ଲକ୍ଷ୍ନୌ: ତିନି ତଲାକ କହି ପତ୍ନୀଙ୍କୁ ଜିଅନ୍ତା ଜାଳିଲା ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ରାମପୁରର ଦୌଙ୍କପୁରୀ ଟାଣ୍ଡା ଗ୍ରାମର ।
ସୂଚନା ଅନୁଯାୟୀ, ଗତ ଦୁଇ ବର୍ଷ ତଳେ ନଜାକତ ଅଲ୍ଲୀଙ୍କ ଝିଅ ସୀମାଙ୍କ ବିବାହ ମହମ୍ମଦ ଆରିଫଙ୍କ ସହ ହୋଇଥିଲା । ବିବାହ ପରେ ସୀମାଙ୍କ ଶଶୁର ଘର ଲୋକେ ତାଙ୍କୁ ଯୌତୁକ ମାଗୁଥିଲେ । ଗତ ରବିବାର ମଧ୍ୟ ସୀମାଙ୍କ ସ୍ବାମୀ ଏବଂ ଶାଶୁ ଶ୍ବଶୁର ଯୌତୁକ ପାଇଁ ତାଙ୍କ ସହ ଝଗଡା କରିଥିଲେ ।
ଏହା ମଧ୍ୟରେ ସ୍ବାମୀ ମହମ୍ମଦ ସୀମାଙ୍କୁ ତିନି ତଲାକ କହି ଘରୁ ବାହାରକୁ ଯାଉଥିଲେ । ଏହି ସମୟରେ ସୀମା ମହମ୍ମଦଙ୍କୁ ରୋକିବାକୁ ଚେଷ୍ଟା କରିବାରୁ ସେ ସୀମାଙ୍କ ଉପରେ କିରୋସିନି ଢାଳି ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ ।
ଏହାପରେ ସୀମାଙ୍କ ଚିତ୍କାର ଶୁଣି ପଡୋଶୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇ ସୀମାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ତେବେ ତାଙ୍କ ଶରୀରର 80 ପ୍ରତିଶତ ଜଳିଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ଏପଟେ ଏହି ଘଟଣାକୁ ନେଇ ପିଡିତାଙ୍କ ପରିବାର ଲୋକେ ଥାନାରେ ଏକ ମାମଲା ରୁଜୁ କରିବା ସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।