ନୂଆଦିଲ୍ଲୀ: ଗତକାଲି ଅନ୍ତର୍ଜାତୀୟ ନ୍ୟାୟାଳୟ ଶୁଣାଇଛନ୍ତି କୂଳଭୂଷଣ ଯାଦବ ମାମଲାର ରାୟ । ଦୀର୍ଘ ଦିନ ଧରି ଚାଲିଥିବା ଏହି ମାମଲାରେ ଭାରତର ବିଜୟ ହୋଇଛି । ପାକିସ୍ତାନକୁ ନିଜ ଆଦେଶ ଉପରେ ଆଉଥରେ ବିଚାର କରିବାକୁ ଆଇସିଜେ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ଏହି ରାୟ ପରେ ସାରା ଭାରତ ଏହି ବିଜୟ ଉତ୍ସବକୁ ମନାଉ ଥିବାବେଳେ ପାକିସ୍ତାନ କିନ୍ତୁ ଏହାକୁ ମାନିବାକୁ ପ୍ରସ୍ତୁତ ନୁହେଁ । ଏକ ବିବୃତିରେ ପାକ କହିଛି ଯେ ଏହା ଭାରତର ନୁହେଁ ପାକିସ୍ତାନର ବିଜୟ । କୂଳଭୂଷଣଙ୍କ ମୁକ୍ତି ପାଇଁ ଭାରତର ଦାବିକୁ ଆଇସିଜେ ଖାରଜ କରିଛନ୍ତି ବୋଲି ପାକ ସରକାର କହିଛନ୍ତି । ଏହାକୁ ନେଇ ପାକିସ୍ତାନକୁ ତୀବ୍ର ସମାଲୋଚନା କରାଯାଉଛି । ରାୟକୁ ବୁଝିପାରିନଥିବାରୁ ପାକିସ୍ତାନକୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଟାର୍ଗେଟ କରିଛନ୍ତି ।
ଟ୍ୱିଟ କରି ଗିରିରାଜ ପାକିସ୍ତାନ ସରକାରଙ୍କ ମଜାକ ଉଡାଇଛନ୍ତି । ପାକ୍ ସରକାରଙ୍କ ଟ୍ବିଟକୁ ରିଟ୍ବିଟ କରି ସେ ଲେଖିଛନ୍ତି ଯେ ପାକିସ୍ତାନ ଏପରି ମିଛ ଦାବି କରିବାରେ କିଛି ଭୁଲ ନାହିଁ । ଏଥିରେ ସରକାରଙ୍କ କିଛି ଦୋଷ ନାହିଁ । ପ୍ରକୃତରେ ରାୟ ଇଂରାଜୀରେ ଆସିଛି । ଫଳରେ ପାକିସ୍ତାନ ଏହାକୁ ବୁଝିପାରିନାହିଁ । ସେଥିପାଇଁ ସେମାନେ ଏଥିରେ ସେମାନଙ୍କ ବିଜୟ ଲେଖା ହୋଇଛି ବୋଲି ଭାବୁଛନ୍ତି । ଗିରିରାଜଙ୍କ ଟ୍ବିଟକୁ ଅନେକ ୟୁଜର୍ସ ତାରିଫ କରିବା ସହ ମଜାଦାର କମେଣ୍ଟ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ 2016 ମାର୍ଚ୍ଚରେ ପାକିସ୍ତାନ ଗୁପ୍ତଚର ଅଭିଯୋଗରେ କୂଳଭୂଷଣଙ୍କୁ ଗିରଫ କରାଯାଇଥିଲା । ଏହାସହ ତାଙ୍କୁ ମୃତ୍ୟୁଦଣ୍ଡାଦେଶ ମଧ୍ୟ ଶୁଣାଇଥିଲା । ଭାରତ ଏହା ବିରୋଧରେ ଆଇସିଜେରେ ଆବେଦନ କରିଥିଲା । ଯାହାର ଶୁଣାଣି ଗତକାଲି ହୋଇଛି । ଏବେ ଭାରତ ସରକାର କୂଳଭୂଷଣଙ୍କ ମୁକ୍ତି ଲାଗି ଉଦ୍ୟମ କରିବେ ବୋଲି ଜଣାପଡିଛି।