ବିଶ୍ବରେ ଯଦି ସବୁଠାରୁ ପୁରୁଣା କୌଣସି ବିମାନ ବାହକ ଯୁଦ୍ଧପୋତ ଥାଏ, ତେବେ ସେ ହେଉଛି ଭାରତର ଗର୍ବ ଓ ଭାରତୀୟ ବୀରତ୍ବର ପ୍ରତୀକ ଆଇଏନଏସ ବିରାଟ । ଗତ 30 ବର୍ଷ ହେବ ସେବା ଯୋଗାଇ ଆସୁଛି ଏହି ଯୁଦ୍ଧ ପୋତ । 2017 ମସିହାରେ ଏହି ଯୁଦ୍ଧପୋତଟିକୁ କାର୍ଯ୍ୟରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଏହାର କାର୍ଯ୍ୟକାରିତା ପାଇଁ ନୌସେନା ଏହାକୁ ଦେଇଥିଲା ‘ଗ୍ରାଣ୍ଡ ଓଲ୍ଡ ଲେଡି’ର ଆଖ୍ୟା । ନୌସେନାର ଶକ୍ତି ଭାବେ ବ୍ୟବହାର ହେଉଥିବା ଏହି ଯୁଦ୍ଧପୋତ ସମୂଦ୍ରପଥରେ ଶତ୍ରୁଙ୍କ ଉପରେ ନଜର ରଖିବାରେ ନିପୁଣ । ବର୍ତ୍ତମାନ ଏହା ନିଲାମ ହୋଇଥିବାବେଳେ ଏହାକୁ କିଣିଥିବା କମ୍ପାନୀ ଏହି ଜାହାଜରେ ବ୍ୟବହୃତ ଲୁହାକୁ ମୋଟର ବାଇକରେ ବ୍ୟବହାର କରିବା ନେଇ ସୂଚନା ଦେଇଛି ।
ନୌସେନା ପାଇଁ ବ୍ରିଟେନରୁ ଆମଦାନୀ ହୋଇଥିଲା ବିମାନ ବାହକ ଯୁଦ୍ଧପୋତ:
1944ରେ ନିର୍ମିତ ଏହି ଯୁଦ୍ଧପୋତକୁ 1986 ମସିହାରେ ଭାରତୀୟ ନୌସେନାରେ ସାମିଲ କରାଯାଇଥିଲା । ଏହା ପୂର୍ବରୁ ଏହି ବିମାନ ବାହକ ଯୁଦ୍ଧପୋତ ବ୍ରିଟେନରେ 27 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟରତ ରହିଥିଲା । 1959 ମସିହାରେ ଏହା ବ୍ରିଟେନର ରାଜକୀୟ ନେଭିରେ ସାମିଲ ହୋଇଥିଲା । ସେହି ସମୟରେ ଏହାର ନାମ ରହିଥିଲା ଏଚଏମଏସ ହରମିଜ । ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଏହି ଜାହାଜ ଉପରେ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ବ୍ରିଟେନରେ କାର୍ଯ୍ୟରତ ସମୟରେ ଏହା ଫାକଲ୍ୟାଣ୍ଡ ଯୁଦ୍ଧରେ ବ୍ରିଟେନର ବିଶେଷ ସହାୟକ ହୋଇଥିଲା । ଏହି ଯୁଦ୍ଧ ସମୟରେ ଅନେକ ଜଟିଳ ପରିସ୍ଥିତି ସତ୍ତ୍ବେ ଏହା 100 ଦିନ ପର୍ଯ୍ୟନ୍ତ ସମୁଦ୍ରରେ ତିଷ୍ଠି ରହିଥିଲା ।
