ଆମ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାରେ କୋଡିଏ ଲକ୍ଷରୁ ଅଧିକ ପୋଲିସ ନିୟୋଜିତ ହୋଇଛନ୍ତି । ବ୍ରିଟିଶ ଶାସନ ସମୟରେ ଶାସକ ଗୋଷ୍ଠୀର ସ୍ବାର୍ଥକୁ ସୁରକ୍ଷା ଦେବା ସେମାନଙ୍କର ଏକମାତ୍ର କର୍ତ୍ତବ୍ୟ ଥିଲା, କିନ୍ତୁ ସ୍ବାଧୀନତା ହାସଲ ପରେ ସାଧାରଣ ଲୋକଙ୍କ ସୁରକ୍ଷା ହିଁ ସେମାନଙ୍କର ପ୍ରାଥମିକ କର୍ତ୍ତବ୍ୟ ହୋଇ ରହିବା କଥା ! ଅନେକ ସମୟରେ, ଜାତୀୟ ପୋଲିସ କମିଶନ ଘୋଷଣା କରିଛନ୍ତି ଏବଂ ନିର୍ଦ୍ଦେଶ ଦେଇଛନ୍ତି ଯେ, ସାଧାରଣ ଲୋକଙ୍କ ନିରାପତ୍ତା, ଆଇନର ଶାସନ କାର୍ଯ୍ୟକାରୀ କରିବା ଏବଂ ସମାଜକୁ ସୁରକ୍ଷା ପ୍ରଦାନ କରିବା କ୍ଷେତ୍ରରେ ପୋଲିସ ନିଶ୍ଚିତ ଭାବରେ ଉତ୍ତରଦାୟୀ ରହିବ । ହେଲେ, ପୋଲିସ ବ୍ୟବସ୍ଥା, ସଂଗଠିତ ଅପରାଧୀମାନଙ୍କର ଏକ ଗୋଷ୍ଠୀରେ ପରିଣତ ହୋଇଛି ବୋଲି କହି ଅନେକ ଥର ସୁପ୍ରିମ କୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି । ତେବେ, ନିର୍ଯାତନା ଦେଇ ନିରୀହ ଲୋକଙ୍କ ଜୀବନ ନେବା ଦିଗରେ ଅଭିନବ ଉପାୟ ସହିତ ସେମାନଙ୍କର ଦୃଷ୍ଟିଭଙ୍ଗୀ ଖରାପରୁ ଅତି ଖରାପରେ ପରିବର୍ତ୍ତିତ ହେବାରେ ଲାଗିଛି । ତାମିଲ ନାଡୁର ଥୁଟୁକୁଡ଼ି ଜିଲ୍ଲାରେ ନିକଟରେ ସଂଘଟିତ ଦୁଃଖଦ ଘଟଣା ଏହାର ଏକ ଜ୍ବଳନ୍ତ ଉଦାହରଣ ।
ନିଷ୍ଠୁରତା ନେଲା ଦୁଇଟି ଜୀବନ
କୋରୋନା ଭାଇରସକୁ ନିୟନ୍ତ୍ରିତ କରିବା ଏବଂ ଲୋକଙ୍କ ଜୀବନକୁ ସୁରକ୍ଷା ଦେବା ପାଇଁ ଲକ୍ଡାଉନ୍ ଜାରି କରିବାର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ସରକାର ନିଷ୍ପତ୍ତି ନେଇଛନ୍ତି । କୋଭିଡ୍ ସଂକ୍ରମଣ ମାମଲା କ୍ଷେତ୍ରରେ ମହାରାଷ୍ଟ୍ର ସହ ପ୍ରତିଯୋଗିତା ଚଳାଇଥିବା ତାମିଲ ନାଡୁରେ ମଧ୍ୟ କଠୋର ଲକ୍ଡାଉନ୍ ନିୟମ କାର୍ଯ୍ୟକାରୀ ହେଉଛି। ଜୁନ୍ 19 ତାରିଖ ଦିନ ଲକ୍ଡାଉନ ନିୟମ ଉଲ୍ଲଂଘନ କରି ତାଙ୍କ ମୋବାଇଲ ଦୋକାନକୁ ସନ୍ଧ୍ୟା 7ଟା 30 ପରେ ବି ଖୋଲା ରଖିଥିବାରୁ 60 ବର୍ଷ ବୟସ୍କ ଜୟରାଜଙ୍କୁ ପୋଲିସ ଆକ୍ରମଣ କଲା । ତାଙ୍କୁ ସାତ୍ତାନୁକୁଲମ ଥାନାକୁ ନିଆଯାଇ ସେଠାରେ ଅଟକ ରଖାଗଲା । ବାପାଙ୍କୁ ଛାଡ଼ି ଦେବା ପାଇଁ ଅନୁରୋଧ କରିବାକୁ ଥାନାକୁ ଯାଇଥିବା ତାଙ୍କ ପୁଅ ଫିନିକ୍ସ ସହ ପୋଲିସର ଯୁକ୍ତିତର୍କ ହେବାରୁ ତାଙ୍କୁ ମଧ୍ୟ ଗିରଫ କରାଗଲା । 22 ତାରିଖ ଦିନ ଜୟରାଜ ଛାତିରେ ଯନ୍ତ୍ରଣା ଅନୁଭବ କଲେ ଏବଂ ତାଙ୍କୁ କୋବିଲପାଟ୍ଟି ହାସପାତାଳକୁ ନିଆଯାଇଥିଲା । ସେଠାରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ବୋଲି ଡାକ୍ତରମାନେ ଘୋଷଣା କଲେ । ତା ପରଦିନ ସେହି ଏକା ଡାକ୍ତରଖାନାରେ ତାଙ୍କ ପୁଅଙ୍କର ମଧ୍ୟ ମୃତ୍ୟୁ ଘଟିଲା । ପରବର୍ତ୍ତୀ ସମୟରେ, ପୋଲିସ ହାଜତରେ ଜୟରାଜ ଓ ଫିନିକ୍ସଙ୍କର ମୃତ୍ୟୁ ପାଇଁ ପୋଲିସର ନିଷ୍ଠୁରତା ଦାୟୀ ବୋଲି ଦର୍ଶାଇ ସାଧାରଣରେ ଯେଉଁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲା, ତାହା ପୌର ପ୍ରଶାସନ ଏବଂ ବିଚାର ବିଭାଗକୁ ଦୋହଲାଇ ଦେଇଥିଲା । ଘଟଣାକ୍ରମେ, ଆପରାଧିକ ନ୍ୟାୟ ବ୍ୟବସ୍ଥାର କୁପରିଚାଳନାରେ ପୋଲିସ କର୍ମଚାରୀଙ୍କ ଅପରାଧ ପ୍ରବୃତ୍ତିର ପ୍ରମୁଖ ଭୂମିକାକୁ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ ତଦନ୍ତ ନଗ୍ନ ରୂପରେ ଉପସ୍ଥାପନ କରିଥିଲା ।
ନୃଶଂସତା
କୋବିଲପାଟ୍ଟି ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଏମ୍.ଏସ୍.ଭାରତୀଦାସନଙ୍କ ଦ୍ବାରା ଦାଖଲ କରାଯାଇଥିବା ଏକ ରିପୋର୍ଟ ଅନୁସାରେ, ଥାନାରେ ଲଗାଯାଇଥିବା ସିସିଟିଭି କ୍ୟାମେରାକୁ ‘ଅଟୋ-ଡିଲିଟ୍’ ମୋଡ୍ରେ ରଖାଯାଇ ପ୍ରତିଦିନ ଶେଷରେ ରେକର୍ଡିଂ ହୋଇଥିବା ସମସ୍ତ ଦୃଶ୍ୟକୁ ଡିଲିଟ୍ କରିଦିଆଯାଉଥିଲା । ଏହି ଉପାୟରେ ସେମାନେ କରିଥିବା ଅପରାଧର କୌଣସି ପ୍ରମାଣ ନଛାଡ଼ିବା ଦିଗରେ ପୋଲିସ ସତର୍କତା ଅବଲମ୍ବନ କରିଥିଲା । କମିଟି ମନ୍ତବ୍ୟ ଦେଇଥିଲେ ଯେ, କନେଷ୍ଟବଳଙ୍କ ପାଖରୁ ଆରମ୍ଭ କରି ଉଚ୍ଚ ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ତଦନ୍ତକାରୀ କମିଟି ପ୍ରତି ଦୁର୍ବ୍ୟବହାର କରିଥିଲେ.. ଏମିତି କି ‘ଆପଣମାନେ କିଛି କରିପାରିବେ ନାହିଁ’ ବୋଲି କହି ଜଣେ କନେଷ୍ଟବଳ ସେମାନଙ୍କୁ ଚ୍ୟାଲେଞ୍ଜ କରିବା ଘଟଣାରୁ ଆଇନ ପ୍ରତି ସେମାନଙ୍କ ସମ୍ମାନବୋଧ କେତେ କମ୍ ତାହା ପ୍ରତିପାଦିତ ହୁଏ । ସେହି ରାତିରେ ବାପା ଓ ପୁଅ ଦୁହିଁଙ୍କ ଉପରେ ପୋଲିସ ଅତ୍ୟାଚାର ସୀମା ଲଂଘି ଯାଇଥିବା ସଂପର୍କରେ ବକ୍ତବ୍ୟ ଦେଉଥିବା ମହିଳା କନେଷ୍ଟବଳ ଜଣକ ଅତି ମାତ୍ରାରେ ଭୟଭୀତ ହୋଇପଡ଼ିଥିଲେ ଏବଂ ଘଣ୍ଟା ଘଣ୍ଟା ଧରି ଜଣକ ପରେ ଜଣେ ପୋଲିସ ସେମାନଙ୍କୁ ମାଡ଼ ମାରିବା ଫଳରେ ସେମାନଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ଘଟିଥିଲା ଏବଂ ଆସବାବପତ୍ର ଏବଂ ଅନ୍ୟ ଜିନିଷରେ ରକ୍ତର ଛିଟା ପଡ଼ିଥିଲା ବୋଲି ସେ କହିଥିଲେ । ଅପରାଧୀଙ୍କ କବଳରୁ ନିରୀହ ଲୋକଙ୍କୁ ରକ୍ଷା କରିବା ପାଇଁ ପୋଲିସକୁ ଦିଆଯାଇଥିବା କ୍ଷମତାକୁ ହତଭାଗ୍ୟ ଓ ଅସହାୟ ନାଗରିକମାନଙ୍କ ଉପରେ ପୋଲିସ ଅପବ୍ୟବହାର କରିଥିଲା । ଥାନାରେ ମୌଳିକ ଅଧିକାରର କିଛି ଅର୍ଥ ନଥାଏ । ଏକ ସ୍ବାଧୀନ ଗଣତାନ୍ତ୍ରିକ ଭାରତ ଉଭା ହେବାର ସତୁରୀ ବର୍ଷ ପରେ ଏହି ସବୁ ନୃଶଂସତା ଦେଶର ପ୍ରତିଷ୍ଠାରେ କଳଙ୍କ ସୃଷ୍ଟି କରିଛି ।
ତୁରନ୍ତ ସଂସ୍କାର ଆବଶ୍ୟକ
ଆମେରିକାରେ ଜଣେ ଆଫ୍ରିକୀୟ-ଆମେରିକୀୟ ଜର୍ଜ ଫ୍ଲଏଡ୍ଙ୍କୁ ଗିରଫ କରିବା ସମୟରେ ପୋଲିସର ମାତ୍ରାଧିକ ବଳପ୍ରୟୋଗ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସର ଏହି ନୃଶଂସତାକୁ ନିନ୍ଦା କରି ସାରା ଆମେରିକାରେ ଏବଂ ଅନେକ ଦେଶରେ ସାମୂହିକ ପ୍ରତିବାଦ ଆନ୍ଦୋଳନ ହୋଇଥିଲା । ଏବେ ସେଠାକାର