ନୂଆଦିଲ୍ଲୀ: ଦେଶରେ ଲକଡାଉନ ଜୁନ 8ରୁ ଶେଷ ହେବ ଏବଂ ଅନଲକ ୱାନ ଆରମ୍ଭ ହେବ । ଲକଡାଉନ କେବଳ କଣ୍ଟେନମେଣ୍ଟ ଜୋନରେ ଜୁନ 30 ପର୍ଯ୍ୟନ୍ତ ଲାଗୁ ହେବ । କେବଳ କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକ ସେବା ପାଇଁ ଅନୁମତି ଦିଆଯିବ ଏବଂ ରାତି 9 ଟାରୁ 5 ଟା ପର୍ଯ୍ୟନ୍ତ ସାରା ଦେଶରେ ରାତ୍ରି କର୍ଫ୍ୟୁ ଲାଗୁ ହେବ । ଶନିବାର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି ଯେ, ସମଗ୍ର ଜୀବନ ବ୍ୟବସ୍ଥାକୁ ଟ୍ରାକକୁ ଫେରାଇ ଆଣିବା ପାଇଁ 3ଟି ପର୍ଯ୍ୟାୟରେ ଉଦ୍ୟମ କରାଯିବ। ଏହା ଅଧୀନରେ ରାଜ୍ୟମାନଙ୍କୁ ବ୍ୟାପକ କ୍ଷମତା ଦିଆଯାଇଛି ।
ତିନୋଟି ପର୍ଯ୍ୟାୟରେ ଦେଶ ଖୋଲିବ
ପ୍ରଥମ ପର୍ଯ୍ୟାୟ - ଜୁନ 8ରୁ ଧାର୍ମିକ ସ୍ଥାନ, ସପିଂ ମଲ୍, ରେସ୍ତୋରାଁ ଖୋଲିବ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏଥିପାଇଁ ଏସଓପି ଜାରି କରିବ ।
ଦ୍ୱିତୀୟ ପର୍ଯ୍ୟାୟ- ଜୁଲାଇରେ ସ୍କୁଲ-କଲେଜ ଖୋଲିବାକୁ ନିଷ୍ପତ୍ତି ନିଆଯିବ ।
ତୃତୀୟ ପର୍ଯ୍ୟାୟ- ପରିସ୍ଥିତିର ସମୀକ୍ଷା ପରେ ହିଁ ଅନ୍ତର୍ଜାତୀୟ ବିମାନ, ମେଟ୍ରୋ, ସିନେମା, ଜିମ, ସୁଇମିଂ ପୁଲ, ବାର, ଆସେମ୍ବଲି ହଲ ଖୋଲିବାକୁ ନିଷ୍ପତ୍ତି ନିଆଯିବ ।
ଆନ୍ତଃରାଜ୍ୟ ପରିବହନ ଉପରେ ପ୍ରତିବନ୍ଧକ ଲଗାଯିବ ନାହିଁ । ଯଦିଓ ରାଜ୍ୟ ଚାହିଁଲେ ଏହି ପରିବହନକୁ ନିୟନ୍ତ୍ରଣ କରିପାରିବ, କିନ୍ତୁ ଏହା ଲୋକଙ୍କୁ ଆଗରୁ ଜଣାଇବାକୁ ପଡିବ ।
65 ବର୍ଷରୁ ଅଧିକ ଲୋକ, ଗର୍ଭବତୀ ମହିଳା, ପୂର୍ବରୁ ରୋଗରେ ପୀଡିତ ବ୍ୟକ୍ତି, 10 ବର୍ଷରୁ କମ୍ ପିଲାଙ୍କୁ ଘରେ ରହିବା ପାଇଁ କୁହାଯାଇଛି । କେବଳ ଜରୁରୀ କାର୍ଯ୍ୟ ଏବଂ ସ୍ୱାସ୍ଥ୍ୟ ସୁବିଧା ପାଇଁ ବାହାରକୁ ଯାଆନ୍ତୁ ।
ସାମାଜିକ ଦୂରତା ଅନୁସରଣ କରିବା ଆବଶ୍ୟକ
ପୂର୍ବ ପରି, ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅନୁସରଣ କରିବା ଆବଶ୍ୟକ ରହିଛି । ଅତ୍ୟଧିକ ଭିଡ କରିବା ନିଷେଧ ଅଟେ । ପ୍ରାୟ 50 ଜଣ ଲୋକ ବିବାହ କାର୍ଯ୍ୟରେ ଏକାଠି ହୋଇପାରିବେ । ଅନ୍ତିମ ସଂସ୍କାର ପାଇଁ 20ରୁ ଅଧିକ ଲୋକଙ୍କୁ ଏକାଠି ହୋଇପାରିବେ ନାହିଁ ।
ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଉପରେ ପ୍ରତିବନ୍ଧକ ଜାରି ରହିବ। ସର୍ବସାଧାରଣ ସ୍ଥାନରେ ପାନ, ଗୁଟଖା ଏବଂ ମଦ୍ୟପାନ ନିଷେଧ ।
ଓ୍ବାର୍କ ଫ୍ରମ ହୋମକୁ ପ୍ରୋତ୍ସାହିତ କରନ୍ତୁ
ଯଥାସମ୍ଭବ ଲୋକମାନେ ଘରୁ କାମ କରିବା ଉଚିତ । ଓ୍ବାର୍କ ଫ୍ରମ ହୋମକୁ ପ୍ରୋତ୍ସାହିତ କରନ୍ତୁ । କର୍ମକ୍ଷେତ୍ରରେ ସ୍କ୍ରିନିଂ ଏବଂ ସ୍ୱଚ୍ଛତାର ସମ୍ପୂର୍ଣ୍ଣ ବ୍ୟବସ୍ଥା ହେବା ଉଚିତ । ସାନିଟାଇଜେସନ କରାଯିବା ଉଚିତ ।
କେନ୍ଦ୍ର ସରକାର ସାପ୍ତାହିକ ସମୀକ୍ଷା କରିବେ
କେନ୍ଦ୍ର ସରକାର ଏହି ମାମଲାରେ ସାପ୍ତାହିକ ସମୀକ୍ଷା କରିବେ ଏବଂ ଏହି ସାପ୍ତାହିକ ସମୀକ୍ଷା ସମୟରେ ଯଦି ପରିସ୍ଥିତି ଗୁରୁତର ବୋଲି ଜଣାପଡେ ତେବେ ଦିଆଯାଇଥିବା ସୁବିଧା ମଧ୍ୟ ପ୍ରତ୍ୟାହାର କରାଯାଇପାରିବ। ମନେରଖନ୍ତୁ ଯେ 24 ମାର୍ଚ୍ଚ 2020 ଠାରୁ କେନ୍ଦ୍ର ସରକାର ସାରା ଦେଶରେ କଡା ଲକ ଲଗାଇଥିଲେ । ଆବଶ୍ୟକ କାର୍ଯ୍ୟକଳାପ କିମ୍ବା କାର୍ଯ୍ୟ ବ୍ୟତୀତ ସମସ୍ତ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ପରବର୍ତ୍ତୀ ସମୟରେ, କୋଭିଡ-19 ର ବିସ୍ତାରକୁ ରୋକିବା ପାଇଁ ବ୍ୟାପକ ଉଦ୍ଦେଶ୍ୟକୁ ଧ୍ୟାନରେ ରଖି ଲକଡାଉନ୍ ପଦକ୍ଷେପଗୁଡ଼ିକ ଧୀରେ ଧୀରେ କୋହଳ କରାଯାଇଛି ।