ଗୋଟିଏ ସହର ପରି ଥିଲା ଏହି ଯୁଦ୍ଧପୋତ:
226 ମିଟର ଲମ୍ବ ଓ 49 ମିଟର ଚଉଡା ବିଶିଷ୍ଟ ଏହି ଜାହାଜଟି ଭାରତୀୟ ନୌସେନାରେ ସାମିଲ ହେବା ପରେ ଅପରେସନ ଜୁପିଟରରେ 1989 ମସିହାରେ ଶାନ୍ତି ସ୍ଥାପନ ଉଦ୍ଦେଶ୍ୟରେ ଏହାକୁ ଶ୍ରୀଲଙ୍କା ପଠାଯାଇଥିଲା । ସେପଟେ 2001 ମସିହାରେ ସଂସଦ ଉପରେ ଆକ୍ରମଣ ସମୟରେ ଅପରେସନ ପରାକ୍ରମରେ ମଧ୍ୟ ଏହାକୁ ସାମିଲ କରାଯାଇଥିଲା ।
ତେବେ 30 ବର୍ଷର କାର୍ଯ୍ୟକାଳ ମଧ୍ୟରେ ଆଇଏନଏସ ବିରାଟ ପ୍ରାୟ 10 ଲକ୍ଷ କିଲୋମିଟରର ଦୂରତା ଅତିକ୍ରମ କରିଛି । ଯାହା ପୃଥିବୀ ଚାରିପଟେ 28ଥର ଚକ୍କର କାଟିବା ସହ ସମାନ । ଏହି ଜାହାଜ ନିଜ ଭିତରେ ହିଁ ଏକ ଛୋଟ ସହର ପରି । ଏଥିରେ ଏକ ପୁସ୍ତକାଳୟ, ଜିମ୍, ଏଟିଏମ, ଟିଭି ଓ ଭିଡିଓ ଷ୍ଟୁଡିଓ, ହସ୍ପିଟାଲ, ଦନ୍ତ ଚିକିତ୍ସା ସେଣ୍ଟର ଓ ମିଠା ପାଣି ବିଶୋଧନ କେନ୍ଦ୍ର ପରି ସୁବିଧା ଉପଲବ୍ଧ ରହିଛି । ଏହି ଜାହାଜର ଓଜନ 28 ହଜାର 700 ଟନ ରହିଥିବା ବେଳେ ଏଥିରେ 150 ଅଫିସର ଓ 1500 ନାବିକଙ୍କୁ ନିୟୋଜିତ କରାଯାଇପାରେ ।
ଅବସର ପୂର୍ବରୁ ଜାହାଜର ଟେଷ୍ଟିଂ ମନେ ପକାଇଲେ ଅବସରପ୍ରାପ୍ତ ଆଡମିରଲ ଅରୁଣ ପ୍ରକାଶ:
ଅଗଷ୍ଟ 1990ରୁ ଡିସେମ୍ବର 1991 ପର୍ଯ୍ୟନ୍ତ ଆଇଏନଏସ ବିରାଟର କମାଣ୍ଡିଂ ଅଫିସର ଥିଲେ ଅବସରପ୍ରାପ୍ତ ଆଡମିରଲ ଅରୁଣ ପ୍ରକାଶ । 1983ରେ ତାଙ୍କୁ ଏନେଇ ନିର୍ଦ୍ଦେଶ ଦେଇ ଲ୍ୟାଣ୍ଡିଂ ଓ ଟେକ-ଅଫ୍ର ଅଭ୍ୟାସ କରିବା ପାଇଁ କୁହାଯାଇଥିଲା ।
ନିର୍ଦ୍ଦେଶ ପାଇ ସେ ଇଂରାଜୀ ଚ୍ୟାନେଲ ପୋର୍ଟ୍ସମଥ ଯାଇ ପହଞ୍ଚିଥିଲେ । ସେଠାରେ ତାଙ୍କୁ ଏଚଏମଏସ ହରମିଜ ଦେଖାଯାଇଥିଲା । ପ୍ରଥମ ଦେଖାରେ ହିଁ ଏହା ଅରୁଣଙ୍କୁ ପସନ୍ଦ ଆସି ଯାଇଥିଲା । ତେବେ ଏହାପୂର୍ବରୁ ସେ ଆଇଏନଏସ ବିକ୍ରାନ୍ତ ପରିଚାଳନା କରିସାରିଥିଲେ । କିନ୍ତୁ 18 ହଜାର ଟନର ଆଇଏନଏସ ବିକ୍ରାନ୍ତ ଆଇଏନଏସ ବିରାଟ ତୁଳନାରେ ଢେର ହାଲୁକା ଥିଲା ।
