ନୂଆଦିଲ୍ଲୀ: ଦୀର୍ଘ ୩୪ ବର୍ଷ ପରେ ବଦଳିଲା ଦେଶର ଶିକ୍ଷା ନୀତି । ନୂତନ ଶିକ୍ଷା ନୀତି 2020କୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି । ଏହା ସହିତ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାମ ପରିବର୍ତ୍ତନ କରି ଶିକ୍ଷା ମନ୍ତ୍ରଣାଳୟରେ ପରିଣତ କରାଯାଇଛି । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଏବଂ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ମିଳିତ ଭାବେ ଏହି ନୂତନ ଶିକ୍ଷା ନୀତି ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନୂତନ ଜାତୀୟ ଶିକ୍ଷା ନୀତିକୁ ଅନୁମୋଦନ କରାଯାଇଥିବା କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ।
ତେବେ ବର୍ତ୍ତମାନ ମୋଟ ଜିଡିପିର ପ୍ରାୟ 4.4% ଶିକ୍ଷା ପାଇଁ ଖର୍ଚ୍ଚ ହେଉଛି । କିନ୍ତୁ ଏହାକୁ 6% କରିବାକୁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର । ନୂତନ ଶିକ୍ଷା ନୀତିରେ ବିଦ୍ୟାଳୟ-କଲେଜ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରାଯାଇଛି । ଉଚ୍ଚଶିକ୍ଷା ପାଇଁ ଏକକ ନିୟାମକ ରହିବ (ଆଇନ ଏବଂ ଡାକ୍ତରୀ ଶିକ୍ଷା ବ୍ୟତୀତ) । ଉଚ୍ଚ ଶିକ୍ଷାରେ 2035 ସୁଦ୍ଧା GER 50 ପ୍ରତିଶତକୁ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ନୂଆ ଶିକ୍ଷା ନୀତିରେ ଏକାଧିକ ପ୍ରବେଶ ଏବଂ ପ୍ରସ୍ଥାନ ବ୍ୟବସ୍ଥା ଲାଗୁ କରାଯାଇଛି । ବର୍ତ୍ତମାନ ବ୍ୟବସ୍ଥାରେ ଯଦି କୌଣସି ଛାତ୍ର ଚାରି ବର୍ଷର ଇଞ୍ଜିନିୟରିଂ କିମ୍ବା 6 ସେମିଷ୍ଟାର ପରେ କୌଣସି କାରଣ ବଶତଃ ଅଧ୍ୟୟନ କରିପାରୁନଥିଲା ତେବେ ଏହାର କୌଣସି ସମାଧାନ ନଥିଲା । କିନ୍ତୁ ବର୍ତ୍ତମାନର ଶିକ୍ଷା ନୀତିରେ 1 ବର୍ଷ ପରେ ସାର୍ଟିଫିକେଟ୍, 2 ବର୍ଷ ପରେ ଡିପ୍ଲୋମା ଏବଂ 3-4 ବର୍ଷ ପରେ ଡିଗ୍ରୀ ଉପଲବ୍ଧ ହେବ ।
ଯେଉଁମାନେ ରିସର୍ଚ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ 4 ବର୍ଷର ଡିଗ୍ରୀ କାର୍ଯ୍ୟକ୍ରମ ରହିବ । ସେହିପରି ଯେଉଁମାନେ ଚାକିରି କରିବାକୁ ଚାହୁଁଛନ୍ତି ସେମାନେ ତିନି ବର୍ଷର ଡିଗ୍ରୀ ପ୍ରୋଗ୍ରାମ୍ କରିବେ । କିନ୍ତୁ ଯେଉଁମାନେ ରିସର୍ଚ କରିବାକୁ ଚାହୁଁଛନ୍ତି ସେମାନେ ଏକ ବର୍ଷ ଏମଏ ସହିତ ଚାରି ବର୍ଷର ଡିଗ୍ରୀ ପ୍ରୋଗ୍ରାମ ପରେ ପିଏଚଡି କରିପାରିବେ । ଏଥିପାଇଁ ଏମ୍ଫିଲର ଆବଶ୍ୟକ ହେବ ନାହିଁ ।
