ଇସଲାମାବାଦ: ପାକିସ୍ତାନର ଇସଲାମାବାଦ ସ୍ଥିତ ଭାରତୀୟ ଉଚ୍ଚାୟୁକ୍ତର 2 ଜଣ ଭାରତୀୟ ଅଧିକାରୀ ନିଖୋଜ ଥିବା ସୂଚନା ମିଳିଛି । ଗତ 2 ଘଣ୍ଟାରୁ ସେମାନଙ୍କ ସହ ସମ୍ପର୍କ ହୋଇପାରୁନାହିଁ । ସେମାନଙ୍କୁ ଖୋଜାଯାଉଥିବା ବେଳେ ମାମଲାକୁ ପାକିସ୍ତାନ ଅଧିକାରୀଙ୍କ ସାମ୍ନାରେ ଉଠାଯାଇଛି । ଉଭୟ ଅଧିକାରୀ ଡ୍ୟୁଟି ପାଇଁ ବାହାରକୁ ଯାଇଥିଲେ । କିନ୍ତୁ ସେମାନେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିନଥିବା ଜଣାପଡିଛି ।
ତେବେ କିଛି ଦିନ ପୂର୍ବରୁ ହିଁ ଇସଲାମାବାଦରେ ଭାରତୀୟ କୂଟନୀତିଜ୍ଞଙ୍କୁ ପାକିସ୍ତାନ ହଇରାଣ କରୁଥିବା ମାମଲା ସାମ୍ନାକୁ ଆସିଥିଲା । ଏଭଳି ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର କିଛି ଅଧିକାରୀ ଭାରତୀୟ କୂଟନୀତିଜ୍ଞଙ୍କ ନଜର ରଖୁଥିଲେ । ଆଉ କିଛି ଅଧିକାରୀ ସେମାନଙ୍କ ବାସଭବନ ବାହାରେ ଗାଡିରେ ଥିବା ଦେଖାଯାଇଥିଲା । ଏହାପରେ ଭାରତ ପକ୍ଷରୁ ପାକିସ୍ତାନୀ ବୈଦେଶିକ ମନ୍ତ୍ରାଳୟକୁ ନୋଟିସ ଜାରି କରି ଚେତାବନୀ ଦିଆଯାଇଥିଲା ଏବଂ କୂଟନୀତିଜ୍ଞଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ କୁହାଯାଇଥିଲା ।