ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶରେ ଦେଶଭକ୍ତି ଓ ରାଷ୍ଟ୍ରବାଦକୁ ନେଇ ଚର୍ଚ୍ଚା ଚାଲିଛି । ୨୦୧୪ ପରେ ଭାରତରେ ଦେଶଭକ୍ତିର ନୂଆ ନୂଆ ସଂଜ୍ଞା ସବୁ ଗଢାଯାଇଛି । 'ଭାରତ ମାତା କି ଜୟ' କହିବା ଦେଶଭକ୍ତିର ପରିଚୟ ବୋଲି ରାଜନେତାମାନେ ଦାବି କରୁଛନ୍ତି । ଏହାସହ ବିଗତ ଦିନରେ ପୁଲୱାମା ଆକ୍ରମଣ ପରେ ଦେଶରେ ଏକ ଅଲଗା ପ୍ରକାର ଦେଶଭକ୍ତି ଦେଖା ଦେଇଥିଲା । ଭାରତୀୟ ବାୟୁସେନାରପିଓକରେ ଏୟାର ଷ୍ଟ୍ରାଇକ ପରେ ଦେଶର ଅରୋପ ପ୍ରତ୍ୟାରୋପର ପର୍ବ ଆରମ୍ଭ ହୋଇଥିଲା । ଏୟାର ଷ୍ଟ୍ରାଇକର ପ୍ରମାଣ ମାଗୁଥିବା ବ୍ୟକ୍ତିଙ୍କ ଦେଶଭକ୍ତିକୁ ନେଇ ପ୍ରଶ୍ନ ଉଠାଯାଇଥିଲା ।
ଏସବୁ ଭିତରେ ଦେଶର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ରାଷ୍ଟ୍ରବାଦ ଉପରେ ଦେଇଛନ୍ତି ବଡ ମନ୍ତବ୍ୟ । 'ଭାରତ ମାତା କି ଜୟ' ବା 'ଜୟ ହୋ'ର ଅର୍ଥ ରାଷ୍ଟ୍ରବାଦ ହୋଇ ନଥାଏ । ସମସ୍ତଙ୍କ ଜୟ ହେଉତାହା ହେଉଛି ପ୍ରକୃତ ଦେଶଭକ୍ତି । ଯଦି ଆପଣ ଧର୍ମ, ଜାତି, ସହର ଓ ଗାଁକୁ ଆଧାର କରି ଲୋକଙ୍କ ମଧ୍ୟରେ ଭେଦଭାବ କରିବେ ତେବେ ତାହା ପ୍ରକୃତରେ 'ଭାରତ ମାତା କି ଜୟ' ହେବ ନାହିଁ ବୋଲି ଉପରାଷ୍ଟ୍ରପତି କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି । ଆମକୁ ଉପନିବେଶକ ମାନସିକତାକୁ ସଂପୂର୍ଣ୍ଣ ରୂପେ ଶେଷ କରିବାକୁ ପଡିବ । ପ୍ରକୃତ ଇତିହାସ, ପ୍ରାଚୀନ ସଭ୍ୟତା, ସଂସ୍କୃତି ଓ ଆମ ପୂର୍ବ ପୁରୁଷଙ୍କ ବିଷୟରେ ଅଧ୍ୟୟନ କରାଇବାର ଆବଶ୍ୟକତା ରହିଛି । ବିଦ୍ୟାର୍ଥୀଙ୍କ ମଧ୍ୟରେ ରାଷ୍ଟ୍ରବାଦର ମୂଳ ଭାବନା ସ୍ଥାପିତ କରିବାକୁ ପଡିବ ବୋଲି ଉପରାଷ୍ଟ୍ରପତି କହିଛନ୍ତି ।