ନୂଆଦିଲ୍ଲୀ: ସୋମବାର ଲୋକସଭାରେ ଆଗତ ହେବ ବହୁଚର୍ଚ୍ଚିତ ନାଗରିକ ସଂଶୋଧନ ବିଲ (ସିଏବି) । ସୋମବାର ପ୍ରଥମାର୍ଦ୍ଧରେ ଗୃହମନ୍ତ୍ରୀ ଅମିତ ଶାହା ଏହି ବିଲକୁ ଲୋକସଭାରେ ଆଗତ କରିବେ । ଏହାପୂର୍ବରୁ ସରକାର ବିରୋଧୀଙ୍କ ବିରୋଧକୁ ସାମନା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି । ଶାସକ ଦଳ ଯେକୌଣସି ମତେ ଏହି ବିଲକୁ ଉଭୟ ସଦନରେ ପାରିତ କରାଇବାକୁ ଯୋଜନା କରିଛନ୍ତି ।
ଅନ୍ୟପଟେ ବିଲକୁ ବିରୋଧ କରିବା ପାଇଁ ବିରୋଧୀ ଯୋରଦାର ଉଦ୍ୟମ କରିବେ । କଂଗ୍ରେସ ନେତୃତ୍ବରେ ବିରୋଧୀ ଆଜି ସିଏବି ବିଲକୁ ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି । କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଏହି ବିଲକୁ ଆମେ ବିରୋଧ କରିବୁ । ସେ ଆହୁରି କହିଛନ୍ତି ବିଲର ଦାନ୍ତ, ନଖ ସବୁକୁ ବିରୋଧ କରାଯିବ । କାହିଁକି ନା ଏହି ବିଲ ଆମ ସମ୍ବିଧାନ ବିରୋଧୀ, ଧର୍ମନିରପେକ୍ଷ, ସଂସ୍କୃତି, ପରମ୍ପରା ସବୁ କିଛି ଉଲ୍ଲଘଂନ କରୁଛି ଏହି ବିଲ ବୋଲି ସେ କହିଛନ୍ତି ।
ତେବେ ଲୋକସଭାରେ ଶାସକ ଦଳର ପଲ୍ଲାଭାରି ଥିବାରୁ ବିଲକୁ ସରକାର ଅନାୟସରେ ପାରିତ କରାଇ ନେବେ । ରାଜ୍ୟସଭାରେ ସରକାରଙ୍କୁ ଯଦିଓ ଯୋରଦାର ବିରୋଧର ସାମନା କରିବାକୁ ପଡିବ ତଥାପି ଗତ ଅଧିବେଶନରେ ଯେମିତି ସରକାର ଗୋଟିଏ ପରେ ଗୋଟିଏ ବିଲକୁ ପାରିତ କରାଇବାରେ ସଫଳ ହେଲେ ସେହି ଦୃଷ୍ଟିରୁ ଏହି ବିଲ ମଧ୍ୟ ପାରିତ କରାଇବାରେ ସଫଳ ହୋଇପାରନ୍ତି ।