ମୁମ୍ବାଇ: ଆଉ କିଛି ଘଣ୍ଟାର ଅପେକ୍ଷା । ଦେଶର କୋଣ ଅନୁକୋଣରେ ବିରାଜମାନ କରିବେ ଗଣପତି ମହାରାଜ । ଯାହାକୁ ନେଇ ଉତ୍ସବ ମୁଖର ସମଗ୍ର ଭାରତ ବର୍ଷ । ତେବେ କେବେ ଆଉ କିଏ ଏହି ପର୍ବକୁ ଆରମ୍ଭ କରିଥିଲେ ଆସନ୍ତୁ ଜାଣିବା ।
ଦେଶର ପ୍ରତ୍ୟକ ଲୋକଙ୍କ ମଧ୍ୟରେ ସ୍ବାଧୀନତା ଜାଗୃତି କରିବା ପାଇଁ ଏହି ପର୍ବର ଆରମ୍ଭ ହୋଇଥିଲା । ଦେଶରେ ପ୍ରଥମେ ଗଣେଶ ଉତ୍ସବ ମହାରାଷ୍ଟ୍ରରେ ଆରମ୍ଭ ହୋଇଥିଲା । ଦେଶ ସ୍ବାଧୀନତା ହେବା ସମୟରେ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ ଏହାର ଆରମ୍ଭ କରିଥିଲେ । ଏହାର କିଛି ବର୍ଷ ପରେ ଏହି ପରମ୍ପରା ଧିରେ ଧିରେ ପ୍ରାୟ ସମସ୍ତ ରାଜ୍ୟରେ ପାଳନ କରାଗଲା ।
ମହାରାଷ୍ଟ୍ରରେ ସାତବାହନ, ରାଷ୍ଟ୍ରକୂଟ, ଚାଲୁକ୍ୟ ଆଦି ରାଜା ମହାରାଜା ଗଣେଶ ଉତ୍ସବ ପ୍ରଥାର ଆରମ୍ଭ କରିଥଲେ । କିନ୍ତୁ ଏହି ପ୍ରଥା କେବଳ କିଛି ଘର ଭିତରେ ହିଁ ସୀମିତ ରହିଥିଲା । ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ 1893ରେ ଗଣେଶ ଉତ୍ସବର ଶୁଭାରମ୍ଭ କରିଥିଲେ । ଏହି ମସିହାରେ ସାର୍ବଜନିକ ଭାବେ ପ୍ରଥମ ଥର ପୁନେରେ ଏହି ଉତ୍ସବର ପାଳନ କରାଯାଇଥିଲା । ଏହା ହିନ୍ଦୁ କ୍ୟାଲେଣ୍ଡର ହିସାବରେ ଭାଦ୍ରବ ମାସ ଚତୁର୍ଥୀ ଠାରୁ ଚତୁର୍ଦ୍ଦଶୀ ପର୍ଯ୍ଯନ୍ତ ପ୍ରାୟ 10 ଦିନ ଧରି ପାଳନ କରାଯାଇଥାଏ ।
ତେବେ ବାଲ ଗଙ୍ଗାଧର ଯେଉଁ ଗଣପତିଙ୍କୁ ଯେଉଁ ସ୍ବରୂପ ଦେଇଥିଲେ ତାହା ଗଣେଶ ରାଷ୍ଟ୍ରୀୟ ଏକତାର ପ୍ରତୀକ ଭାବେ ପ୍ରତୀତ ହୋଇଥିଲା । ଇଂରେଜ ଶାସନକୁ ମୂଳପୋଛ କରିବା ସହ ଦେଶକୁ ସ୍ବାଧୀନ କରିବାପାଇଁ ଆରମ୍ଭ ହୋଇଥିବା ଗଣେଶ ଉତ୍ସବ ଦେଖୁ ଦେଖୁ ସମଗ୍ର ମହାରାଷ୍ଟ୍ରରେ ଏକ ନୂଆ ପରିବର୍ତ୍ତନ ସୃଷ୍ଟି କରିଥିଲା । ଏହା ଦ୍ବାରା ଲୋକଙ୍କୁ ସ୍ବତନ୍ତ୍ରତା ଆନ୍ଦୋଳନ ଓ ରାଷ୍ଟ୍ରୀୟ ଆନ୍ଦୋଳନ ସହ ଯୋଡାଗଲା । ଛୁଆଁ ଅଛୁଆଁ ଭେଦଭାବକୁ ସାମାଜରୁ ଦୂର କରୁବା ପାଇଁ ଏହା ଏକ ମାଧ୍ୟମ ସାଜିଲା । ଗଣେଶ ପେଣ୍ଡାଲରେ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଥିଲା । ପରେ ସ୍ଥାନୀୟ ଲୋକମାନେ ମଧ୍ୟ ଗମେଶ ଉତ୍ସବ ଆରମ୍ଭ କରିଦେଲେ ।
