ନ୍ୟୁୟର୍କ: ଆମେରିକାରେ ବିବାଦୀୟ ଅନ୍ତରାଷ୍ଟ୍ରୀୟ ଛାତ୍ର ଭିସା ରଦ୍ଧ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିନେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମହାମାରୀ କୋରୋନା ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆମେରିକା ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିସହ ସେମାନଙ୍କ ପାଠପଢା ସମ୍ପୂର୍ଣ୍ଣରୂପେ ଅନଲାଇନ କ୍ଲାସ ଦ୍ବାରା ପରିଚାଳିତ ହେବ ବୋଲି ନିଷ୍ପତ୍ତି ହୋଇଥିଲା । ତେବେ ଏହି ନିଷ୍ପତ୍ତି କ୍ରମେ ଆମେରିକା ଶିକ୍ଷା ବିଭାଗ ଅନ୍ୟଦେଶର ଛାତ୍ରଛାତ୍ରୀଙ୍କୁ ଭିସା ଜାରି ନ କରିବା ସହ ଆମେରିକାର ସୀମାରେ ପ୍ରବେଶ ପାଇଁ ମଧ୍ୟ ମନୁମତି ଦେଇନଥାନ୍ତା । ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ କୋରୋନା ଭାଇରସ କାରଣରୁ ଏହି ନିଷ୍ପତ୍ତି ନେଇଥିଲେ ।
ଗତ ସପ୍ତାହରେ ଘୋଷଣା କରାଯାଇଥିବା ନିୟମ ବିରୋଧରେ ହାଭର୍ଡ ଏବଂ ଏମଆଇଟି ସମେତ କାଲିଫର୍ନିଆର ସରକାରୀ କଲେଜ ଓ ପରେ 17 ଟି ରାଜ୍ୟର କଲେଜ ମିଳିତଭାବେ ମକଦ୍ଦମା ଦାଏର କରିଥିଲେ । ତେବେ ଏହା ପରେ ଟ୍ରମ୍ପ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି ।
ପୂର୍ବରୁ ଭାରତ ମଧ୍ୟ ଆମେରିକା ସରକାରଙ୍କ ଏହି ନିଷ୍ପତ୍ତି ନେଇ ଚିନ୍ତା ପ୍ରକଟ କରିଥିଲା । କାରଣ ଏହି ନିଷ୍ପତ୍ତି ଯୋଗୁଁ ଆମେରିକାରେ ଶିକ୍ଷାଗ୍ରହଣ କରୁଥିବା ଅନେକ ଭାରତୀୟ ଛାତ୍ରଛାତ୍ରୀଙ୍କୁ କୋରୋନା ମହାମାରୀ ସମୟରେ ସ୍ବଦେଶ ଫେରିବାକୁ ପଡିଥାନ୍ତା । ତେବେ ଏହା ଉପରେ ଆଉଥିରେ ବିଚାର କରିବାକୁ ଆମେରିକାର ବୈଦେଶିକ ମନ୍ତ୍ରଣାଳୟର ଉପମନ୍ତ୍ରୀ ଡେଭିଡ ହେଲଙ୍କୁ ଅନଲାଇନ ବାର୍ତ୍ତାଳାପ ମାଧ୍ୟମରେ କହିଥିଲେ ଭାରତୀୟ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଳା ।