ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଗସ୍ତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଏହି ଗସ୍ତରେ ସେମାନେ ପୁଲୱାମା ଆତ୍ମଘାତୀ ଆକ୍ରମଣରେ ଶହୀଦ ହୋଇଥିବା ସାମଲି ଗାଁର ୨ ଯବାନଙ୍କ ଘରେ ପହଞ୍ଚିଥିଲେ । ଦୁହେଁ ଶଦୀହ ଅମିତ କୁମାର କୌରୀ ଓ ପ୍ରଦୀପ କୁମାର ପ୍ରଜାପତିଙ୍କ ଘରେ ପହଞ୍ଚି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ଶହୀଦ ପରିବାରକୁ ସମବେଦନା ଜଣାଇବା ସହ ଧନ୍ୟବାଦ ଦେଇଛନ୍ତି ଏହି ଭାଇ ଭଉଣୀ । ଦେଶର ଯବାନଙ୍କ ପାଇଁ ଦେଶ ସୁରକ୍ଷିତ ଆଉ ଏଥିପାଇଁ ସେ ଧନ୍ୟବାଦ ଦେବାକୁ ମଧ୍ୟ ଭୁଲି ନାହାନ୍ତି । ରାହୁଲ ଅମିତ କୁମାର କୌରୀଙ୍କ ଶୋକ ସଭାକୁ ସମ୍ବୋଧିତ କରି କହିଛନ୍ତି ଯେ ଆମ ବାପା ମଧ୍ୟ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲେ । ତେଣୁ ଆମେ ଜାଣିଛୁ ତୁମ ହୃଦୟରେ କେମିତି ଯନ୍ତ୍ରଣାଦାୟକ ହେଉଛି । ଏହି ଦୁଃଖ ସମୟରେ ଆମେ ଆପଣଙ୍କ ସହ ଅଛୁ । ଏପରି ଶହୀଦଙ୍କ ପରିବାର ଉପରେ ଦେଶ ଗର୍ବ କରୁଛି ।
ଏଲଟିଟି ଆତଙ୍କବାଦୀ ସଙ୍ଗଠନର ଆତ୍ମଘାତୀ ଆକ୍ରମଣରେ ୧୯୯୧ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ପ୍ରାଣ ହରାଇଥିଲେ । ଏହି ଶୋକସଭାରେ ରାହୁଲ ଓ ପ୍ରିୟଙ୍କାଙ୍କ ସହ କଂଗ୍ରେସ ସାଂସଦ ଜ୍ୟାତିରାଦିତ୍ୟ ସିନ୍ଧିଆ ଓ ରାଜ ବବ୍ବର ମଧ୍ୟ ଉପସ୍ଥିତ ଥିଲେ ।
ଫେବୃଆରୀ ୧୪ରେ କଶ୍ମୀରର ପୁଲୱାମା ସ୍ଥିତ ଅବନ୍ତିପୋରାରେ ଏକ ଆତ୍ମଘାତୀ ଆକ୍ରମଣରେ ୪୦ରୁ ଅଧିକ ଯବାନ ଶହୀଦ ହୋଇଥିଲେ । ଏହି ଆକ୍ରମଣ ପାଇଁ ଜୈଶ-ଇ-ମହମ୍ମଦ ନିଜକୁ ଦାୟୀ କରିଥିଲା । ପରେ ଏହାର ମାଷ୍ଟର ମାଇଣ୍ଡ ରଶିଦ ଗାଜାକୁ ଭାରତୀୟ ସେନା ନିପାତ କରିବାରେ ସକ୍ଷମ ହୋଇଥିଲେ ।