ଗାନ୍ଧୀନଗର: ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ କୋରୋନା ନେଗେଟିଭ୍ ଚିହ୍ନଟ ହୋଇଛନ୍ତି । ସେ ବର୍ତ୍ତମାନ ସୁସ୍ଥ ଥିବା ସୂଚନା ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।
ଡ଼ଃ ଅତୁଲ୍ ପଟେଲ୍ ଓ ଡ଼ଃ ଆରକେ ପଟେଲ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଏହି ସୂଚନା ଦେଇଛନ୍ତି । ପ୍ରକାଶଥାଉକି, ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇଥିବା ସ୍ଥାନୀୟ କଂଗ୍ରେସ ବିଧାୟକ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ବିଜୟ ରୂପାଣୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।
ତେବେ ସତର୍କତାମୂଳକ ପଦକ୍ଷେପ ଭାବରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଏବେ ଘରେ ରହି ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ବୈଠକ ପରିଚାଳନା କରିବେ । ଏହାସହ ଗାନ୍ଧୀନଗର ସ୍ଥିତ ତାଙ୍କ ବାସଭବନରେ କୌଣସି ବାହାର ବ୍ୟକ୍ତିଙ୍କୁ ଯିବାକୁ ଅନୁମତି ଦିଆଯିବନି ବୋଲି କୁହାଯାଇଛି ।