ଜୟପୁର: ବଦଳୁଛି ସମାଜ । ପରିବର୍ତ୍ତନଶୀଳ ସମାଜରେ ଆଧୁନିକତା ଛାପରେ ସାମାଜିକ ରୀତିନୀତି ଓ ମୂଲ୍ୟବୋଧକୁ ପାଶୋରି ଯାଉଛନ୍ତି ଲୋକେ । ଘଟାଉଛନ୍ତି ଅନେକ ବିଚିତ୍ର କାଣ୍ଡ । ସେଭଳି କିଛି ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନ ଭରତପୁର ଜିଲ୍ଲା କସ୍ବା ଅଞ୍ଚଳରୁ । ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ଆତ୍ମୀୟ ସ୍ବଜନ ଡିଜେ ବଜାଇ ନାଚି ଗାଇ ଅନ୍ତିମ ସଂସ୍କାର ପାଇଁ ନେଉଛନ୍ତି । ଯାହା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।
ସୂଚନା ଅନୁଯାୟୀ, କସ୍ବା ଅଞ୍ଚଳରେ ଜଣେ 115 ବର୍ଷୀୟ ବୃଦ୍ଧ ଦୁର୍ଗ ସିଂହଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ତାଙ୍କ ପରିବାର ସଦସ୍ୟ ଓ ଆତ୍ମୀୟ ଡିଜେ ବଜାଇ ନାଚି ନାଚି ତାଙ୍କ ଅନ୍ତିମ ଶୋଭାଯାତ୍ରାରେ ବାହାରିଥିଲେ । ଯେଉଁଥିରେ କେବଳ ପୁରୁଷ ନୁହଁନ୍ତି ବରଂ ମହିଳାମାନେ ମଧ୍ୟ ଖୁସିରେ ମସଗୁଲ ହୋଇ ନାଚୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ବୃଦ୍ଧଙ୍କ ପରିବାରର କହିବା ଅନୁଯାୟୀ, ବୃଦ୍ଧଙ୍କ ଦେହାନ୍ତ ଦୁଃଖ ଦେଇଥିଲେ ମଧ୍ୟ ସେ ଏକ ଲମ୍ବା ଜୀବନ ଜୀଇଁଥିବାରୁ ସେଥିପାଇଁ ପୁରା ପରିବାର ଖୁସି ଅଛନ୍ତି । ଏଣୁ ତାଙ୍କୁ ହସଖୁସିରେ ବିଦା କରାଯାଇଛି ।
ରାଜସ୍ଥାନର ଗ୍ରାମୀଣ ଅଞ୍ଚଳରେ ଦୀର୍ଘ ଜୀବନ ବଞ୍ଚିବା ପରେ କୌଣସି ବୃଦ୍ଧଙ୍କର ବିୟୋଗ ହେଲେ ବାଜା ବଜାଇ ତାଙ୍କ ଅନ୍ତିମ ଶୋଭାଯାତ୍ରା କରାଯାଉଥିବା ଅନେକ ସମୟରେ ଦେଖାଯାଏ । ମାତ୍ର ଭରତପୁର ଅଞ୍ଚଳରେ ଡିଜେର ତାଳେ ତାଳେ ବୃଦ୍ଧଙ୍କ ଅନ୍ତିମ ଶୋଭାଯାତ୍ରା ସମସ୍ତଙ୍କୁ ଆଶ୍ଚର୍ଯ୍ୟନ୍ବିତ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