ସରକାର ଉପଯୁକ୍ତ ପୋଲିସ ସଂସ୍କାର ବ୍ୟବସ୍ଥା ଦିଗରେ କାର୍ଯ୍ୟ କରୁଛନ୍ତି । ସହରର ପୋଲିସ ବିଭାଗକୁ ଉଚ୍ଛେଦ କରିବା ପାଇଁ ମିନେପୋଲିସ୍ ପରିଚାଳନା ସଂସ୍ଥା ସ୍ଥିର କରିଛନ୍ତି । ସାଂପ୍ରତିକ ଆବଶ୍ୟକତା ଉପଯୋଗୀ କରିବା ପାଇଁ ୟୁକ୍ରେନ୍ ଏବଂ ଜର୍ଜିଆପୁରୁଣାକାଳିଆ ପୋଲିସ ବ୍ୟବସ୍ଥାର ବୈଧକରଣ କରିଛନ୍ତି । ଭାରତରେ ପୋଲିସ ସଂସ୍କାର ଦିଗରେ ନିଆଯାଇଥିବା ପଦକ୍ଷେପ ଦଶନ୍ଧି ଦଶନ୍ଧି ଧରି କାଗଜପତ୍ରରେ ସୀମିତ ରହି ସଭ୍ୟ ସମାଜରେ ଜୀବନଯାପନର ମାନକୁ ଉପହାସ କରୁଛି। ଆଇନର ଶାସନ କାର୍ଯ୍ୟକାରୀ କରିବା ତାଲିକାରେ ଥିବା 126ଟି ଦେଶ ମଧ୍ୟରେ ଭାରତ 68ତମ ପାହ୍ୟାରେ ରହିଛି । ଆଇନ ଶୃଙ୍ଖଳା ବ୍ୟବସ୍ଥା ବଜାୟ ରଖିବା କ୍ଷେତ୍ରରେ ସ୍ଥିରୀକୃତ ଆଠଟି ମାପଦଣ୍ଡ ଭିତ୍ତିରେ ଭାରତ 111ତମ ସ୍ଥାନରେ ରହିଛି । ସରକାରୀ ପରିସଂଖ୍ୟାନ ଅନୁସାରେ, ଆମ ଦେଶରେ ପ୍ରତି ଦିନ ହାରାହାରି 15 ଜଣଙ୍କୁ ହାଜତରେ ନିର୍ଯାତନା ମାମଲା ରେକର୍ଡ କରାଯାଉଛି ଏବଂ ସେଥିରୁ ନଅ ଜଣ ଲୋକ ପ୍ରାଣ ହରାଉଛନ୍ତି । ଜାତୀୟ ମାନବାଧିକାର କମିଶନ ରାୟ ଦେଇଛନ୍ତି ଯେ, ଅଧିକାଂଶ ପୋଲିସ ହାଜତରେ ମୃତ୍ୟୁ ଘଟଣା ପ୍ରକାଶିତ ହେଉନାହିଁ ଏବଂ ନଗଣ୍ୟ ସଂଖ୍ୟକ ମାମଲା ଉନ୍ମୋଚିତ ହେବା ଲାଗି ବହୁ ସମୟ ଲାଗିଯାଉଛି । ଏହି ରିପୋର୍ଟରେ କୁହାଯାଇଛି ଯେ, ସବୁକିଛି ସାମୟିକ ଓ ପ୍ରାକୃତିକ ଭାବେ ଘଟୁଛି ଏବଂ ସଂପ୍ରତି ଏହି ନିର୍ଦ୍ଦୟତାର ଚେର ଆମ ବ୍ୟବସ୍ଥାର ଗଭୀରସ୍ତରକୁ ମାଡ଼ିଯାଇଛି । ଯଦିଓ ହାଜତ ମୃତ୍ୟୁ ପାଇଁ ଅଳ୍ପ କେତେକ ଅଧିକାରୀଙ୍କୁ ଦାୟୀ କରାଯାଉଛି, ତଥାପି ଉତ୍ତମ ବ୍ୟବସ୍ଥା ପ୍ରଚଳନ ପାଇଁ ସାଂଗଠନିକ ପରିବର୍ତ୍ତନ କଷ୍ଟକର । ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି ଏକ ବ୍ୟବସ୍ଥାଗତ ଏବଂ କଠୋର ସଂସ୍କାର ଧରା ।
କେହି ଆଇନରୁ ଊର୍ଦ୍ଧ୍ବରେ ନୁହଁନ୍ତି !
