ନୂଆଦିଲ୍ଲୀ: ମିଳିମିଳା ରୋଗର ପ୍ରାର୍ଦୁଭାବକୁ ରୋକିବା ଲାଗି ମହାସାଗରୀୟ ଦ୍ଵୀପ ମାଲଦ୍ବୀପକୁ ତୁରନ୍ତ ସହାୟତାର ହାତ ବଢ଼ାଇଛି ଭାରତ। ଭାରତ ସରକାରଙ୍କ ‘ପ୍ରଥମେ ପଡ଼ୋଶୀ’ ନୀତିକୁ ଆଧାର କରି ଜରୁରୀକାଳୀନ ଭିତ୍ତିରେ ୩୦ ହଜାର ମିଜିଲ୍ସ ଆଣ୍ଡ ରୁବେଲା ( ଏମ୍ଆର୍) ଟୀକାକୁ ସେହି ଦେଶର ରାଜଧାନୀ ମାଲେ ଠାରେ ଉପଲବ୍ଧ କରାଯାଇପାରିଛି। ଏହି ସହାୟତା ଯୋଗାଡ଼ ପାଇଁ ମାଲଦ୍ବୀପକୁ ୪ ମାସ ସମୟ ଲାଗିଥାଆନ୍ତା । କିନ୍ତୁ ମାଲଦ୍ବୀପର ଅନୁରୋଧ କ୍ରମେ ମାତ୍ର 3ଦିନରେ ଭାରତ ଏହି ଟୀକାକୁ ଉପଲବ୍ଧ କରାଇ ଦ୍ବିପାକ୍ଷିକ ସମ୍ପର୍କର ଆଉ ଏକ ଅଧ୍ୟାୟ ଯୋଡିପାରିଛି ।
ଯଦିଓ ଏହି ଦେଶ ମିଜିଲ୍ସ ଆଣ୍ଡ ରୁବେଲା ( ଏମ୍ଆର୍)ରୁ ସମ୍ପୂର୍ଣ୍ଣ ମୁକ୍ତ ବୋଲି ସୂଚନା ରହିଛି, କିନ୍ତୁ କିଛିଦିନ ତଳେ ୪ଟି ନମୁନାରୁ ମିଜିଲ୍ସ ସ୍ପଷ୍ଟ ହୋଇଥିଲା। ଏଣୁ ଆଉ ଯେମିତି ମିଳିମିଳା ନ ବ୍ୟାପିବ ସେଥିଲାଗି ଟୀକା ଆବଶ୍ୟକ ପଡ଼ିଥିଲା। ଏହି ଟୀକା ଯୋଗାଣ ପାଇଁ ମାଲଦ୍ବୀପ ସରକାର ଡେନ୍ମାର୍କ ଓ ୟୁନିସେଫ୍ଙ୍କୁ ଅନୁରୋଧ କରିଥିଲେ। ହେଲେ ଏଥିଲାଗି ୪ ସପ୍ତାହ ସମୟ ଲାଗିବ ବୋଲି ସେଠାରୁ ଜବାବ ମିଳିଥିଲା। ଏଣୁ ପରବର୍ତ୍ତୀ ପର୍ଯ୍ୟାୟରେ ଭାରତକୁ ଟୀକା ଯୋଗାଇବାକୁ ଅନୁରୋଧ କରିଥିଲେ। ଏପରି ସ୍ଥିତିରେ ନୂଆଦିଲ୍ଲୀ ଜରୁରୀକାଳୀନ ସହାୟତାର ହାତ ବଢ଼ାଇଛି। ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆଠାରୁ ଭାରତ ସରକାର ୩୦ ହଜାର ଟୀକା ମାତ୍ର ତିନି ଦିନ ଭିତରେ ରାଜଧାନୀ ମାଲେ ସହରକୁ ପଠାଯାଇଛି।
ମାଲେରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ସଞ୍ଜୟ ସୁଧୀର ମାଲଦ୍ବୀପର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟଙ୍କୁ ଗତ ବୁଧବାର ଦିନ ଏହି ଟୀକା ହସ୍ତାନ୍ତର କରିଛନ୍ତି। ଭାରତର ଏହି ଦ୍ରୁତ କାର୍ଯ୍ୟଶୀଳତା ତଥା ସହାୟତା ପ୍ରମାଣିତ କରିଛି ଯେ, ଦୁଇ ଦେଶ ଭିତରେ ସମ୍ପର୍କ ସ୍ଥାପନାରେ ସ୍ଵାସ୍ଥ୍ୟ ଏକ ପ୍ରମୁଖ ବିଷୟ ହୋଇପାରେ। ଏ ବିଷୟରେ ଭାରତୀୟ ଦୂତାବାସ ପକ୍ଷରୁ ଜାରି ଲକ୍ ବିବୃତ୍ତିରେ କୁହାଯାଇଛି ଯେ, ଭାରତର ଏହି ଆଭିମୁଖ୍ୟ ‘ଭାରତର ପଡ଼ୋଶୀ ପ୍ରଥମେ’ ନୀତିକୁ ପ୍ରତିପାଦିତ କରିବା ସହ ମାଲଦ୍ବୀପର ଭାରତ ପ୍ରଥମେ ନୀତିକୁ ଶାଣିତ କରିଛି। ଏହାଦ୍ଵାରା ଉଭୟ ଦେଶର ନାଗରିକ ଉପକୃତ ହୋଇଛନ୍ତି ବୋଲି ଏହି ପ୍ରେସ୍ ବାର୍ତ୍ତାରେ କୁହାଯାଇଛି।
ଜୁନ୍, ୨୦୧୯ରେ ପ୍ରଧାନମନ୍ତ୍ରୀଙ୍କ ମାଲଦ୍ବୀପ ଗସ୍ତ ସମୟରେ ଭାରତ ଏବଂ ମାଲଦ୍ବୀପ ଚିକିତ୍ସା ବ୍ୟବସ୍ଥାରେ ସୁଧାର ତଥା ପରସ୍ପର ସହଯୋଗ ଲାଗି ଚୁକ୍ତିବଦ୍ଧ ହୋଇଥିଲେ। ଏହି କ୍ରମରେ ଡାକ୍ତରମାନଙ୍କୁ ତାଲିମ ପ୍ରଦାନ, ସେମାନଙ୍କ ଜ୍ଞାନ ପରିସୀମା ତଥା ବୁଦ୍ଧିମତାକୁ ଅଧିକରୁ ଅଧିକ ସଶକ୍ତ କରାଇବା, ରୋଗ ବାବଦରେ ଅଧିକ ଯାଞ୍ଚ କରିବା, ମାନସିକ ରୋଗ ଚିକିତ୍ସକଙ୍କୁ ତାଲିମ, ଏହି ଦ୍ଵୀପ ମହାଦେଶରେ ଡିଜିଟାଲ୍ ଚିକିତ୍ସା ସୁବିଧା ନିଶ୍ଚିତ କରାଇବା ଆଦି ପ୍ରସଙ୍ଗ ଏଥିରେ ସାମିଲ୍ ଥିଲା। ଭାରତ ପକ୍ଷରୁ ଘୋଷଣା କରାଯାଇଥିବା ୮୦୦ ମିଲିୟନ୍ ଆମେରିକୀୟ ଡଲାର ଋଣ ସହାୟତା ଧାରାରେ ସେଠାରେ ଏକ ସ୍ଵତନ୍ତ୍ର କ୍ୟାନ୍ସର ହସ୍ପିଟାଲ ନିର୍ମାଣ ପାଇଁ ଟାଟା ମେମୋରିଆଲ୍ କ୍ୟାନ୍ସର ସେଣ୍ଟର ମାଲ୍ଡିଭ୍ସର ହୁଲମୁଲେରେ ଏକ ଉନ୍ନତ ହସ୍ପିଟାଲ ଖୋଲିବା ପାଇଁ ଯୋଜନା କରିଛନ୍ତି।
