ଲକ୍ଷ୍ନୌ: ଉତ୍ତରପ୍ରଦେଶର ହମିରପୁର ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନ ପାଇଁ ଭୋଟଗ୍ରହଣ ଆରମ୍ଭ ହୋଇଯାଇଛି । ସକାଳ 7ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ ମତଦାନ। ସେପ୍ଟେମ୍ବର 27ରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ । ଏହି ନିର୍ବାଚନରେ ବିଜେପି, କଂଗ୍ରେସ, ଏସପି, ବିଏସପି ଏବଂ ସିପିଆଇ ମଧ୍ୟରେ ଟକ୍କର ଚାଲିଛି । ପ୍ରାୟ 4 ଲକ୍ଷ 1 ହଜାର 497 ମତଦାତା ନିଜର ମତାମତ ସାବ୍ୟସ୍ତ କରିବେ ।
ବିଜେପିରୁ ଯୁବରାଜ ସିଂହ, କଂଗ୍ରେସରୁ ଦୀପକ ନିଷାଦ, ଏସପିରୁ ମନୋଜ କୁମାର ପ୍ରଜାପତି, ବିଏସପିରୁ ନୌଶାଦ ଏବଂ ସିପିଆଇରୁ ଆଲମ ମନସୁର ହମିରପୁର ଉପନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି । ଭୋଟ ଗ୍ରହଣ ପାଇଁ 257ଟି ମତଦାନ କେନ୍ଦ୍ର ଏବଂ 572ଟି ଇଭିଏମ ଏବଂ 619 ଭିଭିପାଟ ମେସିନ ଲଗାଯାଇଛି।
ନିର୍ବାଚନକୁ ଶୃଙ୍ଖଳିତ, ନିରପେକ୍ଷ ଏବଂ ସୁରୁଖୁରୁରେ ସମ୍ପନ୍ନ କରିବା ଲାଗି ପୋଲିସ ଫୋର୍ସ ମୁତୟନ କରାଯାଇଛି । ତାଛଡା 36 ସେକ୍ଟର ମାଜିଷ୍ଟ୍ରେଟ, 4 ଜଣ ଜୋନାଲ ମାଜିଷ୍ଟ୍ରେଟ ଏବଂ 35 ମାଇକ୍ରୋ ଅବର୍ଜରଭରଙ୍କୁ ନିୟୋଜିତ କରାଯାଇଛି। ତେବେ ହମିରପୁରର ବିଜେପି ବିଧାୟକ ଅଶୋକ କୁମାର ସିଂହ ଚନ୍ଦେଲ 22 ବର୍ଷ ପୂର୍ବେ 1997 ମସିହାରେ ହୋଇଥିବା ଏକ ହତ୍ୟାକାଣ୍ଡ ମାମଲାରେ ଜେଲ ଯାଇଥିଲେ । ତାଙ୍କୁ ଆଜୀବନ କାରାଦଣ୍ଡ ମିଳିବା ପରେ ତାଙ୍କର ବିଧାୟକ ପଦ ଚାଲି ଯାଇଥିଲା ।