ନୂଆଦିଲ୍ଲୀ: ପ୍ରଥମେ ଚୀନ ଓ ଏବେ ସାରା ବିଶ୍ବରେ କୋରୋନା ଭାଇରସ ତାର କାୟା ବିସ୍ତାର କରିଛି । ଯାହାକୁ ନେଇ ସମଗ୍ର ବିଶ୍ବବାସୀ ଚିନ୍ତିତ ଅଛନ୍ତି । ତେବେ ସୋମବାର ଭାରତରେ 2 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଏକ ପ୍ରେସ ମିଟ ମାଧ୍ୟମରେ ଦେଶବାସୀଙ୍କୁ ଭୟଭୀତ ନହେବାକୁ ଅପିଲ କରିଛନ୍ତି ।
ସେ କହିଛନ୍ତି ଦେଶରେ 3ଟି ପଜେଟିଭ ମାମଲା ସାମ୍ନାକୁ ଆସିଥିଲା । ସମସ୍ତ ଆକ୍ରାନ୍ତ ଚୀନରୁ ଆସିଥିଲେ । ସେମାନେ କେରଳରେ ଆଡମିଟ ହୋଇଥିଲେ । ଆଉ ଏବେ 3 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାବ୍ୟତୀତ ସୋମବାର ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ ଦିଲ୍ଲୀର ହୋଇଥିବାବେଳେ ଆଉ ଜଣେ ତେଲେଙ୍ଗାନାର ବୋଲି ଜଣାପଡିଛି । ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତିଯେ, ଆମେ ଆଗରୁ ପ୍ରସ୍ତୁତ ହୋଇଛୁ ଏବଂ ଅନ୍ୟ ଦେଶ ଉପରେ ତୀକ୍ଷ୍ଣ ନଜର ରଖିଛୁ । ଆଉ ସେନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି ।
ତେବେ ବର୍ତ୍ତମାନ ସୁଦ୍ଧା ପୁରା ଦୁନିଆରେ 66ଟି ଦେଶରେ କୋରୋନା ବ୍ୟାପି ସାରିଛି । ସେଥିମଧ୍ୟରୁ 10 ଟି ଦେଶରେ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି । ସେଥିମଧ୍ୟରୁ 139 ଜଣ ବାହାର ଦେଶର ହୋଇଥିବାବେଳେ 2 ହଜାର 9 ଶହ 12 ଜଣ ଚୀନର ଅଟନ୍ତି ।