏହା ପରେ ପରେ କୋଭିଡ-19 ମହାମାରୀ ସାରା ବିଶ୍ବକୁ ମାଡି ଆସିଥିଲା ଏବଂ କାଶ୍ମୀର ପ୍ରସଙ୍ଗ ପଛକୁ ହଟି ଯାଇଥିଲା। ପାକିସ୍ତାନର ମୂଳ ସମର୍ଥକ ଚୀନ୍ କରୋନା ମହାମାରୀ ସଂକ୍ରମଣ ନେଇ ଚର୍ଚ୍ଚାକୁ ଆସିଥିଲା ଏବଂ ଏପରି କି ଅନ୍ତର୍ଜାତୀୟ ସ୍ତରରେ ସମାଲୋଚନାର ସମ୍ମୁଖୀନ ହୋଇଥିଲା।
ରାଷ୍ଚ୍ରଦୂତ ଅନିଲ ତ୍ରିଗୁଣାୟତ,ଯେ କି ଲିବିଆ ଏବଂ ଜୋର୍ଡାନ ପାଇଁ ଭାରତର ରାଷ୍ଚ୍ରଦୂତ ଥିଲେ, ତାଙ୍କର ପଶ୍ଚିମ ଏସିଆ ଏବଂ ଉତ୍ତର ଆଫ୍ରିକା ଅଞ୍ଚଳ ସମ୍ପର୍କରେ ବେଶ୍ ଭଲ ଅନୁଭବ ଥିଲା। ତାଙ୍କ ମତରେ ଜାମ୍ମୁ ଓ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ସମ୍ପୃକ୍ତ ଦେଶଗୁଡ଼ିକ ସହିତ ଭାରତର ସମ୍ପର୍କ ଆଦୌ ପ୍ରଭାବିତ ହୋଇନାହିଁ। ଇଟିଭି ଭାରତକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହନ୍ତି, ଏହା କେବଳ ଯେ ଭାରତକୁ କ୍ଷତି ପହଞ୍ଚାଇନାହିଁ ତା ନୁହେଁ, ବରଂ ମିଳିତ ଆରବ ଏମିରେଟସ, ସାଉଦୀ ଆରବ ଏବଂ କାତାର ଭଳି ରାଷ୍ଟ୍ର ଭାରତରେ ସେମାନଙ୍କର ପୁଞ୍ଜି ନିବେଶ ବଢାଇଛନ୍ତି।
ସାକ୍ଷାତକାରରୁ ଉଦ୍ଧୃତ ଅଂଶ:
ଇଟିଭି: ପଶ୍ଚିମ ଏସିଆ ସର୍ବଦା ଭାରତର ବୈଦେଶିକ ନୀତିରେ ପ୍ରମୁଖ ସ୍ଥାନ ହାସଲ କରି ଆସିଛି। ନିଜର ବିଶାଳ ବଜାର, ଶକ୍ତି ଯୋଗାଣକାରୀ ରାଷ୍ଟ୍ର ଏବଂ ବହୁ ସଂଖ୍ୟାରେ ଭାରତୀୟ ସେଠାରେ ବସବାସ କରୁଥିବାରୁ ବିଦେଶୀ ମୁଦ୍ରା ଅର୍ଜନ ହେଉଥିବାରୁ ଭାରତ ପଶ୍ଚିମ ଏସିଆକୁ ଗୁରୁତ୍ବ ଦେଇ ଆସୁଛି। କୋଭିଡ-19 ମହାମାରୀ ସେ ଅଞ୍ଚଳ ସହିତ ଭାରତର ସମ୍ପର୍କକୁ କିପରି ପ୍ରଭାବିତ କରିଛି? ବିଶ୍ବ କୂଟନୀତିରେ ଏବେ ଅନେକ ପରିବର୍ତ୍ତନ ହେଉଥିବାରୁ ବର୍ତ୍ତମାନ କିପରି ସହଯୋଗ ଚାଲିଛି?
ରାଷ୍ଟ୍ରଦୂତ ଏଟି: ମୋ ମତରେ, ଆମର ବିସ୍ତାରିତ ପଡୋଶୀ ପଶ୍ଚିମ ଏସିଆ ଆମ ପାଇଁ ପ୍ରତିରକ୍ଷା ଏବଂ ଅନେକ ଜରୁରୀ କ୍ଷେତ୍ର ସକାଶେ ବିଶେଷ ଗୁରୁତ୍ବପୂର୍ଣ୍ଣ। ସେଠାରେ ରହୁଥିବା ଭାରତୀୟଙ୍କ କଲ୍ୟାଣ, ବାଣିଜ୍ୟ, ସାମୁଦ୍ରିକ ପଥ, ନିରାପତ୍ତା, ଶକ୍ତି ଏବଂ ଖାଦ୍ୟ ସୁରକ୍ଷା ଆଦି କାରଣରୁ ଏହା ଅନେକ ଗୁରୁତ୍ବ ବହନ କରେ।
ଯେହେତୁ ସେ ଅଞ୍ଚଳରେ ବହୁ ସଂଖ୍ୟାରେ ଭାରତୀୟ କମ୍ପାନି କାମ କରୁଛନ୍ତି, ଗଲଫ କୋପରେସନ ରାଷ୍ଟ୍ର ସମୂହ ବିଶେଷ କରି ସାଉଦୀ ଆରବ, ୟୁଏଇ ଏବଂ କତାର ଭାରତରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ଦେଖାଉଛନ୍ତି, ଭାରତର ଅଭିବୃଦ୍ଧି ଏବଂ ବଜାରକୁ ଦେଖି ସେଠାକାର କମ୍ପାନି ସବୁ ଭାରତୀୟ କମ୍ପାନିରେ ପୁଞ୍ଜି ମଧ୍ୟ ଖଟାଉଛନ୍ତି। ସାଉଦୀ ଆରବ ନିକଟରେ ଜିଓ ପ୍ଲାଟଫର୍ମରେ ପୁଞ୍ଜି ଖଟାଇବା ସବ ରିଲାଏନସ ଇଣ୍ଡଷ୍ଟ୍ରିଜରେ ପାଖାପାଖି 20 ବିଲିଅନ ଡଲାର ପୁଞ୍ଜି ନିବେଶ କରିବାକୁ ଆଶା ରଖିଛି। ୟୁଏଇ ସ୍ପେକ୍ଟ୍ରମ ବାବଦରେ 75 ବିଲିଅନ ଡଲାର ନିବେଶ ପାଇଁ ସ୍ଥିର କରିଛି। ଏପରିକି କୋଭିଡ-19 ସମୟରେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ପଶ୍ଚିମ ଏସିଆର ଏସବୁ ରାଷ୍ଟ୍ରର ପ୍ରତିପକ୍ଷଙ୍କ ସହ ଆଲୋଚନା କରି ମେଡିକାଲ ସହାୟତା ଯୋଗାଇ ଦେଇଛନ୍ତି ଏବଂ ରାପିଡ ରେସପନସ ଟିମ୍ ସେଠାକୁ ପଠାଇଛନ୍ତି ।
ଗଲଫ ରାଷ୍ଟ୍ର ସମୂହ(GCC)ସହଯୋଗରେ ବନ୍ଦେ ଭାରତ ମିଶନ ଜରିଆରେ ପ୍ରାୟ 4 ଲକ୍ଷ ଭାରତୀୟଙ୍କୁ ସେଠାରୁ ଅଣାଯାଇଛି। ସବୁଠାରୁ ବଡ଼ କଥା ହେଲା,ପ୍ରଧାନମନ୍ତ୍ରୀ ମୋଦି ଅନ୍ତର୍ଜାତୀୟ ପ୍ରସଙ୍ଗସବୁର ଆଲୋଚନା ଏବଂ ମହାମାରୀର ମିଳିତ ମୁକାବିଲା, ଏଥିସହିତ କୋଭିଡ- 19 ଯୋଗୁଁ ବିଶ୍ବ ଅର୍ଥନୀତି ଉପରେ ପଡିଥିବା ପ୍ରତିକୂଳ ପ୍ରଭାବକୁ କିପରି ମୁକାବିଲା କରାଯିବ ସେ ସମ୍ପର୍କରେ ଭର୍ଚୁଆଲ ଜି20 ଶିଖର ବୈଠକ ଆୟୋଜନ କରିବା ନେଇ ସାଉଦୀ ଆରବିଆ ଯୁବରାଜ ମହମ୍ମଦ ବିନ୍ ସୁଲେମାନଙ୍କ ସହ କଥା ହୋଇଥିଲେ। ଏହି ଡିଜିଟାଲ ଡିପ୍ଲୋମାସୀରୁ ଭାରତକୁ ଅନେକ ସୁଫଳ ମିଳିଛି।
