‘ମା’ ଏହି ଗୋଟିଏ ଶବ୍ଦରେ ଯେମିତି ସାରା ସଂସାରଟା ସୀମିତ ହୋଇଯାଇଛି । ଜନ୍ମ ନେବାପରେ ଆମକୁ ସାରା ଦୁନିଆଁ ଚିହ୍ନେ କିନ୍ତୁ ସେ ଆମକୁ ଚିହ୍ନେ ଜନ୍ମ ପୂର୍ବରୁ । ଆମ ଅସ୍ତିତ୍ବକୁ ନିଜ ଗର୍ଭରେ ଅନୁଭବ କରିବା ମାତ୍ରେ ସେ ହୋଇଯାଏ ମା’ । ଆଉ ତାପରେ ହଜେଇ ଦିଏ ସେ ନିଜକୁ ତା ଶିଶୁ ଭିତରେ । ନିଜ ପରିଚୟ ଭୁଲି ସେ ପାଲଟିଯାଏ ଅମୃତମୟୀ, ସ୍ନେହମୟୀ ମା’ । ନିଷ୍କପଟ, ନିଚ୍ଛନ୍ଦ, ବାତ୍ସଲ୍ୟ ମମତାରେ ଭରା କଳସୀଟେ ଅବା ସେ । ସେହି ମମତାମୟୀ ମା ପାଇଁ ସାରା ବିଶ୍ବ ମେ ମାସ ଦ୍ବିତୀୟ ରବିବାର ପାଳନ କରେ ବିଶ୍ବ ମାତୃ ଦିବସ ।
ମାତୃ ଦିବସର ଇତିହାସ
ମାତୃ ଦିବସର ଆରମ୍ଭର ଶ୍ରେୟ ଦୁଇ ମହିଳା ଜୁଲିଆ ୱାର୍ଡ ହାଓ ଏବଂ ଏନା ଜାରଭିସଙ୍କୁ ଦିଆଯାଏ । ଯେଉଁମାନେ ଆମେରିକାରେ ପ୍ରଥମ କରି ମାତୃ ଦିବସର ଧାରଣା ପ୍ରତିଷ୍ଠା କରିଛନ୍ତି ବୋଲି ବିଶ୍ବାସ କରାଯାଏ। 1870 ମସିହାରେ, ଜୁଲିଆ ମହିଳାମାନଙ୍କ ମଧ୍ୟରେ ଶାନ୍ତିଶୃଙ୍ଖଳା ଏବଂ ନିରସ୍ତ୍ରୀକରଣକୁ ଉତ୍ସାହିତ କରିବା ପାଇଁ ମାତୃ ଦିବସର ବାର୍ଷିକ ଉତ୍ସବକୁ ପ୍ରୋତ୍ସାହିତ କରିଥିଲେ । ପରବର୍ତ୍ତୀ ଦଶବର୍ଷ ପାଇଁ ଜୁଲିଆଙ୍କ ପ୍ରାୟୋଜକ ଅଧୀନରେ ବୋଷ୍ଟନରେ ଛୁଟିଦିନ ଅନୁଷ୍ଠିତ ହୋଇଥିଲା । କିନ୍ତୁ କିଛି ବର୍ଷପରେ ଏହା ବନ୍ଦ ହୋଇ ଯାଇଥିଲା ।
ଏନା ଜାରଭିସ୍, ଯିଏକି ମାତୃ ଦିବସର ଜନନୀ ଭାବରେ ଜଣାଶୁଣା, 1907 ମସିହାରେ ତାଙ୍କ ମାତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ବ୍ୟକ୍ତିଗତ ମାତୃ ଦିବସ ପାଳନ କରିଥିଲେ । ମାତୃ ଦିବସକୁ ମାନ୍ୟତା ଦେବା ପାଇଁ ଏନା ଏକ ଅଭିଯାନ ଆରମ୍ଭ କରିଥିଲେ । ପରବର୍ତ୍ତୀ ବର୍ଷ ଗୁଡିକରେ, ଆମେରିକାର ମାତୃ ଦିବସକୁ ମାନ୍ୟତା ଦେବା ସହ ସରକାରୀ ଛୁଟି ଘୋଷଣା କରିବା ପାଇଁ ଏନାଙ୍କ ପ୍ରଚେଷ୍ଟା ସଫଳ ହେଲା । ମେ 8, 1914 ରେ, ରାଷ୍ଟ୍ରପତି ୱୁଡ୍ରୋ ୱିଲସନ ମିଳିତ ସଂକଳ୍ପରେ ଦସ୍ତଖତ କରି ମେ ମାସର ଦ୍ବିତୀୟ ରବିବାରକୁ ମାତୃ ଦିବସ ରୂପେ ଯୁକ୍ତରାଷ୍ଟ୍ରରେ ପାଳନ କରାଯିବା ନେଇ ଘୋଷଣା କଲେ।
ତେବେ ମା’ ପାଇଁ ଗୋଟିଏ ଦିନ କ’ଣ, ସାରା ଜୀବନ ଅନେକ ଜନ୍ମ ନେଲେ ବି ତା ଋଣ ସୁଝି ହୁଏନାହିଁ । ଜନ୍ମ ହେବା ପରଠାରୁ ସେ ଯାହା ଶିଖାଏ ମଣିଷ ଶିଖେ, ତା ଆଖିରେ ଦୁନିଆ ଦେଖେ । ଶିଶୁଟିଏ ପାଇଁ ତା ମା ହେଉଛି ତା ଗୁରୁ, ତାର ଡାକ୍ତର, ତାର ଅଭିଧାନ ଆଉ ତାର ଜୀବନ । ଝୁଣ୍ଟି ପଡିଲେ ପ୍ରଥମ ଶବ୍ଦ ପାଟିରୁ ବାହାରେ ମା’, ଥକି ପଡିଲେ ବି ମା’, ନିଦ ହଜିଲେ ମା, ଭୋକ ଲାଗିଲେ ମା । ନିଜ ସନ୍ତାନ ପାଇଁ ଜୀବନ ଦେବାକୁ ବି ପଛାଏନି ସେ । ସମସ୍ତ ଝଡଝଞ୍ଜା ସହିଯାଏ ନିଜ ପିଲାମାନଙ୍କ ପାଇଁ । ତାଙ୍କ ଭୋକ ତାର ପେଟ ପୁରାଇ ଦିଏ । ତାଙ୍କ କୋହ ତା ଆଖିରୁ ଲୁହ ଝରାଏ । ନିଜ ପିଲାଙ୍କୁ ଭଲ ମଣିଷ କରି ଗଢ଼ି ତୋଳିବାକୁ ଦିନ ରାତି ଲାଗି ପଡେ ସେ । କେତେ ମାନସିକ, କେତେ ଯେ ଉପବାସ କରେ । ତା ପାଇଁ ବିଶ୍ରାମ ନାହିଁ, ତା ପାଇଁ ଛୁଟି ନାହିଁ, ସବୁ ସହି ଅକ୍ଲାନ୍ତ ପରିଶ୍ରମ କରେ ସେ ସାରା ଜୀବନ । କିନ୍ତୁ ଅଭିଯୋଗ କରେନି । କିନ୍ତୁ ନିଜ ଦୁଃଖରେ କାହାକୁ ଭାଗୀଦାର କରେନା ସେ । ଆଖିର ଲୁହକୁ ଓଠର ହସରେ ଲୁଚେଇ ଦିଏ ସେଥିପାଇଁ ତ ସେ ସର୍ବଂସହା ।
