ମୁମ୍ବାଇ: ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବଡ ବୟାନ ଦେଇଛନ୍ତି ରିପବ୍ଲିକାନ ପାର୍ଟିର ଅଧକ୍ଷ ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ । ସେ କହିଛନ୍ତି ଆମେ ଆରକ୍ଷଣ ବ୍ୟବସ୍ଥା ହଟାଇବାକୁ ପ୍ରସ୍ତୁତ ଅଛୁ କିନ୍ତୁ ପ୍ରଥମେ ଏ ଜାତିପ୍ରଥାକୁ ଉଚ୍ଛେଦ କରାଯାଉ ବୋଲି ସେ ମତ ରଖିଛନ୍ତି । ଜାତିପ୍ରଥା ଉଚ୍ଛେଦ ବିନା ସଂରକ୍ଷଣ ବ୍ୟବସ୍ଥା ପ୍ରତ୍ୟାହାର କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ରାମଦାସ ।
ଅଠାବଲେ କହିଛନ୍ତି ଆମେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିବାକୁ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛୁ କିନ୍ତୁ ଏହା ପୂର୍ବରୁ ପ୍ରଥମେ ସମାଜରୁ ଜାତି ବ୍ୟବସ୍ଥା ଶେଷ କରିବାକୁ ପଡିବ ବୋଲି ସେ ମତ ଦେଇଛନ୍ତି । ଆଜି ବି ଜାତି ଆଧାରରେ ହିଂସା ହେଉଛି , ନୀଚ୍ଚ ଜାତିର ଲୋକେ ପ୍ରତାଡିତ ହେଉଥିବା କଥା ସେ ଅଭିଯୋଗ କରିଛନ୍ତି । ତେବେ ଏପରି ସମୟରେ ନିମ୍ନ ଜାତିକୁ ସଂରକ୍ଷଣ ବ୍ୟବସ୍ଥା ଶକ୍ତି ଦେଇଥିବା କଥା ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେପର୍ଯ୍ୟନ୍ତ ସମାଜରେ ଜାତିପ୍ରଥା ପ୍ରଚଳିତ ଅଛି ସେ ପର୍ଯ୍ୟନ୍ତ ନିଚ୍ଚ ଜାତିକୁ ସଂରକ୍ଷଣ ମିଳିବା ନିହାତି ଜରୁରୀ । ତେବେ ସମାଜରୁ ଜାତି ପ୍ରଥା ଉଚ୍ଛେଦ କରାଗଲେ ସଂରକ୍ଷଣ ବ୍ୟବସ୍ଥା ପ୍ରତ୍ୟାହାର ସମ୍ଭବ ହୋଇପାରିବ ବୋଲି ସେ ମତ ଦେଇଛନ୍ତି ।
କେବଳ ଏତିକି ନୁହେଁ ମରାଠା ସମାଜକୁ ସେ ସ୍ବତନ୍ତ୍ର ଆରକ୍ଷଣ ବ୍ୟବସ୍ଥା ଦେବା କଥା ମଧ୍ୟ ଦୋହରାଇଛନ୍ତି । ମରାଠା ସମାଜରେ ସମସ୍ତେ ଆର୍ଥିକ ସ୍ବଚ୍ଛଳ ନଥିବା କଥା ମଧ୍ୟ ସେ ଉଠାଇଛନ୍ତି । ଜାତି ଭିତ୍ତିକ ଜନ ଗଣନାକୁ ମଧ୍ୟ ସେ ପୁର୍ଣ୍ଣ ସମର୍ଥନ କରିଥିବା ଦେଖିବାକୁ ମିଳିଛି । ଜାତି ଭିତ୍ତିକ ଜନ ଗଣନା ସପକ୍ଷରେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବେ ବୋଲି ମଧ୍ୟ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