ଜୟପୁର: କୋରୋନା ଭାଇରସ ପାଇଁ ସାରା ବିଶ୍ବରେ କୋକୁଆ ଭୟ । ସଜାଗ ଓ ସତର୍କ ରହିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଅପିଲ କରୁଛନ୍ତି । ଏଭଳି ଏକ ଘଡିସନ୍ଧି ମୁହୁର୍ତ୍ତରେ ସାନିଟାଇଜର ଓ ମାସ୍କ ଅତ୍ୟନ୍ତ ଜରୁରୀ ହୋଇପଡିଛି । ଯାହାକୁ ନେଇ ବଜାରରେ ମଧ୍ୟ ମାସ୍କ ର କଳାବଜାରୀ ଦେଖିବାକୁ ମିଳିଛି । ଏପଟେ ଖବର ଆସିଛି ରାଜସ୍ଥାନର ସାୱାଇ ମାନସିଂହ ହସ୍ପିଟାଲରୁ 2.5 ଲକ୍ଷରୁ ଅଧିକ ମାସ୍କ ଚୋରିର। ଚୋରି ମାସ୍କଗୁଡ଼ିକର ମୂଲ୍ୟ 10 କୋଟିରୁ ଅଧିକ ବୋଲି ସୂଚନା ମିଳିଛି ।
ଆଶ୍ଚର୍ଯ୍ୟର କଥା, ଗାୟବ ମାସ୍କ ଖବର ମଧ୍ୟ ଡାକ୍ତରଖାନା କତ୍ତୃପକ୍ଷଙ୍କୁ ମଧ୍ୟ ଅବଗତ ନାହିଁ । ବାସ୍ତବରେ ଏହି ସମସ୍ତ ମାସ୍କଗୁଡ଼ିକ N-95 ଥିଲା, ଯାହା ବଜାରରେ ₹ 400 ପର୍ଯ୍ୟନ୍ତ ଦରରେ ବିକ୍ରି ହୋଇଥାଏ । ଏପଟେ ଚୋରି ମାସ୍କଗୁଡିକୁ ମୁଖ୍ୟତଃ ହସ୍ପିଟାଲର ନର୍ସିଂ କର୍ମଚାରୀ ଏବଂ ଅଲଗା ଅଲଗା ଭାବରେ କାର୍ଯ୍ୟ କରୁଥିବା ଅନ୍ୟ କର୍ମଚାରୀଙ୍କୁ ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ହେଲେ ଏହି ଗାୟବ ପରେ ଅଧିକାଂଶ କର୍ମଚାରୀ ମାସ୍କ ପାଇପାରୁ ନାହାଁନ୍ତି ।
ଘଟଣାରେ ଓକିଲ ତଥା ସାମାଜିକ କର୍ମୀ ପୁଣମ୍ ଚାନ୍ଦ ଭଣ୍ଡାରିଆଙ୍କ ନାମରେ ପୋଲିସ ଷ୍ଟେସନରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି । ଏହା ବ୍ୟତୀତ ଡାକ୍ତରଖାନା ପ୍ରଶାସନ ତରବରିଆ ଭାବେ ମାସ୍କର ନିଖୋଜ ହେବା ନେଇ ଏକ କମିଟି ଗଠନ କରିଛି । ଏପଟେ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର, ନର୍ସିଂ କର୍ମଚାରୀ ଏବଂ ଡାକ୍ତରଖାନାର ଅନ୍ୟ କର୍ମଚାରୀଙ୍କୁ କେତେ ମାସ୍କ ଦିଆଯାଇଥିଲା ତାହାର ସମ୍ପୂର୍ଣ୍ଣ ତଥ୍ୟ ନିଆଯାଉଛି ।