ନୂତନ ଶିକ୍ଷା ନୀତି ଅନୁଯାୟୀ, ୧୦ ଏବଂ +୨ ଫର୍ମାଟକୁ ଶେଷ କରାଯାଇଛି । ବର୍ତ୍ତମାନ ଏହାକୁ ୫+୩+୩+୪ ଫର୍ମାଟରେ କରାଯାଇଛି । ଏହାର ଅର୍ଥ ହେଉଛି ବର୍ତ୍ତମାନ ବିଦ୍ୟାଳୟର ପ୍ରଥମ ପାଞ୍ଚ ବର୍ଷରେ ପ୍ରି ପ୍ରାଇମେରୀ ସ୍କୁଲର ତିନି ବର୍ଷ ଏବଂ ପ୍ରଥମ ଶ୍ରେଣୀ ଏବଂ ଦ୍ୱିତୀୟ ଶ୍ରେଣୀ ସହିତ ଭିତ୍ତିଭୂମି ପର୍ଯ୍ୟାୟ ଅନ୍ତର୍ଭୂକ୍ତ କରିବ । ଏହା ପରର 3 ବର୍ଷକୁ ପ୍ରସ୍ତୁତି ପର୍ଯ୍ୟାୟରେ ବବେଚିତ କରାଯାଇଛି । ଯାହା ତୃତୀୟ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ମଧ୍ୟରେ ରହିବ । ଏହା ପରର ୩ ବର୍ଷକୁ ମଧ୍ୟମ ଚରଣ ଭାବେ ବିବେଚିତ କରାଯାଇଛି । ଅର୍ଥାତ ଷଷ୍ଠରୁ ଅଷ୍ଟମ । ଏବଂ ଅନ୍ତିମ ପର୍ଯ୍ୟାୟ ହେଉଛି ମାଧ୍ୟମିକ ଅବସ୍ଥା, ଯାହାର ଅବଧି ରହିଛି ଚାରି ବର୍ଷ । ଯେଉଁଥିରେ ନବମ ଶ୍ରେଣୀଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ରହିବ ।
ନୂତନ ଶିକ୍ଷା ନୀତିରେ ଏକ ବଡ଼ ପରିବର୍ତ୍ତନ କରି ଭାଷା ବିକଳ୍ପକୁ ବୃଦ୍ଧି କରାଯାଇଛି । ଛାତ୍ରମାନେ 2 ରୁ 8 ବର୍ଷ ବୟସରେ ଶୀଘ୍ର ଭାଷା ଶିଖନ୍ତି । ତେଣୁ, ଆରମ୍ଭରୁ ସ୍ଥାନୀୟ ଭାଷା ସହିତ ସେମାନଙ୍କୁ ତିନୋଟି ଭିନ୍ନ ଭାଷାରେ ଶିକ୍ଷା ଦେବାର ବ୍ୟବସ୍ଥା ରହିଛି । ନୂତନ ଶିକ୍ଷା ନୀତି ଅନୁଯାୟୀ, ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ଅତି କମରେ ଦୁଇ ବର୍ଷର ଏକ ଭାଷା ପାଠ୍ୟକ୍ରମ ମଧ୍ୟ ପ୍ରସ୍ତାବିତ । ଛାତ୍ରଙ୍କ ମାନସିକ ସହିତ ଶାରୀରିକ ବିକାଶ ପାଇଁ ଗୁରୁତ୍ୱ ଦିଆଯାଇଛି । ଏଥିଲାଗି ଫିଜିକାଲ ଏଜୁକେସନ୍ ବାଧ୍ୟତାମୂଳକ କରାଯାଇଛି । ସମସ୍ତ ଛାତ୍ର ସ୍କୁଲର ସବୁ ସ୍ତରରେ ଖେଳ ମାର୍ଶଲ ଆର୍ଟ, ଡ୍ୟାନ୍ସ ଏବଂ ଯୋଗ ଭଳି ଏକ୍ସଟ୍ରା କରିକୁଲାମ୍ ଆକ୍ଟିଭିଟିକୁ ସାମିଲ କରାଯାଇଛି । ଏହା ବ୍ୟତୀତ ବିଦ୍ୟାଳୟରେ କଳା, ବାଣିଜ୍ୟ, ବିଜ୍ଞାନ ଷ୍ଟ୍ରିମ୍ ଉପରେ କୌଣସି ଅନୁକରଣ ରହିବ ନାହିଁ । ଛାତ୍ରମାନେ ବର୍ତ୍ତମାନ ଚାହୁଁଥିବା ପାଠ୍ୟକ୍ରମ ଗ୍ରହଣ କରିପାରିବେ।
ନୂତନ ଶିକ୍ଷା ନୀତିର କିଛି ଗୁରୁତ୍ବପୂର୍ଣ୍ଣ ବିନ୍ଦୁ
- ଶିକ୍ଷକ ତଥା ଅଭିଭାବକମାନଙ୍କୁ ସଚେତନ କରାଇବା ଉପରେ ଗୁରୁତ୍ୱ
- ପ୍ରତ୍ୟେକ ଛାତ୍ରଙ୍କ ଦକ୍ଷତା ବୃଦ୍ଧି କରିବା ପ୍ରାଥମିକତା ହେବ
- ବୈଚାରିକ ବୁଝାମଣା ଉପରେ ଗୁରୁତ୍ୱ ଦିଆଯିବ, ଚରନାତ୍ମକ ଏବଂ ମହତ୍ବପୂର୍ଣ୍ଣ ଚିନ୍ତାଧାରାକୁ ପ୍ରତ୍ସାହନା ମିଳିବ
- ଛାତ୍ରଛାତ୍ରୀଙ୍କ ପାଇଁ କଳା ଏବଂ ବିଜ୍ଞାନ ମଧ୍ୟରେ କୌଣସି କଠିନତା ଏବଂ ପୃଥକ ହେବ ନାହିଁ
- ନୈତିକତା ଏବଂ ସାମ୍ବିଧାନିକ ମୂଲ୍ୟ ପାଠ୍ୟକ୍ରମର ମୁଖ୍ୟ ଅଂଶ ହେବ