ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ ଏପରି ଜଣେ ବ୍ୟକ୍ତିଙ୍କ ଆବିର୍ଭାବ ଘଟିଥିଲା, ଯିଏ ଶୂନ୍ୟରୁ ଆଜି ଶିଖରରେ ପହଞ୍ଚିସାରିଛନ୍ତି । ତାଙ୍କର କଠିନ ପରିଶ୍ରମ ଓ ନିଷ୍ଠା ଯୋଗୁଁ ଲୋକେ ଏ ସମୟକୁ ତାଙ୍କ ନାଁରେ ହି ବିବେଚନା କରିଥାନ୍ତି । ଏ କାହାଣୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର, ଯାହାଙ୍କ ଲାଗି ଏ ଯୁଗକୁ ମୋଦି ଯୁଗର ଆଖ୍ୟା ଦିଅନ୍ତି ଜନସାଧାରଣ । ତେବେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରଚାରକରୁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ନରେନ୍ଦ୍ର ମୋଦି ଆଜି (ଗୁରୁବାର) 70 ବର୍ଷରେ ପାଦ ଦେଇଛନ୍ତି । ମୋଦିଙ୍କ ଜନ୍ମଦିନରେ କେବଳ ଭାରତର ସାଧାରଣ ଲୋକ କିମ୍ବା ନେତାମନ୍ତ୍ରୀ ନୁହେଁ, ବିଦେଶରୁ ମଧ୍ୟ ଛୁଟୁଛି ଶୁଭେଚ୍ଛାର ସୁଅ ।
ଲୋକପ୍ରୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଶ୍ବ ନେତା ଜଣାଇଛନ୍ତି ଶୁଭେଚ୍ଛା । ୟୁକେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପିଏମ ମୋଦିଙ୍କ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ସେ ଟ୍ବିଟ କରି କହିଛନ୍ତି, ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର 70 ତମ ଜନ୍ମଦିନରେ ଅନେକ ଶୁଭେଚ୍ଛା | ମୁଁ ଶୀଘ୍ର ଆପଣଙ୍କୁ ଭେଟିବାକୁ ଆଶା କରୁଛି ।
ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସାନ୍ନା ମାରିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତ ଏବଂ ଫିନଲ୍ୟାଣ୍ଡ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ସେ କହିଛନ୍ତି । ସେ କହିଛନ୍ତି, ଆପଣଙ୍କର 70 ତମ ଜନ୍ମଦିନ ଅବସରରେ, ମୁଁ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ଏବଂ ଆପଣଙ୍କ ସ୍ବାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ମୋର ଶୁଭକାମନା ।
ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ନେପାଳ ଏବଂ ଭାରତ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ଦିଗରେ ଦୁଇ ନେତା କାର୍ଯ୍ୟ ଜାରି ରଖିବେ। ଓଲି ଟ୍ବିଟ କରି କହିଛନ୍ତି, ଜନ୍ମଦିନର ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆମର ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ ଜାରି ରଖିବୁ।
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି | ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ ମୁଁ ଆପଣଙ୍କ ସହ ଗଠନମୂଳକ କଥାବାର୍ତ୍ତା ଜାରି ରଖିବାକୁ ଏବଂ ଦ୍ବିପାକ୍ଷିକ ତଥା ଆନ୍ତର୍ଜାତୀୟ ଏଜେଣ୍ଡାର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମିଳିତ ଭାବରେ କାର୍ଯ୍ୟ କରିବାକୁ ଅପେକ୍ଷା କରିଛି।
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ସେପ୍ଟେମ୍ବର 14 ତାରିଖରୁ 20 ତାରିଖ ଯାଏଁ ସେବା ସପ୍ତାହ ପାଳୁଛି ବିଜେପି । ଏହି ସମୟରେ ମଣ୍ଡଳରୁ ଆରମ୍ଭ କରି ବୁଥସ୍ତରୀୟ କର୍ମୀମାନେ ନିଜ ନିଜ ଅଞ୍ଚଳରେ କିଛି କିଛି କାମ କରିବାର କାର୍ଯ୍ୟକ୍ରମ ରହିଛି ।