ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ସୋମବାର ବିଳମ୍ବିତ ରାତିରେ 14 ଆଇପିଏସ ଅଫିସରଙ୍କ ବଦଳି କରାଯାଇଛି । 9ଟି ଜିଲ୍ଲାରେ ଏପରି ପରିବର୍ତ୍ତନ କରାଯାଇଛି । ସରକାରଙ୍କ ଦ୍ବାରା ପ୍ରକାଶିତ ଏହି ତାଲିକାରେ କାନପୁରର ଏସଏସପି ଅନନ୍ତ ଦେବ ଓ ସୀତାପୁରର ଏସଏସପି ଏଲଆର କୁମାରଙ୍କୁ ଡିଆଇଜି ପଦବୀକୁ ପଦୋନ୍ନତି ଦିଆଯାଇଛି।
69 ହଜାର ଶିକ୍ଷକ ନିଯୁକ୍ତି ଘୋଟାଲା ସାମ୍ନାକୁ ଆଣିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ପ୍ରୟାଗରାଜ ଏସଏସପି ସତ୍ୟାର୍ଥ ଅନିରୁଦ୍ଧଙ୍କୁ କୌଣସି ଜିଲ୍ଲାରେ ପୋଷ୍ଟିଂ କରାଯାଇ ନାହିଁ । ଅନ୍ୟପକ୍ଷରେ ଅଭିଷେକ ଦୀକ୍ଷିତଙ୍କୁ ପ୍ରୟାଗରାଜର ନୂତନ ଏସଏସପି ଭାବରେ ନିଯୁକ୍ତ କରାଯାଇଛି। ତେବେ ସତ୍ୟାର୍ଥ ଅନନିରୁଦ୍ଧଙ୍କୁ ୱେଟିଂ ଲିଷ୍ଟରେ ରଖିବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ।
କାନପୁର ଏସଏସପି ଅନନ୍ତ ଦେବଙ୍କୁ ପଦୋନ୍ନତି କରି ଡିଆଇଜି ଏସଟିଏଫ ପଦବୀ ଦିଆଯାଇଛି । ଦୀର୍ଘଦିନ ପରେ ଏସଟିଏଫରେ ଡିଆଇଜି ପୋଷ୍ଟିଂ କରାଯାଇଛି । ଏହାସହ ସିତାପୁର ଏସପି ପଦବୀରେ ଥିବା ଏଲଆର କୁମାରଙ୍କୁ ଡିଆଇଜି ପଦବୀ ଦିଆଯାଇଛି । ଏହାପୂର୍ବରୁ ମଧ୍ୟ ରବିବାର 7 ଜଣ ଆଇପିଏସ ଅଧିକାରୀଙ୍କୁ ଟ୍ରାନ୍ସଫର କରାଯାଇଥିଲା ।
ଶାହରନପୁରର ଏସଏସପି ଦିନେଶ କୁମାର ପି ଙ୍କୁ କାନପୁର ନଗରର ଏସଏସପି କରାଯାଇଛି। ଶାହାଜାହାନପୁରର ଏସଏସପି ଏସ ଚନପ୍ପାଙ୍କୁ ସହାରନପୁର ପଠାଯାଇଛି। ଡିଜିପି ମୁଖ୍ୟାଳୟରେ ଏସପି କ୍ରାଇମ ଭାବରେ ପୋଷ୍ଟ କରାଯାଇଥିବା ଏସ ଆନନ୍ଦଙ୍କୁ ଶାହାଜାହାନପୁରର ଏସପି କରାଯାଇଛି।