ନୂଆଦିଲ୍ଲୀ: ପିଏମଓରେ ୩ ଅଧିକାରୀଙ୍କୁ ମିଳିଲା ବଡ଼ ଦାୟିତ୍ବ । କ୍ୟାବିନେଟ୍ ନିଯୁକ୍ତି ସମିତି (ଏସିସି)ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ୩ ଆଇଏଏସ୍ ଅଧିକାରୀଙ୍କୁ ବଡ ପଦବୀରେ ନିଯୁକ୍ତ କରିଛନ୍ତି । ଯେଉଁ ୩ ଆଇଏଏସ୍ ଅଧିକାରୀଙ୍କ ନାଁ ଏସିସି ଦ୍ବାରା ଅନୁମୋଦନ ହୋଇଛି, ସେମାନେ ଉତ୍ତରାଖଣ୍ଡ ଟେହରି ଡିଏମ୍ ମଙ୍ଗେଶ ଘିଲ୍ଡିୟାଲ, ମଧ୍ୟ ପ୍ରଦେଶ କ୍ୟାଡର ଆଇଏଏସ୍ ଅଧିକାରୀ ରଘୁରାଜ ରାଜେନ୍ଦ୍ରନ ଓ ଆନ୍ଧ୍ର ପ୍ରଦେଶ କ୍ୟାଡରର ଆଇଏଏସ୍ ଅଧିକାରୀ ଆମ୍ରପାଲି କାଟା ସାମିଲ ହୋଇଛନ୍ତି ।
ମଙ୍ଗେଶ ଘିଲ୍ଡିୟାଲ ରୁଦ୍ରପ୍ରୟାଗ ଜିଲ୍ଲାର ଡିଏମ୍ ଥିଲେ । ବର୍ତ୍ତମାନ ସେ କେଦାରନାଥ ପୁନଃନିର୍ମାଣ ଓ ଚାରଧାମ ରାସ୍ତା ନିର୍ମାଣ କାର୍ଯ୍ୟ ତଦାରଖ କରୁଛନ୍ତି । ରୁଦ୍ରପ୍ରୟାଗରେ ଚାଲିଥିବା ଏହି ଦୁଇଟି ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ବାରା ଆରମ୍ଭ ହୋଇଥିଲା । ସେହିପରି ରଘୁରାଜ ରାଜେନ୍ଦ୍ରନ୍ ଇସ୍ପାତ ମନ୍ତ୍ରଣାଳୟରେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ତଥା କ୍ୟାବିନେଟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖ୍ୟ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।
ଆମ୍ରପାଲି କାଟାଙ୍କୁ ପିଏମଓରେ ଉପସଚିବ ପଦବୀରେ ନିଯୁକ୍ତି କରାଯାଇଛି । ଆମ୍ରପାଲି କାଟା ଆନ୍ଧ୍ର ପ୍ରଦେଶ କ୍ୟାଡର ୨୦୧୦ ବ୍ୟାଚର ଆଇଏଏସ୍ ଅଧିକାରୀ । ଏହା ପୂର୍ବରୁ ସେ ମନ୍ତ୍ରୀ ମଣ୍ଡଳୀୟ ସଚିବାଳୟରେ ଉପସଚିବ ଥିଲେ ।