ନୂଆଦିଲ୍ଲୀ: ବିଶ୍ବରେ ଦିନକୁ ଦିନ କୋରୋନା ଭାଇରସର ସଂକ୍ରମଣ ବଢିବାରେ ଲାଗିଛି । ବିଶ୍ବର ଅନେକ ଦେଶ ଏହି ମହାମାରୀ ବିରୋଧରେ ଲଢୁଛନ୍ତି । ତେବେ ଭାରତ ସରକାର ମଧ୍ୟ ମହାମାରୀ କୋରୋନାକୁ ଦୂର କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପ୍ରଶଂସା କରିଛି।
କରୋନା ଭୂତାଣୁ ବିସ୍ତାର ରୋକିବା ପାଇଁ ଭାରତ ସରକାର କରିଥିବା କାର୍ଯ୍ୟକୁ ପ୍ରସଂଶା କରିଛନ୍ତି WHOର ମୁଖ୍ୟ ବୈଜ୍ଞାନିକ ଡ. ସୈମ୍ୟା ସ୍ବାମୀନାଥନ । ଏନେଇ ସେ କହିଛନ୍ତି, ଗତ ଦୁଇମାସ ମଧ୍ୟରେ ଭାରତ କୋରୋନା କିଟ୍ ପରୀକ୍ଷଣ କରିବାରେ ଆତ୍ମନିର୍ଭରଶୀଳ ହୋଇପାରିଛି। ଏହା ଭାରତ ପାଇଁ ଏକ ବଡ ସଫଳତା । ଭାରତ ସରକାର ପ୍ରାରମ୍ଭରୁ ବଡ ପଦକ୍ଷେପ ଗ୍ରହଣ କରିଥିଲେ । WHOର ପରାମର୍ଶକୁ ଆଧାର କରି ଜାନୁଆରୀ ମାସରୁ ହିଁ ପଦକ୍ଷେପ ଗ୍ରହଣ କରିଥିଲେ । ତେବେ ମହାମାରୀରୁ ଉତ୍ପନ୍ନ ତଥ୍ୟ ପରିଚାଳନା ଉପରେ ମଧ୍ୟ ଭାରତ ଧ୍ୟାନ ଦେବା ଉଚିତ୍ ବୋଲି ସ୍ବାମୀନାଥନ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 73ହଜାର 165ରେ ପହଞ୍ଚିଛି । ଏହି ମହାମାରୀ ଯୋଗୁଁ 19,268 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଦେଶରେ ବର୍ତ୍ତମାନ 2,44,814ଟି ସକ୍ରିୟ ମାମଲା ରହିଥିବାବେଳେ 4,09,083ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।