ତିରୁଅନନ୍ତପୁରମ: ଏଡସ୍ କିପରି ବ୍ୟାପିଥାଏ ? ଏହାର ଉତ୍ତର ହୁଏତ ଆପଣ ଜାଣିଥିବେ । କେରଳ ସରକାର ବୋଧହୁଏ ଜାଣିନାହାନ୍ତି । ଅଥବା ତାଙ୍କ ବିଚାରରେ ଏହାର ଅଲଗା କାରଣ ରହିଛି । କାହିଁକି ନା କେରଳ ସରକାର ପିଲାଙ୍କ ପାଠ୍ୟ ପୁସ୍ତକରେ ଏହା ବିଷୟରେ ଭୁଲ ତଥ୍ୟ ଦେଇଛନ୍ତି । ଆଉ ଏହା ଏପରି ଏକ ଭୁଲ ଯାହା ଶୁଣିଲେ ହୁଏତ ଆପଣ ନିଜ ହସ ରୋକିପାରିବେ ନାହିଁ ।
ପ୍ରକୃତରେ କେରଳର ଦଶମ ଶ୍ରେଣୀ ପିଲାଙ୍କ ପାଠ୍ୟ ପୁସ୍ତକରେ ଭୁଲ ସୂଚନା ଦିଆଯାଇଥିବା ନଜର ଆସିଛି । ପିଲାଙ୍କ ପଢା ବହିରେ ଉଲ୍ଳେଖ ହୋଇଛି ଯେ ବିବାହ ପୂର୍ବରୁ ସମ୍ପର୍କ ରଖିଲେ କିମ୍ବା ବିବାହ ପର ପରକୀୟା ପ୍ରୀତିରେ ଯୌନ ସମ୍ପର୍କ ରଖିବା ଦ୍ୱାରା ଏଡସ୍ ବ୍ୟାପିଥାଏ । ଯାହା ଏକ ଭୁଲ ତଥ୍ୟ । ଏଥିରେ ଏଡସ୍ ବ୍ୟାପିବାର 4ଟି କାରଣ ଦର୍ଶାଯାଇଛି । ପ୍ରଥମ 3ଟି ସଠିକ ଥିବାବେଳେ ଶେଷ କାରଣ ଭୁଲ ରହିଛି । ଦଶମ ଶ୍ରେଣୀ ପିଲାଙ୍କ ଶରୀର ବିଜ୍ଞାନ ପୁସ୍ତକର 60 ନମ୍ବର ପୃଷ୍ଠାରେ ଏପରି ଉଲ୍ଲେଖ କରାଯାଇଛି ।
ଏପରିକି ଏହି ପୃଷ୍ଠାରେ ଏହିସବୁ କାରଣକୁ ଗ୍ରାଫିକ୍ସ ଦ୍ବାରା ପ୍ରକାଶ କରାଯାଇଛି । ଏହି ପୁସ୍ତକକୁ ପ୍ରକାଶ କରିଛି କେରଳ ସରକାରଙ୍କ ଶିକ୍ଷା ବିଭାଗ । ଷ୍ଟେଟ କାଉନସିଲ ଅଫ୍ ଏଜୁକେସନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ(ଏସସିଇଆରଟି) ଏହି ବହିର ପ୍ରକାଶନ ଦାୟିତ୍ବରେ ଅଛି । ଏହି ବହି 2015-16 ଶିକ୍ଷାବର୍ଷରୁ ପ୍ରକାଶ ପାଇଲାଣି । ଅର୍ଥାତ ଗତ 3 ବର୍ଷ ହେଲା ପିଲା ଏହାକୁ ପଢି ଆସୁଥିବାବେଳେ ଏହା ଉପରେ କାହାରି ନଜର ପଡିନାହିଁ । ଏଡସ୍ ଭଳି ମାରାତ୍ମକ ରୋଗ ବିଷୟରେ ସରକାରଙ୍କ ଏପରି ବେପାରୁଆ ମନୋଭାବକୁ ଚାରିଆଡେ ସମାଲୋଚନା କରାଯାଇଛି ।
ଏହି ଭୁଲର ଫଟୋ ଉଠାଇ ପଲକ୍କଡର ଅରୁଣ ନାମକ ଜଣେ ଡାକ୍ତର ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ସମ୍ପର୍କରେ ଜଣାପଡିଥିଲା । ଏବେ ଏହି ଖବରକୁ ନେଇ ଲୋକେ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ବହୁ ଡାକ୍ତରଙ୍କ ସମେତ ଅନେକ ଟ୍ବିଟର ବ୍ୟବହାରକାରୀ ସୋସିଆଲ ମିଡିଆରେ ଏହାକୁ ସେୟାର କରି କେରଳ ସରକାରଙ୍କୁ ସମାଲୋଚନା କରିଛନ୍ତି ।
ଏପରିକି କେତେକ ଏହି ଖବର ଉପରେ ସରକାରଙ୍କୁ ଟ୍ରୋଲ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି ଏଡସ୍ ଭୂତାଣୁ କିପରି ଜାଣିବ ଜଣେ ଦମ୍ପତ୍ତି ବିବାହ କରିଛନ୍ତି ନା ନାହିଁ । ଆଉ ଜଣେ ଲେଖିଛନ୍ତି ଏଡସ୍ ଭୂତାଣୁ ମଧ୍ୟ ୟଙ୍ଗ ଜେନେରେସନ ଭଳି ଚାଲାକ ହୋଇଗଲାଣି। ତେବେ ଏହି ଭୁଲକୁ ଠିକ କରାଯାଇ ଆଗାମୀ ସଂସ୍କରଣରେ ସଂଶୋଧିତ ଲେଖା ଆସିବ ବୋଲି ଏସସିଇଆରଟିର ଜଣେ ରିସର୍ଚ୍ଚ ଅଧିକାରୀ ସୂଚନା ଦେଇଛନ୍ତି।