ହାଇଦ୍ରାବାଦ: କୋରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ବିଭିନ୍ନ ଦେଶରେ ଲକଡାଉନ ଘୋଷଣା ହୋଇଛି । ଏହି ସମୟରେ ସବୁକିଛି ବନ୍ଦ ହୋଇଥିବାବେଳେ ଆକ୍ଟିଭ ରହିଛି ଗୋଟିଏ ଜାଗା । ସମସ୍ତେ ଏବେ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି । ତେବେ ସବୁଠାରୁ ବଡ କଥା ହେଉଛି ଅନଲାଇନ ଆପ୍ ଭିତରେ ଏବେ ସବୁଠୁ ଅଧିକ ବ୍ୟବହାର ହେଉଛି ଟିକ୍ଟକ୍ ଆପ୍ ।
ଏକ ରିପୋର୍ଟ ଅନୁସାରେ ଲକଡାଉନ ହେବା ପରଠାରୁ ଅନ୍ୟ ସମସ୍ତ ଆପ୍ ଅପେକ୍ଷା ଲୋକେ ଟିକ୍ଟକ୍କୁ ସବୁଠାରୁ ଅଧିକ ବ୍ୟବହାର କରିଛନ୍ତି । ଏପରିକି ଏହି ଆପ୍କୁ ଅଧିକ ଲୋକେ ଡାଉନଲୋଡ ମଧ୍ୟ କରିଛନ୍ତି । ଏହା ତୁଳନାରେ ଫିକା ପଡିଛି ଫେସ୍ବୁକ୍ ଓ ହ୍ବାଟ୍ସଆପ୍ । ଭାରତରେ ସୋସିଆଲ ମିଡିଆ ଡାଉନଲୋଡିଂ ମାତ୍ରା ଲକଡାଉନ ପରଠାରୁ ୨୦ ପ୍ରତିଶତ ବୃଦ୍ଧି ପାଇଛି ।
ପୂର୍ବରୁ ଟିକ୍ଟକ୍ ଠାରୁ ଆଗରେ ରହୁଥିଲେ ହ୍ବାଟ୍ସଆପ୍ ଆଉ ଫେସ୍ବୁକ୍ । ହେଲେ ଲକଡାଉନ ପରେ ଏହାର ଚାହିଦା ଅଧିକ ବଢିଯାଇଛି । ବିଶେଷ କରି ଆମ ଦେଶରେ ହିଁ ଟିକ୍ଟକ୍ର ଚାହିଦା ବେଶୀ ଦେଖିବାକୁ ମିଳିଛି । କେବଳ ସାଧାରଣ ଲୋକେ ନୁହନ୍ତି ଏଠାରେ ସେଲିବ୍ରିଟିଙ୍କର ମଧ୍ୟ ଭିଡ ଦେଖିବାକୁ ମିଳିଛି । ଫେସବୁକ୍ ଓ ହ୍ବାଟ୍ସଆପ୍କୁ ଲୋକେ କମ ବ୍ୟବହାର କରୁଛନ୍ତି । ନିକଟରେ ଏକ ସର୍ଭେରୁ ଜଣାପଡିଥିଲା ଯେ ଲକଡାଉନ ଯୋଗୁଁ ସୋସିଆଲ ମିଡିଆ ସାଇଟ ପୂର୍ବାପେକ୍ଷା ବେଶୀ ପରିମାଣରେ ବ୍ୟବହାର ହେଉଛି । ସମସ୍ତ ସାଇଟର ବ୍ୟବହାରକାରୀରେ ମାତ୍ରାଧିକ ପରିମାଣରେ ବୃଦ୍ଧି ଘଟିଛି ।