ହାଇଦ୍ରାବାଦ: ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରାକୁ ନେଇ ଚଳଚଞ୍ଚଳ ସାରା ଦେଶ । ଦେଶର ବିଭିନ୍ନ ପ୍ରାନ୍ତରେ ବେଶ୍ ଆଡମ୍ବରର ସହ ମହାବାହୁଙ୍କର ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ହାଇଦ୍ରାବାଦରେ ମଧ୍ୟ ପାଳନ ହୋଇଛି ମହାପ୍ରଭୁଙ୍କର ଘୋଷଯାତ୍ରା । ପ୍ରବଳ ଭକ୍ତଙ୍କ ସମାଗମରେ ସକାଳୁ ସମ୍ପନ୍ନ ହୋଇଛି ରୀତିନୀତି । ଏଥିସହ ଆରମ୍ଭ ହୋଇଛି ରଥଟଣା ।
ପୁରୀ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ସକାଳୁ ସମସ୍ତ ନୀତିକାନ୍ତି ସମାପନ ହେବା ସହ ଆରମ୍ଭ ହୋଇଥିଲା ରଥଯାତ୍ରା ପାଳନ । ରାଜ୍ୟ ବାହାରେ ହେଲେ ମଧ୍ୟ ଦେଖିବାକୁ ମିଳିଥିଲା ଅନେକ ଓଡିଆ ଭକ୍ତଙ୍କ ଭିଡ । ଅଥିସହ ତେଲେଙ୍ଗାନା ତଥା ଆନ୍ଧ୍ରପ୍ରଦେଶରୁ ମଧ୍ୟ ଅନେକ ଭକ୍ତଙ୍କ ସମାଗମ ଏଠାରେ ଦେଖିବାକୁ ମିଳିଥିଲା ।
ସହରର ବଞ୍ଜାରା ହିଲ୍ସଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଭକ୍ତିର ଅର୍ଘ୍ୟ ସମର୍ପି ଏକାଠି ହୋଇଥିଲେ ଅନେକ ଜଗନ୍ନାଥପ୍ରେମୀ । ପ୍ରତିବର୍ଷ ଏଠାରେ ବେଶ୍ ଉତ୍ସାହର ସହ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ମଧ୍ୟ ବାଦ୍ ପଡିନାହାନ୍ତି ଆୟୋଜନ ମଣ୍ଡଳୀ ।