ବିଗତ ସରକାର ଅର୍ଥାତ୍ ୟମିନ୍ ଶାସନ ସମୟରେ ଭାରତ-ମାଲଦ୍ବୀପ ସମ୍ପର୍କରେ କିଛିଟା ଭଟ୍ଟା ଆସିଥିଲା କିନ୍ତୁ ଗଣତାନ୍ତ୍ରିକ ଭାବେ ନିର୍ବାଚିତ ରାଷ୍ଟ୍ରପତି ସୋଲିହଙ୍କ ନେତୃତ୍ଵାଧୀନ ସରକାର ଏହି ଦ୍ଵିପାକ୍ଷିକ ସମ୍ପର୍କକୁ ପୁଣିଥରେ ଠିକଣା ରାସ୍ତାକୁ ଆଣିପାରିଛନ୍ତି। ଏହା ପ୍ରଥମ ଘଟଣା ନୁହେଁ ଯେ, ମାଲଦ୍ବୀପର ଆବଶ୍ୟକତାକୁ ମାନବିକ ଦୃଷ୍ଟିକୋଣରୁ ବିଚାର କରି ଭାରତ ସହାୟତାର ହାତ ବଢ଼ାଇଛି। ୨୦୧୫ ମସିହାରେ ଏମିତି ଏକ ଜରୁରୀକାଳୀନ ପରିସ୍ଥିତି ଉପୁଜି ଥିଲା ଯେତେବେଳେ ମାଲେରେ ପିଇବା ପାଣି ସଙ୍କଟ ସୃଷ୍ଟି ହୋଇଥିଲା। ଏଠାରେ ଥିବା ଆର୍ଓ ପାଣି ପ୍ଲାଣ୍ଟ ହଠାତ୍ ଖରାପ ହୋଇଯିବାରୁ ନୂଆଦିଲ୍ଲୀକୁ ରାତିଅଧିଆ ସହାୟତା ଯୋଗାଇବାକୁ ପଡ଼ିଥିଲା। ଗୋଟିଏ ଆର୍ଓ ପ୍ଲାଣ୍ଟ ସହ ଭାରତକୁ ପାଣି ଜାହାଜ ଦ୍ଵାରା ଏଠାରୁ ପିଇବା ପାଣି ପଠାଇବାକୁ ପଡ଼ିଥିଲା। ଏହାସହ ଜରୁରୀ କାଳୀନ ଭିତ୍ତିରେ ବିମାନ ସହାୟତାରେ ପାଣି ଯୋଗାଇଥିଲା ଭାରତ।
ଯେତେବେଳେ ସୁନାମୀ ବିଶ୍ଵର ବିଭିନ୍ନ ଦେଶକୁ ଆଘାତ ଦେଇଥିଲା ସେତେବେଳେ ମାଲଦ୍ବୀପ ଯଥେଷ୍ଟ କ୍ଷତି ସହିଥିଲା। ତେବେ ଏହି ଦେଶର ଅର୍ଥନୀତି ମୂଳତଃ ପର୍ଯ୍ୟଟନ ଉପରେ ନିର୍ଭରଶୀଳ। ୧୯୮୮ ମସିହାରେ ରାଜୀବଗାନ୍ଧୀଙ୍କ ସମୟରେ ଦିଆଯାଇଥିବା ସାମରିକ ସହାୟତା ମଧ୍ୟ ଏଠାରେ ଉଲ୍ଲେଖଯୋଗ୍ୟ । ସେତେବେଳେ ରାଜୀବଗାନ୍ଧୀଙ୍କ ସରକାର ରାଷ୍ଟ୍ରପତି ମାଉମୁନ୍ ଅବ୍ଦୁଲ୍ ଗାୟୁମ୍ଙ୍କ ଅନୁରୋଧ ରକ୍ଷା କରି ଅପରେସନ୍ କାକ୍ଟସ ଆରମ୍ଭ କରିଥିଲା। ଆଇଏଲ୍ ୭୬ ଯୋଗେ ପାରାଟ୍ରୁପ୍ ପଠାଇ ଦେଶର ପ୍ରତିରକ୍ଷା ଦିଗରେ ସହାୟକ ହୋଇପାରିଥିଲା ।
ସ୍ମିତା ଶର୍ମା