ଅହମଦାବାଦ: ଭାରତର କଳା, ସ୍ଥାପତ୍ୟ, ସଂସ୍କୃତି ଓ ଐତିହ୍ୟର ପରିଚୟ ବହନ କରନ୍ତି ଦେଶରେ ଥିବା ଅଗଣତି ସୁନ୍ଦର ଚାରୁକଳାରେ ପରିପୂର୍ଣ୍ଣ ମଠ ଓ ମନ୍ଦିର । ଇତିହାସ, କଳା ଓ ସ୍ଥାପତ୍ୟର ନିରଦର୍ଶନ ଦେଉଥିବା ସେମିତି ଏକ ମନ୍ଦିର ହେଉଛି ଗୁଜୁରାଟର ମୋଢ଼େରା ସୂର୍ଯ୍ୟ ମନ୍ଦିର । ଓଡ଼ିଶାରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଭଳି ମୋଢ଼େରା ମନ୍ଦିରର ମଧ୍ୟ ରହିଛି ସ୍ବତନ୍ତ୍ର ଐତିହାସିକ ମହତ୍ତ୍ବ ।
ଗୁଜୁରାଟର ପାଟନ ନାମକ ସ୍ଥାନ ଠାରୁ 30 କିଲୋମିଟର ଦକ୍ଷିଣ ଆଡକୁ ମୋଢ଼େରା ନାମକ ଗାଁରେ ରହିଛି ମୋଢ଼େରା ସୂର୍ଯ୍ୟ ମନ୍ଦିର । ଏହି ସୂର୍ଯ୍ୟମନ୍ଦିର ବିଚକ୍ଷଣ ଶିଳ୍ପ କଳା ଓ ସ୍ଥାପତ୍ୟର ଅଦ୍ବିତୀୟ ଉଦାହରଣ ଅଟେ । ଏହି ମନ୍ଦିର ଏକ ପଦ୍ମଫୁଲ ଆକାରରେ ନିର୍ମାଣ ହୋଇଛି । ପଥର ଦେହର ଖୋଦିତ ସୁନ୍ଦର କାରୁକାର୍ଯ୍ୟ ଦେଖିଲେ ଆଖି ଫେରାଇ ହୁଏ ନାହିଁ । ରାମାୟଣ ଠାରୁ ଆରମ୍ଭ କରି ମହାଭାରତ, ମଣିଷ ଜୀବନ ଚକ୍ର ଠାରୁ କାମସୂତ୍ର, ମନ୍ଦିରର ପ୍ରତିଟି ଅଂଶରେ ଦେଖିବାକୁ ମିଳେ ଆମ ସଂସ୍କୃତିର ଛିଟା । ଚାଲୁକ୍ୟ ବଂଶର ରାଜା ପ୍ରଥମ ଭୀମଦେବ 1026 ଖ୍ରୀଷ୍ଟାବ୍ଦରେ ନିର୍ମାଣ କରାଇଥିଲେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କୋଣାର୍କ ସୂର୍ଯ୍ୟ ମନ୍ଦିର ଠାରୁ ମଧ୍ୟ ଏହି ମନ୍ଦିର ଖୁବ୍ ପୁରାତନ ।
ମନ୍ଦିରରେ ଥିବା ଗର୍ଭଗୃହ ଭିତରର ଲମ୍ବ 51 ଫୁଟ 9 ଇଞ୍ଚ ଓ ଓସାର 25 ଫୁଟ 8 ଇଞ୍ଚ ଅଟେ । କୋଣାର୍କ ମନ୍ଦିର ଭଳି ଏହି ମନ୍ଦିରର ନିର୍ମାଣ ମଧ୍ୟ ଏପରି ହୋଇଛି ଯେ ସୂର୍ଯ୍ୟୋଦୟ ହେବା କ୍ଷଣି ପ୍ରଥମ କିରଣ ମନ୍ଦିର ଗର୍ଭ ଗୃହରେ ପଡେ । ସମ୍ପୂର୍ଣ୍ଣ ମନ୍ଦିରକୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି । ସେଗୁଡି ହେଉଛି; ସୂର୍ଯ୍ୟକୁଣ୍ଡ, ସଭା ମଣ୍ଡପ ଓ ଗୁଡା ମଣ୍ଡପ ।
