ନୂଆଦିଲ୍ଲୀ: ଆସନ୍ତା 17 ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏହାସହ ଏକ ମାସ ପର୍ଯ୍ୟନ୍ତ ଚାଲିବାକୁ ଏହି ଅଧିବେଶନ ଉଭୟ ରାଜନୈତିକ ଓ ଅର୍ଥନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହେବାକୁ ଯାଉଛି । ଅଧିବେଶନ ପୂର୍ବରୁ ଶାସକ ବିଜେପିର ସମସ୍ତ ପୋଲ ଖୋଲିବାକୁ କଂଗ୍ରେସ ମଧ୍ୟ ଆରମ୍ଭ କରୁଛି ରଣନୀତି । ଆଜି ସଂଧ୍ୟାରେ ଏହି ପ୍ରସଙ୍ଗରେ ଦଳର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି । ଏହି ବୈଠକରେ ଦଳର ସମସ୍ତ ମହାସଚିବ, ରାଜ୍ୟ ପ୍ରଭାରୀ ଓ ଅନ୍ୟାନ୍ୟ ନେତା ଯୋଗଦେବେ ।
କଂଗ୍ରେସ ଘୋଷଣା କରିଛି ସଂସଦ ଅଧିବେଶନ ପୂର୍ବରୁ ସରକାରଙ୍କ ପଦକ୍ଷେପ ବିରୋଧରେ କାର୍ଯ୍ୟକ୍ରମ ଆରମ୍ଭ କରିବ । କଂଗ୍ରେସ ଯୋଜନା ଅନୁସାରେ ସରକାରଙ୍କୁ ବାହାରେ ଓ ଗୃହ ଭିତରେ ଘେରାଯିବ । ସେଥିପାଇଁ ରଣନୀତି ଆରମ୍ଭ ହେଉଛି । ସୋନିଆ ଚାହୁଁଛନ୍ତି ଦଳର ନେତା ମାନେ ସୋସିଆଲ ମିଡିଆରେ ଯେମିତି ସକ୍ରିୟ ରହୁଛନ୍ତି ଠିକ ସେମିତି ଲୋକଙ୍କ ସମସ୍ୟା ପାଇଁ ସକ୍ରିୟ ରହିବା ଦରକାର । ବର୍ତ୍ତମାନ କଂଗ୍ରେସ 1 ନଭେମ୍ବରରୁ 8 ନଭେମ୍ବର ପର୍ଯ୍ୟନ୍ତ ସାରା ଦେଶରେ 35ରୁ ଊର୍ଦ୍ଧ୍ବ ସାମ୍ବାଦିକ ସମ୍ମିଳନୀ କରିବ । ଏହା ଶେଷ ହେବାପରେ ଦଳ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି । ଏଠାରେ ସୂଚନା ଥାଉକି ଏହି ସବୁ କାର୍ଯ୍ୟକ୍ରମ ମୋଦି ସରକାରଙ୍କ ବିଭିନ୍ନ ନୀତି ଓ ଦୁର୍ବଳ ଅର୍ଥ ବ୍ୟବସ୍ଥା, ଚାଷୀ ସମସ୍ୟା ଓ ବେକାରୀକୁ ନେଇ ଅନୁଷ୍ଠିତ ହେବ ।
ଅନ୍ୟପଟେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କଂଗ୍ରେସ ଏହି କାର୍ଯ୍ୟକ୍ରମର ଆରମ୍ଭ କରୁଛି । ଦେଶର ସମସ୍ତ ରାଜ୍ୟର ରାଜଧାନୀ ଓ ବଡବଡ ସହରରେ ଦଳର ବରିଷ୍ଠ ନେତାମାନେ ସରକାରଙ୍କୁ ଏକ୍ସପୋଜ କରିବେ । ପରେ ସଂସଦ ଆରମ୍ଭ ହେଲେ ଦଳର ସାଂସଦମାନେ ଗୃହ ଭିତରେ ସରକାରଙ୍କୁ ଏହି ସବୁ ପ୍ରସଙ୍ଗରେ ଘେରିବେ ।