ତେବେ ପ୍ରଥମ ଦେଖାରେ ପସନ୍ଦ ଆସିବା ପରେ ଏଚଏମଏସ ହରମିଜରେ ଅରୁଣ ବିମାନ ଉଡାଣ ଭରିଥିଲେ । ଏକ ଘଣ୍ଟାର ଉଡାଣ ପରେ ସେ ଭର୍ଟିକାଲ ଲ୍ୟାଣ୍ଡିଂ କରିଥିଲେ । ଏହାପରେ ପୁଣି ଏହି ଯୁଦ୍ଧ ପୋତ ସହ ଅରୁଣଙ୍କର 1986 ମସିହାରେ ମୁମ୍ବାଇରେ ଦେଖା ହୋଇଥିଲା । ଯେଉଁଠାରେ ଏହା ଆଇଏନଏସ ବିରାଟ ଆକାରରେ ପରିଚୟ ହାସଲ କରିଥିଲା ।
ଯୁବ ପିଢି ପାଇଁ ପ୍ରେରଣାର ଉତ୍ସ ଥିଲା ଆଇଏନଏସ ବିରାଟ:
ନିଜ ସ୍ମୃତିର ଗଳିକୁ ଯାଇ ଆଡମିରଲ ଅରୁଣ କହିଥିଲେ କି ଯେତେବେଳେ ଆଇଏନଏସ ବିରାଟ ମୁମ୍ବାଇ ପହଞ୍ଚିଥିଲା, ସେତେବେଳେ ସମସ୍ତଙ୍କୁ ଯାଇ ଏହି ଯୁଦ୍ଧପୋତକୁ ସ୍ବାଗତ କରିବା ପାଇଁ କୁହାଯାଇଥିଲା । ସେ ଦିନ ମୌସୁମୀ ଜନିତ ପ୍ରବଳ ବର୍ଷାର କୋପ ଆଜି ବି ତାଙ୍କର ମନେ ଥିବା ସେ କହିଛନ୍ତି । ଜାହାଜଟି ସମୁଦ୍ର ପଥରେ ଯେତିକି ନିକଟତର ହେଉଥିଲା ଦୃଶ୍ୟ ସେତିକି ମନଲୋଭା ପାଲଟୁଥିଲା । ତେବେ 1990ରେ ତାଙ୍କୁ ବିରାଟର କମାଣ୍ଡିଂ ଅଫିସର ଭାବେ ଦାୟିତ୍ବ ମିଳିବା, ତାଙ୍କ ପାଇଁ ଅତ୍ୟନ୍ତ ଖୁସିର ଦିନ ଥିଲା ବୋଲି ସେ ପ୍ରକାଶ କରିଛନ୍ତି ।
ସେ ଏହା ମଧ୍ୟ କହିଛନ୍ତି ତଟରକ୍ଷା ବ୍ୟତୀତ ଏହି ଯୁଦ୍ଧ ପୋତ କ୍ରମାଗତ ତିନି ପୀଢିର ପାଇଲଟକୁ ପ୍ରଶିକ୍ଷଣ ମଧ୍ୟ ଯୋଗାଇଛି । କେବଳ ପାଇଲଟ ନୁହେଁ, ବରଂ ଇଞ୍ଜିନିୟର ଓ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞଙ୍କୁ ମଧ୍ୟ ପ୍ରସ୍ତୁତ କରିଛି ଆଇଏନଏସ ବିରାଟ । ଏହି ଜାହାଜରେ ଉପଲବ୍ଧ ସୁବିଧା ପାଇଁ ଏଠାରେ କାର୍ଯ୍ୟରତ ପ୍ରତ୍ୟେକ କର୍ମଚାରୀ ବେଶ ଖୁସି ଥିଲେ । ଏଠାରେ ଉଭୟ ରହିବା ଓ ଖାଇବା ସୁବିଧା ମଧ୍ୟ ବେଶ ପ୍ରଶଂସନୀୟ ରହିଥିଲା ।