ଲକ୍ଷ୍ମୌ: ଦକ୍ଷିଣ ଭାରତ ସହିତ ସମ୍ପୃକ୍ତି ଥିବା ଦୁଇ ଆତଙ୍କୀ ଉତ୍ତରପ୍ରଦେଶରେ ପ୍ରବେଶ କରିଥବା ଗୁଇନ୍ଦା ବିଭାଗ ସୂଚନା ଦେଇଛି । ଏହାକୁ ଆଖି ଆଗରେ ରଖି ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି । ସରଯୁ ପୁଲ ବ୍ୟାରିୟର ଠାରୁ ଓ ଗୋଣ୍ଡା ପୁଲ ରାସ୍ତାରେ କଡା ଚେକିଂ ଆରମ୍ଭ କରାଯାଇଛି । ଏହାସହ ଅଯୋଧ୍ୟାକୁ ଆସୁଥିବା ସମସ୍ତ ଯାନବାହନକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି ।
ଏହି ସୂଚନା ପରେ ଏସପି ସିଟି ବିଜୟ ପାଲ ସିଂହ କହିଛନ୍ତି ଯେ, ଗୋରଖପୁର ଆଇଜିଙ୍କ କାର୍ଯ୍ୟାଳୟକୁ ଗୁଇନ୍ଦା ଇନପୁଟ ମିଳିବା ପରେ ହାଇ ଆଲର୍ଟ ଜାରି କରାଯାଇଛି । ସମସ୍ତ ବ୍ୟାରିୟରରେ ତୁରନ୍ତ ଯାଞ୍ଚ ଆରମ୍ଭ କରାଯାଇଛି । ଖାସକରି ରାମନଗରରେ ସୁରକ୍ଷା ବାହିନୀ ଓ ସୁରକ୍ଷା ଏଜେନ୍ସିକୁ ହାଇ ଆଲର୍ଟରେ ରଖାଯାଇଛି । ଗୁଇନ୍ଦା ବିଭାଗ ସୂଚନା ଅନୁସାରେ ଦକ୍ଷିଣ ଭାରତ ସହ ଜଡିତ ଦୁଇ ଆତଙ୍କବାଦୀ ଖ୍ବାଜା ମୋଇନଦ୍ଦିନ ଓ ଅବଦ୍ଦୁଲ ସମଦ ବୋଲି ଜଣାପଡିଛି । ଏହା ସହ ପୋଲିସ ଏହି ଦୁଇ ଆତଙ୍କବାଦୀଙ୍କ ଫଟୋ ଜାରି କରିଛି ।
ଏହି ଦୁଇ ଆତଙ୍କୀ ସତର୍କତାର ସହ ଭାରତ-ନେପାଳ ସୀମାନ୍ତର କୌଣସି ଜିଲ୍ଲାକୁ ଯାଇପାରନ୍ତି ବୋଲି ଗୁଇନ୍ଦା ବିଭାଗ ସୂଚନା ଦେଇଛନ୍ତି । ଦୁଇ ଆତଙ୍କୀଙ୍କ ସନ୍ଧାନ ପାଇଁ ଗୋରଖପୁରରେ ହାଇଆଲର୍ଟ ଜାରି କରାଯାଇଛି । ଶେଷ ଥର ପାଇଁ ଏହି ଦୁଇ ଆତଙ୍କୀଙ୍କୁ ପଶ୍ଚିମବଙ୍ଗର ସିଲିଗୁଡିରେ ଦେଖିବାକୁ ମିଳିଥିଲା । ଅନ୍ତଃରାଷ୍ଟ୍ରୀୟ ଆତଙ୍କୀ ସଂଗଠନ ଆଇଏସ ସହ ଜଡିତ ଦକ୍ଷିଣ ଭାରତରେ ସକ୍ରିୟ ଖ୍ବାଜା ମୋଇନଦ୍ଦିନକୁ ସେପ୍ଟେମ୍ବର 2017ରେ ଏନଆଇଏ ଚେନ୍ନାଇରେ ଧରିଥିଲା । ସେହିପରି ଅବଦ୍ଦୁଲ ସମଦକୁ ୨୦୧୮ ଫେବ୍ରୁଆରିରେ ଗିରଫ କରାଯାଇଥିଲା ।