କୋଲକାତା: ଉତ୍ତର-ପୂର୍ବ ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡକୁ କଡା ନିନ୍ଦା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହା ସହିତ ସେ ଏହାକୁ ଏକ ଯୋଜନାବଦ୍ଧ ନରସଂହାର ବୋଲି କହିଛନ୍ତି ।
ତୃଣମୂଳ କଂଗ୍ରେସର ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନେଇ କହିଛନ୍ତି, 'ଦିଲ୍ଲୀରେ ଘଟିଥିବା ଘଟଣାକୁ ନେଇ ମୁଁ ଅତ୍ୟନ୍ତ ଦୁଃଖିତ । ଏହାକୁ ମୁଁ କଡା ନିନ୍ଦା କରୁଛି । ମୁଁ ଭାବୁଛି ଏହା ଏକ ଯୋଜନାବଦ୍ଧ ନରସଂହାର । ଆମକୁ ନିଜ ମନ ଭିତରେ ଥିବା ଅହଙ୍କାରକୁ ଦୂରେଇ ରଖି ଅଧିକରୁ ଅଧିକ ଲୋକଙ୍କୁ ସାହାଯ୍ୟ କରିବାକୁ ପଡିବ । '
ଏହା ସହିତ ସେ ଉତ୍ତେଜନାମୂଳକ ଭାଷଣ ଦେଇଥିବା ନେତାଙ୍କ ଗିରଫ ଦାବି କରି କହିଛନ୍ତି, କୋଲକାତାରେ ଉତ୍ତେଜନାମୂଳକ ସ୍ଲୋଗାନ ଦେଇଥିବାରୁ ତିନି ଜଣ ନେତାଙ୍କୁ ଗିରଫ କରାଯାଇଛି । କିନ୍ତୁ ଦିଲ୍ଲୀରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଉତ୍ତେଜନାମୂଳକ ଭାଷଣ ଦେଇଥିବା ବିଜେପି ନେତାଙ୍କୁ ଏବେ ସୁଦ୍ଧା ଗିରଫ କରାଯାଇନାହଁ । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ନାଗରିକତା ସଂଶୋଧନ ଆଇନ୍କୁ ନେଇ ଉତ୍ତର-ପୂର୍ବ ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡରେ ଏବେ ସୁଦ୍ଧା 46 ଜଣ ପ୍ରାଣ ହରାଇସାରିଲେଣି । ଏନେଇ ଉଭୟ ବିରୋଧୀ ଏବଂ ଶାସକ ଦଳ ପରସ୍ପର ଉପରେ ଆରୋପ ଲଗାଉଛନ୍ତି । ଇତି ମଧ୍ୟରେ ଗତକାଲି ଗୃହମନ୍ତ୍ରୀ ଅମିତ ଶାହ କୋଲକାତାର ଏକ ରାଲିରେ ଯୋଗ ଦେଇ ମମତା ବାନାର୍ଜୀଙ୍କ ସରକାର ଉପରେ ହିଂସା ଏବଂ ଗୁଣ୍ଡାଗର୍ଦ୍ଦୀ କରୁଥିବା ଅଭିଯୋଗ କରିଥିଲେ ।
@ANI