ସୁପ୍ରିମକୋର୍ଟ ବାରମ୍ବାର ଏହା ସ୍ପଷ୍ଟ ଭାବରେ କହିଛନ୍ତି ଯେ, ସମ୍ବିଧାନର ସ୍ଥାନ ସବୁଠାରୁ ଉଚ୍ଚରେ । ଗତ ମାସ 23 ତାରିଖ ଦିନ ଚର୍ଚ୍ଚକୁ ଯାଇଥିବା ବେଳେ ମୁହଁରେ ମାସ୍କ ପିନ୍ଧି ନଥିବାରୁ ବୁଲଗେରିଆର ପ୍ରଧାନମନ୍ତ୍ରୀଙ୍କୁ ସେଠାକାର ସ୍ବାସ୍ଥ୍ୟ ମନ୍ତ୍ରାଳୟ 300 ଲିଉ (13,000 ଟଙ୍କା) ଜୋରିମାନା କରିଥିଲା । ଏମିତି ହିଁ ଆଇନକୁ ସମ୍ମାନ ଦିଆଯାଏ । କିନ୍ତୁ ଭାରତରେ, 2005ରୁ 2015 ମଧ୍ୟରେ ଅପରାଧ ହାର 28 ପ୍ରତିଶତ ବଢ଼ିଥିଲେ ହେଁ ଅପରାଧୀଙ୍କ ମୁକାବିଲା ଏବଂ ସେମାନଙ୍କୁ ଦଣ୍ଡ ଦେବା କ୍ଷେତ୍ରରେ କୌଣସି ଉନ୍ନତି ହୋଇନାହିଁ । ଉତ୍ତରପ୍ରଦେଶର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ସିଂହ କହିଲେ, ‘ଏହାର ଅର୍ଥ ନୁହେଁ ଯେ ଏଠାରେ ଆଇନଗତ ଶାସନ ନାହିଁ, କିନ୍ତୁ ରାଜନୈତିକ ଶାସକଙ୍କ ଆଇନ ବି କାର୍ଯ୍ୟକ୍ଷମ ଅବସ୍ଥାରେ ରହିଛି ।’ ଯେଉଁଠି କ୍ଷମତାରେ ଥିବା ଲୋକଙ୍କୁ ଖୁସି କରାଇବା ପାଇଁ ପୋଲିସ ବଳ ଯାହା କିଛି ବି କରିପାରେ ଏବଂ ସେମାନଙ୍କ ଦ୍ବାରା ନିର୍ଦ୍ଧାରିତ ରାସ୍ତାରେ ଯାଇପାରେ, ସେଠାରେ ଆମେ ସେମାନଙ୍କ ନିକଟରୁ ନୈତିକ ସଂହତି ଏବଂ ସର୍ବସାଧାରଣଙ୍କ ସୁରକ୍ଷା ଭାବନା କିଭଳି ଆଶା କରିବା ? ପୋଲିସ ଉପରେ ଚାପ ବୃଦ୍ଧି ପାଇଲେ ଗଣତାନ୍ତ୍ରିକ ବ୍ୟବସ୍ଥାର ଭିତ୍ତି ଦୋହଲି ଯିବ ବୋଲି ଦଶନ୍ଧି ଦଶନ୍ଧି ଧରି ଦିଆଯାଉଥିବା ସତର୍କବାଣୀ କାହାରି