ବେଙ୍ଗାଲୁରୁ: ଦେଖିବାକୁ ସାଧାସିଧା । କାମ କିନ୍ତୁ ଖତରନାକ । ଗୋଟିଏ କି ଦୁଇଟି 10ଟି ଗର୍ଲଫ୍ରେଣ୍ଡକୁ ଚୁନା ଲଗେଇ ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବା ଜଣେ ରୋମିଓକୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ । ଏହି ରଙ୍ଗିନ ମିଜାଜ ଯୁବକର କଥା ଶୁଣିଲେ ଯେ କେହିବି କାନରେ ହାତ ଦେବେ । ସିଧାସିଧା ଚେହେରା ପଛରେ ରହିଥିଲା କୁତ୍ସିତ କାରନାମା । ହଁ ଆଜ୍ଞା ଦୁଇ ଦୁଇ ଥର ନିର୍ବନ୍ଧ ଆଉ 10ଟି ଗର୍ଲଫ୍ରେଣ୍ଡକୁ ନେଇ ଟଙ୍କା ଲୁଟ କରୁଥିବା ଏହି ଯୁବକ ଏବେ ପୋଲିସ ହାତରେ । ଧରାପଡିବା ପରେ ପଦାକୁ ଆସିଛି ଅସଲ କାରନାମା ।
ଏହି ଯୁବକ ଜଣକ ହେଉଛି ବିଜୟପୁରାର ଜଗନ୍ନାଥ । ଯିଏକି ମାଟ୍ରିମୋନିଆଲ ସାଇଟରେ ବିଧବା ଓ ଯୁବତୀଙ୍କୁ ଜାଲରେ ଫସାଉଥିଲା । ପ୍ରଥମେ ଯୁବତୀଙ୍କୁ ନିବେଦନ ପରେ ବନ୍ଧୁତା । ବନ୍ଧୁତାରୁ ବିଶ୍ବାସ ଜନ୍ମାଇ ନେଇଯାଇଥିଲା 7ଲକ୍ଷ ଟଙ୍କା । ଟଙ୍କା ନେବା ପରେ ଯୁବତୀଙ୍କ ସହ ଯୋଗାଯୋଗ ବନ୍ଦ କରିଦେଇଥିଲା ।
ଏନେଇ ମହିଳା ଜଣକ ପ୍ରତାରିତ ହୋଇଥିବା ଜାଣିବା ପରେ ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ତଦନ୍ତ କରି ଯୁବକକୁ ଗିରଫ କରିବାରେ ସଫଳ ହୋଇଛି । ଆଉ ଗିରଫ ପରେ ଯୁବକ 10ଜଣ ଯୁବତୀଙ୍କୁ ଏଭଳି ଠକି ଥିବା ପୋଲିସ ଆଗରେ ସ୍ବୀକାର କରିଛି । ସେ 10 ଜଣ ବିଧବା ମହିଳାଙ୍କୁ ଠକିବା ସହ ସେମାନଙ୍କ ଠାରୁ 25 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇଛି । ଏପରିକି ବିବାହର ଆଶ୍ବସନା ଦେଇ 5 ଜଣ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ମଧ୍ୟ ସେ କହିଛି । ପୋଲିସ ତା ନିକଟରୁ 6ଲକ୍ଷଟଙ୍କା ସହ ଗୋଟିଏ କାର, 2ଟି ମୋବାଇଲ, 25ଟି ସିମକାର୍ଡ ଓ 22ଟି ଏଟିଏମ କାର୍ଡ, 3ଟି ପାନ ସହ 3ଟି ଭୋଟର କାର୍ଡ ଜବତ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