ଐତିହାସିକ ଡା. ରମେନ୍ଦ୍ର ନାଥ ମିଶ୍ରଙ୍କ କହିବାନୂଯାୟୀ, ଗଣେଶ ପୂଜା କରିବା ପରମ୍ପରା ଯୋଗୁଁ ସାମାଜିକ ସଚେତନାରେ ବିକାଶ ଘଟିଲା । ଏହା ସହିତ ରାଷ୍ଟ୍ରୀୟ ଆନ୍ଦୋଳନକୁ ରାସ୍ତା ମିଳିଲା । ସ୍ବାଧୀନତା ଲଢେଇ ବେଳେ ଅନେକ ଲୋକଙ୍କୁ ଏହା ଜାଗୃତ କରାଇଥିଲା । କାରଣ ସେହି ସମୟରେ ଲୋକେ ସାର୍ବଜନିକ ଭାବେ ପରସ୍ପର ଭିତରେ ବିଚାର-ବିମର୍ଷ କରିବାରେ ସକ୍ଷମ ହେଉନଥିଲେ, କିନ୍ତୁ ଏହି ପୂଜା କରିବା ଦ୍ବାରା ସୂଚନାର ଆଦାନ ପ୍ରଦାନ ହୋଇଥିଲା ।
ମହାରାଷ୍ଟ୍ର ପରେ ସମଗ୍ର ଦେଶରେ ପାଳନ ହେଲା ଉତ୍ସବ
ସ୍ବାଧୀନତା ସଂଗ୍ରାମୀ ମହାଦେବ ପ୍ରସାଦ ପାଣ୍ଡେଙ୍କ କହିବାନୂଯାୟୀ, ଗଣେଶ ପୂଜା ପ୍ରଥମେ ମହାରାଷ୍ଟ୍ରରେ ଆରମ୍ଭ ହୋଇଥିଲା । ଏହାପରେ ଧୀରେ ଧୀରେ ଏହା ସମଗ୍ର ଦେଶରେ ବ୍ୟାପିବାରେ ଲାଗିଲା । ଏହା ଜରିଆରେ ଗଣେଶ ସମିତି ମାନଙ୍କରେ ଅନେକ ପ୍ରକାରର ସାମାଜିକ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।
1938ରେ ଗଣପତିଙ୍କ ଉତ୍ସବର ମୂଲ୍ୟ ଥିଲା 100 ଟଙ୍କା
ମହାରାଷ୍ଟ୍ରର ରେକର୍ଡ ଅନୁଯାୟୀ, ଗଜାନନଙ୍କୁ ନେଇ ଏକ କମିଟି ଗଠନ ହୋଇଥିଲା । ଯେଉଁଥିରେ 1938ରେ ସମିତି ଦ୍ବାରା ସମୁଦାୟ ଖର୍ଚ୍ଚ 100 ଟଙ୍କା ରଖାଯାଇଥିଲା । ପ୍ରାଣ ପ୍ରତିଷ୍ଠା ଓ ମୂର୍ତ୍ତି ପାଇଁ 10 ଟଙ୍କା, କାର୍ଯ୍ୟକ୍ରମ ପାଇଁ 50, ବିସର୍ଜନ ପାଇଁ 50 ଓ ଅନ୍ୟ ଖର୍ଚ୍ଚ ପାଇଁ ସମୁଦାୟ 25 ଟଙ୍କା ରଖାଯାଇଥିଲା ।
କିନ୍ତୁ ଏବେ ଏହି ଉତ୍ସବର ଖର୍ଚ୍ଚ ଏବେ ବୃଦ୍ଧି ପାଇବାରେ ଲାଗିଛି । ଦେଶ ସ୍ବାଧୀନତା ସମୟରେ ଯେଉଁଠି 100 ଟଙ୍କାରେ ପୁରା ଉତ୍ସବ ସମ୍ପନ୍ନ ହେଇଯାଉଥିଲା ଏବେ ଲକ୍ଷାଧିକ ଟଙ୍କା ମଧ୍ୟ ପୂଜା ଓ ଉତ୍ସବ ପାଇଁ କମ ପଡୁଛି ।