କାନରେ ପଡୁନାହିଁ । ଯେତେ ଦିନ ଯାଏଁ ଏକ ଉଚ୍ଛୃଙ୍ଖଳ ଅମଲାତାନ୍ତ୍ରିକ ପଦ୍ଧତି ଦ୍ବାରା ସାମ୍ବିଧାନିକ ମୂଲ୍ୟବୋଧର ଉପହାସ କରାଯାଉଥିବ ଏବଂ ପୋଲିସ ନିଜ ଇଚ୍ଛାରେ ହାଜତ ଭିତରେ ଅପରାଧ ଘଟାଇ ଚାଲିଥିବ, ସେତେଦିନ ଯାଏ ନିରୀହ ଲୋକଙ୍କ ଆର୍ତ୍ତ ଚିତ୍କାର ଅନ୍ଧାର କୋଠରି ଭିତରେ ମିଳାଇ ଯାଉଥିବ ।
ପେସାଦାର ମନୋଭାବ, ଉତ୍ସର୍ଗୀକୃତ ଭାବନା, ଆହ୍ବାନର ସମ୍ମୁଖୀନ ହେବା ପାଇଁ ଶକ୍ତି, ଉନ୍ନତ ପ୍ରଶିକ୍ଷଣ ଇତ୍ୟାଦି ସହିତ ଏକ ନୂତନ ଧରଣର ପୋଲିସ ବଳର ଅଭ୍ୟୁଦୟ ସକାଶେ ପୂର୍ବତନ ପ୍ରଧାନ ମନ୍ତ୍ରୀ ମନମୋହନ ସିଂହ ଇଚ୍ଛାପ୍ରକାଶ କରିଥିବା ବେଳେ ବର୍ତ୍ତମାନର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ‘ସ୍ମାର୍ଟ’ ପୋଲିସର ଆବଶ୍ୟକତା ଉପରେ ଜୋର୍ ଦେଇଛନ୍ତି । ପୋଲିସ ବ୍ୟବସ୍ଥାରେ ଆବଶ୍ୟକ ବୃତ୍ତିଗତ ସ୍ବାଧୀନତା ଏବଂ ଉତ୍ତରଦାୟିତ୍ବ ବିନା କେବଳ ଉପରଠାଉରିଆ ସଂସ୍କାର ବଳରେ କିଭଳି ନାଗରିକ ସ୍ବାଧୀନତାକୁ ସୁରକ୍ଷିତ ରଖା ଯାଇପାରିବ ? ଯେତେବେଳେ ପୋଲିସର କାର୍ଯ୍ୟଧାରାରେ ସମ୍ବିଧାନକୁ ସମ୍ମାନ ପ୍ରଦାନ କରିବାର ଶୃଙ୍ଖଳାଜ୍ଞାନ ସୁନିଶ୍ଚିତ କରାଯିବ, ଆଇନର ଶାସନ ଅନୁସାରେ ପୋଲିସ କାର୍ଯ୍ୟ କରିବ ଏବଂ ଲୋକଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଲାଗି ଅଙ୍ଗୀକାରବଦ୍ଧତା ରହିବ, ସେତେବେଳେ ହିଁ ଦେଶ ସୁରକ୍ଷିତ ଏବଂ ଖୁସିରେ ରହିବ !