ନୂଆଦିଲ୍ଲୀ: ବିଶ୍ବର ଦୁଇ ଶକ୍ତିଶାଳୀ ନେତାଙ୍କ ସମ୍ପର୍କ କାହାକୁ ବା ଅଜଣା । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସୌହାର୍ଦ୍ଦପୂର୍ଣ୍ଣ ସମ୍ପର୍କ ସାରା ବିଶ୍ବ ଦେଖିସାରିଛି । ହାୱଡି ମୋଦି ଓ ନମସ୍ତେ ଟ୍ରମ୍ପ ଉଭୟ ନେତାଙ୍କ ମଧ୍ୟରେ ବନ୍ଧୁତ୍ବକୁ ପାଦେ ଆଗକୁ ନେଇଛି । ବର୍ତ୍ତମାନ ମଧ୍ୟ ମୋଦି ଓ ଟ୍ରମ୍ପ ଏକାଠି କୋରୋନା ବିରୋଧୀ ଲଢେଇର ନେତୃତ୍ବ ନେଇଛନ୍ତି ।
ଆଉ ଏହି ସମ୍ପର୍କ ଆମେରିକା ପାଇଁ କେତେ ମହତ୍ତ୍ବପୂର୍ଣ୍ଣ ତାହା ନିକଟରେ ଜଣାପଡିଛି । ଟ୍ରମ୍ପଙ୍କ ସରକାରୀ ବାସଭବନ ହ୍ବାଇଟ ହାଉସର ଟ୍ବିଟର ଆକାଉଣ୍ଟ ମୋଦିଙ୍କୁ ଫଲୋ କରିବା ଆରମ୍ଭ କରିଛି । ମୋଦିଙ୍କ ଅଫିସିଆଲ ଟ୍ବିଟରକୁ ଫଲୋ କରୁଛି ହ୍ବାଇଟ ହାଉସ ଟ୍ବିଟର । ଏହାସହ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପିଏମଓ ଟ୍ବିଟରକୁ ମଧ୍ୟ ହ୍ବାଇଟ ହାଉସ ଫଲୋ କରୁଛି । ଏପରି ହେବାରେ ମୋଦି ଓ କୋବିନ୍ଦ ବିଶ୍ବର ପ୍ରଥମ ନେତା । ହ୍ବାଇଟ ହାଉସ ମୋଟ 19ଟି ଆକାଉଣ୍ଟକୁ ଫଲୋ କରୁଥିବାବେଳେ ବିଶ୍ବର ଅନ୍ୟ କୌଣସି ନେତାଙ୍କୁ ଫଲୋ କରୁନି ।
ଏହାସହ ଆମେରିକା ଓ ଭାରତରେ ଥିବା ଉଭୟ ଦେଶର ଦୂତାବାସ ଏବଂ ଭାରତରେ ଆମେରିକୀୟ ରାଷ୍ଟ୍ରଦୂତଙ୍କ ଅଫିସିଆଲ ଆକାଉଣ୍ଟକୁ ମଧ୍ୟ ଫଲୋ କରୁଛି ଆମେରିକା । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ପୋପ ଫ୍ରାନସିସଙ୍କ ପରେ ଟ୍ବିଟରରେ ମୋଦିଙ୍କର ବିଶ୍ବର ତୃତୀୟ ସର୍ବାଧିକ ଫଲୋଅର୍ସ ଅଛନ୍ତି । ତାଙ୍କ ଆକାଉଣ୍ଟକୁ 42 ମିଲିୟନ ଓ ପିଏମଓକୁ 26 ମିଲିୟନ ଲୋକ ଫଲୋ କରନ୍ତି ।