ମା’ର ସ୍ନେହ ମମତା ଆଗରେ ତୁଚ୍ଛ ହୋଇଯାଏ ଦୁନିଆର ତମାମ ସୁଖ ସୁବିଧା । ତା କୋଳରେ ମୁଣ୍ଡ ରଖି ଶୋଇଗଲେ ଲାଗେ ସ୍ବର୍ଗର ସବୁ ସୁଖ ସେଇ କୋଳରେ । ଜୀବନ ଜଞ୍ଜାଳରେ ଥକି ପଡ଼ିଲେ ପିଠିରେ ତା’ ହାତର ସ୍ପର୍ଶ ପାଇ ଧୋଇ ହୋଇଯାଏ ତମାମ ଦୁଃଖ । ଅନ୍ଧାରରେ ତାର ପଣତ ଧରିଥିଲେ ସବୁ ଭୟ ଲୁଚିଯାଏ । ଆଉ ଯେତେବେଳେ ଦୁନିଆର ଭିଡ ଭିତରେ ମଣିଷ ଏକା ହୋଇଯାଏ ଲୁହ ଭରା ଆଖିରେ ଖୋଜେ ଖାଲି ତା ମା’କୁ ।
କଥାରେ ଅଛି ମା ନାହିଁ ଯାହାର ନାଁ ନାହିଁ ତାହାର । ତେଣୁକରି ତ ମାର ସ୍ନେହ ଟିକିଏ ପାଇବେ ବୋଲି ପୃଥିବୀରେ ଜନ୍ମ ନେଲେ ଆଉ ମା’ ନାଁରେ ପରିଚିତ ହେଉଥିଲେ ସ୍ବୟଂ ଭଗବାନ । କେତେବେଳେ କୌଶଲ୍ୟା ସୁତ, ତ କେତେବେଳେ ଦେବକୀ ନନ୍ଦନ, ଆଉ ଯଶୋଦା ମା’ର କହ୍ନେଇ । ଭଗବାନ ଲକ୍ଷ୍ମଣଙ୍କୁ ବି ତାଙ୍କ ମା’ ସୁମିତ୍ରାଙ୍କ ନାମ ଅନୁସାରେ ସୌମେତ୍ର, ପଞ୍ଚୁ ପାଣ୍ଡବଙ୍କୁ କୁନ୍ତୀଙ୍କ ନାମ ଅନୁସାରେ କୌନ୍ତେୟ ଓ କର୍ଣ୍ଣଙ୍କୁ ପାଳିଥିବା ମା ରାଧାଙ୍କ ନାମ ଅନୁସାରେ ତାଙ୍କୁ ‘ରାଧେୟ’ ବୋଲି କୁହାଯାଉଥିଲା । ନିଜ ପରିଚୟ ଅପେକ୍ଷା ତା ପରିଚୟରେ, ତାର ଝିଅ, ତାର ପୁଅ ହୋଇ ବଞ୍ଚିବା ଠାରୁ ଗୌରବ ଆଉ କିଛି ନାହିଁ ।
ଚନ୍ଦ୍ରମା ଠାରୁ ଶୀତଳ ସେ
ଆକାଶ ପରି ଅନନ୍ତ ସେ
ସେ ବର୍ଷା ପରି ନିର୍ମଳ
ସେ ଫୁଲ ପରି କୋମଳ
ସେ ସ୍ନିଗ୍ଧା, ସେ ଶୁଭ୍ରା
ସେ ସ୍ନେହମୟୀ, ସେ ଶକ୍ତିମୟୀ
ତା କୋଳ ସ୍ବର୍ଗ
ତା ସ୍ପର୍ଶ ସୌମ୍ୟ
ସେ କରୁଣା ବାରିଧି
ମମତାର ମହୋଦଧି ‘ମା’....
ମା, ବୋଉ, ଅମ୍ମା, ଆଇ, ଅମ୍ମି, ଇମା, ମାତ୍ରୀ, ମାଇ, କେତେ ନାଁ ତା’ର କିନ୍ତୁ ରୂପ ଗୋଟିଏ । କୁହଯାଏ ଯେ ଭଗବାନ ସବୁ ସମୟରେ ମର୍ତ୍ତ୍ୟରେ ରହି ପାରିବେନି ବୋଲି ସେ ମା’ ତିଆରି କଲେ । ସତକଥା, ଭଗବାନ ରୂପରେ ସେ ହିଁ ଏଇ ଧରାପୃଷ୍ଠରେ ସ୍ନେହ, ମମତା ଆଉ ଆଶୀର୍ବାଦ ଅଜାଡି ଚାଲିଛି । ବିଶ୍ବ ମାତୃ ଦିବସରେ ସବୁ ମା’ଙ୍କୁ କୋଟି କୋଟି ପ୍ରଣାମ ।