ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ନସର୍ଗ ଆସନ୍ତାକାଲି ଅପରାହ୍ଣରେ ମହାରାଷ୍ଟ୍ର ଏବଂ ଗୁଜୁରାଟ ମଧ୍ୟଭାଗରେ ସ୍ଥଳଭାଗ ଛୁଇଁପାରେ । ଏଥିଲାଗି ଭାରତୀୟ ପାଣିପାଗ ବିଭାଗ ଜାରି କରିଛି ସତର୍କ ଘଣ୍ଟି । ଏହି ସମ୍ଭବ୍ୟ ବାତ୍ୟା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥିତି ସମୀକ୍ଷା କରିଛନ୍ତି । ଏପଟେ ମୁମ୍ବାଇ ଏବଂ ଗୁଜୁରାଟର ସମୂଦ୍ରକୂଳିଆ ଲୋକଙ୍କୁ ସେହି ସ୍ଥାନରୁ ଖାଲି କରାଯାଉଛି ।
ପାଣିପାଗ ବିଭାଗ ଟ୍ବିଟ ଜରିଆରେ କହିଛି, ‘ସାଉଥ ଇଷ୍ଟ ଏଭଂ ଇଷ୍ଟ-ସେଣ୍ଟ୍ରାଲ ଆରବ ସାଗର ଏବଂ ଲକ୍ଷାଦ୍ବୀପର ଉପରି ଭାଗରେ ଲଘୁଚାପର ପ୍ରଭାବ ରହିବ ।’ ଆସନ୍ତା 12 ଘଣ୍ଟା ମଧ୍ୟରେ ପୂର୍ବ କେନ୍ଦ୍ରୀୟ ଏବଂ ଦକ୍ଷିଣ ପୂର୍ବ ଆରବ ସାଗରରେ ନିମ୍ନ ବାୟୁ ଚାପ ପ୍ରବାହିତ ହେବାର ସମ୍ଭାବନା ରହିଛି । ଏହା ଭୟଙ୍କର ସାମୁଦ୍ରିକ ଝଡ ରୂପ ନେଇପାରେ ।
ଏପଟେ ମୋଦି ଟ୍ବିଟ ଜରିଆରେ ଲୋକଙ୍କୁ ସୁରକ୍ଷିତ ରହିବାକୁ କହିଛନ୍ତି । ‘ ମୁଁ ଲୋକମାନଙ୍କୁ ଅନୁରୋଧ କରୁଛି ଯେ ସମସ୍ତ ସତର୍କତା ଏବଂ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରନ୍ତୁ । ମୁଁ ସମସ୍ତଙ୍କ ପାଇଁ ପ୍ରାର୍ଥନା କରୁଛି, ସମସ୍ତେ ଭଲରେ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ । ସରକାରଙ୍କ ଗାଇଡ ଲାଇନ ମାନନ୍ତୁ ।’