କୋଭିଡ-19 ଟିକା ହେଉ ବା ଅତ୍ୟାଧୁନିକ ଟେଷ୍ଟିଂ କିଟସ ଏବଂ ଟ୍ରେସିଂ ପାଇଁ ନୂଆ ଜ୍ଞାନକୌଶଳ ଉପରେ କାମ କରିବା ପାଇଁ ଭାରତ ଓ ଇସ୍ରାଏଲ ମଧ୍ୟରେ ଅଧିକ ସହଯୋଗ ସ୍ଥାପନ ହୋଇଛି। ପ୍ରକୃତରେ ଯଦି କେହି SWOT ଆନାଲିସିସ କରନ୍ତି ତେବେ, ମୁଁ ଭାବିବି ଭାରତର ପଶ୍ଚିମ ଏସିଆ ବିଦେଶ ନୀତି ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୟର ସବୁଠାରୁ ବଡ଼ ସଫଳତା। ଉତ୍ପାଦନ ଏବଂ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ଭାରତର ଅନେକ ଲକ୍ଷ୍ୟ ଏହି ସମୟରେ ପୂରଣ ହୋଇପାରିଛି।
ଇଟିଭି:ପୂର୍ବତନ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା କୌସିକ ବସୁ ନିକଟରେ କହିଛନ୍ତି ଯେ, “70 ବର୍ଷରେ ଭାରତ ଯାହା କିଛି ପାଇଥିଲା ତାହା ଧାର୍ମିକ ଉଗ୍ରବାଦ ଯୋଗୁଁ ହରାଇଛି”। ପଶ୍ଚିମ ଏସିଆ ମୁଖ୍ୟତଃ ଇସଲାମୀୟ ରାଷ୍ଟ୍ର। ଏବେ ଏସବୁ ଦେଶ ସହିତ ଆମର ରହିଥିବା ସମ୍ପର୍କ ପରିପ୍ରେକ୍ଷୀରେ, ଏଭଳି ମନ୍ତବ୍ୟ ପଛରେ କୌଣସି ଅର୍ଥ ରହିଥିବା ଆପଣ ଭାବୁଛନ୍ତି କି? ଏହା ମୁଖ୍ୟତଃ ଜାମ୍ମୁ ଓ କାଶ୍ମୀରରୁ ଧାରା 370 ଉଚ୍ଛେଦର ପ୍ରଥମ ବାର୍ଷିକୀ ପରିପ୍ରେକ୍ଷୀରେ ସେ କହିଛନ୍ତି। କାରଣ ଏହାକୁ ନେଇ ମୁସଲିମ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବିଶେଷ କରି OIC ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା।
ରାଷ୍ଟ୍ରଦୂତ ଏଟି: ଭାରତ ହେଉଛି ବିଶ୍ବର ଦ୍ବିତୀୟ ମୁସଲିମ ବହୁଳ ରାଷ୍ଟ୍ର। ଇସଲାମ ଅନେକ ଆରବ ରାଷ୍ଟ୍ରରେ ପହଞ୍ଚିବା ପୂର୍ବରୁ ଭାରତରେ ପହଞ୍ଚି ସାରିଥିଲା। ସେମାନେ ଭାରତର ବିକାଶ ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ। ସରକାରୀ ଭାବେ ଧର୍ମନିରପେକ୍ଷ ଭାରତରେ ସେମାନେ ସମସ୍ତ ସର୍ବୋଚ୍ଚ ପଦବୀରେ ପହଞ୍ଚି ସାରିଛନ୍ତି। ସେମାନେ ରାଷ୍ଚ୍ରପତି, ଉପ ରାଷ୍ଚ୍ରପତି, ପ୍ରଧାନ ବିଚାରପତି, ବୈଜ୍ଞାନିକ, ସେନା ବାହିନୀ ଅଧିକାରୀ, ବଲିଉଡର ଟପ୍ ଷ୍ଟାର ହୋଇପାରଛନ୍ତି। ପ୍ରଥମେ
ସେମାନେ ଭାରତୀୟ।
ମୋ ମତରେ, ଇସଲାମୀୟ ଜଗତ ସହିତ କଥାବାର୍ତ୍ତା ବେଳେ ଏହା ମୂଳ ଆଧାର ହେବା ଉଚିତ୍। ହେଲେ ପଦ ପଦବୀରେ ଥିବା କିଛି ଲୋକଙ୍କ ଦାୟିତ୍ବହୀନ ଏବଂ ବେପରୁଆ ବିବୃତି ସୋସିଆଲ ମିଡିଆରେ ଅଯଥାରେ ଝଡ଼ ସୃଷ୍ଟି କରୁଛି। ଏହା ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ। ଦେଶ ପାଇଁ ଥିବା ସଦିଚ୍ଛାକୁ ଆମେ ହରାଇ ପାରିବା ନାହିଁ।
ଧାରା 370 ସଂକ୍ରାନ୍ତରେ ପଶ୍ଚିମ ଏସିଆର ଅଧିକାଂଶ ନେତା ବିଶେଷ କରି ଦ୍ବିପାକ୍ଷିକ ସମ୍ପର୍କ ନେଇ ଏହା ଭାରତର ସମ୍ପୂର୍ଣ୍ଣ ନିଜସ୍ବ ନିଷ୍ପତ୍ତି ବୋଲି ବୁଝିଛନ୍ତି। କିନ୍ତୁ ପାକିସ୍ତାନ ଦ୍ବାରା ସୃଷ୍ଟି କରାଯାଇଥିବା କିଛି ମନ୍ତବ୍ୟକୁ ବାଦ୍ ଦେଲେ OIC ବିବୃତିରେ କୌଣସି ନିର୍ଦ୍ଦିଷ୍ଟ ଅର୍ଥ ନାହିଁ।
ଇଟିଭି: ଅନ୍ୟ ଅଞ୍ଚଳ ଭଳି ସେ ଅଞ୍ଚଳରେ ଦେଖା ଦେଇଥିବା ଅର୍ଥନୈତିକ ମାନ୍ଦାବସ୍ଥା ଯୋଗୁଁ ଭାରତ କେତେ ପ୍ରଭାବିତ ହୋଇଛି?
ରାଷ୍ଟ୍ରଦୂତ ଏଟି: କୋଭିଡ-19 ସାରା ବିଶ୍ବରେ ଅଚାନକ ସବୁ କିଛି ବିଗାଡି ଦେଇଛି। ପାଖାପାଖି ସବୁ ଦେଶର ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଛି ଏବଂ ଏହାର ପୁନରୁଦ୍ଧାର ପାଇଁ କିଛି ଦିନ ଲାଗିବ। ତୈଳ ଉତ୍ପାଦନ ପଶ୍ଚିମ ଏସୀୟ ରାଷ୍ଟ୍ର ଏବଂ ଭାରତ ବି ସେଥିରୁ ବାଦ୍ ପଡିନାହାଁନ୍ତି। ଚାହିଦା କମିବା ଏବଂ ତୈଳ ଦର ଲଗାତାର କମିବା ଯୋଗୁଁ ପଶ୍ଚିମ ଏସିଆ ଉପରେ ଅଧିକ ପ୍ରତିକୂଳ ପ୍ରଭାବ ପଡିଛି। ବାସ୍ତବରେ ପ୍ରଥମ ଥର ପାଇଁ ଇତିହାସରେ ତୈଳ ଦର ଅପ ଶୂନ୍ୟ ବା ସବ୍-ଜିରୋ ସ୍ତରକୁ ଚାଲି ଆସିଥିଲା। ଫଳରେ ଅଧିକାଂଶ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ଦରକୁ ବ୍ୟାରେଲ ପିଛା 70 ଡଲାରରେ ସ୍ଥିର କରି ଦେଇଛନ୍ତି। କିନ୍ତୁ ବର୍ତ୍ତମାନର ଦର ତାଠାରୁ କମ୍ ରହିଛି। ଏହି କାରଣରୁ ଅନେକ ରାଷ୍ଟ୍ର ସେମାନଙ୍କର ପ୍ରମୁଖ ପ୍ରକଳ୍ପ ଏବଂ ସରକାରୀ ଖର୍ଚ୍ଚ କାଟ କରି ଥିବା ସମ୍ବଳକୁ ମହାମାରୀ ମୁକାବିଲା କରିବାରେ ଲଗାଇ ଦେଇଛନ୍ତି।
ଏସବୁ ସତ୍ତ୍ବେ, ଭାରତୀୟ ଶ୍ରମିକଙ୍କୁ ଯେହେତୁ ସ୍ଥାନୀୟ ଲୋକ ଭଲ ପାଆନ୍ତି ଏବଂ ବିଶ୍ବାସକୁ ନିଅନ୍ତି, ମୋର ବିଶ୍ବାସ ଗଲଫ ରାଷ୍ଟ୍ର ସହଯୋଗ ବା GCCରେ ସ୍ଥିତି ଯେତେ ଶୀଘ୍ର ସୁଧାର ଆସିବ, ଭାରତୀୟ ମାନେ ପ୍ରଥମ ପସନ୍ଦ ଭାବେ ସେଠାରେ ପୁନଃନିଯୁକ୍ତି ପାଇବେ।
ନିଲୋଭ ରାୟ ଚୌଧୁରୀ