ସୂର୍ଯ୍ୟକୁଣ୍ଡ: ମନ୍ଦିରର ଠିକ ସମ୍ମୁଖରେ ରହିଛି ସୂର୍ଯ୍ୟକୁଣ୍ଡ ବା ରାମକୁଣ୍ଡ । ଏହା ଏକ ଗଭୀର, ପାହାଚ ବିଶିଷ୍ଟ କୁଣ୍ଡ । ଏହା ପୂର୍ବରୁ ଶୁଦ୍ଧ ପାନୀୟ ଜଳ ସଂରକ୍ଷଣ ପାଇଁ ବ୍ୟବହାର ହେଉଥିଲା ବୋଲି ବିଶ୍ବାସ କରାଯାଏ । ତେବେ ବର୍ତ୍ତମାନ ଏଠାରେ କେବେଳ ବର୍ଷା ଜଳ ଜମା ହୋଇ ରହିଛି । ବିଶ୍ବାସ କରଯାଏ ଯେ ଏଠାରେ ପୂର୍ବରୁ ଏକ ଭୂତଳ ଝରଣା ମଧ୍ୟ ରହିଥିଲା ।
ସଭା ମଣ୍ଡପ: ସଭା ମଣ୍ଡପର ବ୍ୟବହାର ଧାର୍ମିକ ସଭା ଓ ବୈଠକ ପାଇଁ କରାଯାଉଥିଲା । ସଭାମଣ୍ଡପରେ ରହିଛି 52ଟି ସ୍ତମ୍ଭ । ଯାହାକି ବର୍ଷର 52 ସପ୍ତାହକୁ ପ୍ରତି ଫଳିତ କରେ । ଏହି ସ୍ତମ୍ଭ ଗୁଡ଼ିକରେ ବିଭିନ୍ନ ଦେବାଦେବୀଙ୍କ ଚିତ୍ର ସହ ରାମାୟଣ ଓ ମହାଭାରତର ବିଭିନ୍ନ ପ୍ରଶଙ୍ଗ ବର୍ଣ୍ଣିତ ହୋଇ ରହିଛି । ଏହି ସ୍ତମ୍ଭ ଗୁଡିକର ତଳ ଆଡ଼କୁ ଦେଖିଲେ ଏହା ଅଷ୍ଟ କୋଣାକାର ଓ ଉପର ଆଡ଼କୁ ଦେଖିଲେ ଏହା ଗୋଲାକାର ଦେଖାଯାଏ ।
ଗୁଡ଼ା ମଣ୍ଡପ: ଏହି ଗୃହରେ ଦିନେ ଭଗବାନ ସୂର୍ଯ୍ୟଙ୍କର ପ୍ରତିମୂର୍ତ୍ତି ସ୍ଥାପିତ ହୋଇଥିଲା । ଚଲୁକ୍ୟ ରାଜା ସୂର୍ଯ୍ୟବଂଶୀ ଥିବାରୁ ସେ ନିଜ ଇଷ୍ଟଦେବତା ଭାବେ ସୂର୍ଯ୍ୟଙ୍କୁ ପୂଜା କରୁଥିଲେ । ତେବେ ବିଦେଶୀ ଆକ୍ରମଣକାରୀଙ୍କ ଆକ୍ରମଣ ଯୋଗୁଁ ମନ୍ଦିରର ଅନେକ ଅଂଶ ନଷ୍ଟ ହୋଇଗଲା । ଏହି କ୍ରମରେ ଆଲ୍ଲାଉଦ୍ଦୀନ ଖିଲଜୀ ଆକ୍ରମଣ ବେଳେ ମନ୍ଦିର ଆହୁରି ନଷ୍ଟ ହୋଇଗଲା, ସେ ମନ୍ଦିରର ମୂର୍ତ୍ତି ଗୁଡିକ ମଧ୍ୟ ଭାଙ୍ଗି ଦେଇଥିଲା । ତେଣୁ ବର୍ତ୍ତମାନ ଏଠାରେ ଆଉ ସୂର୍ଯ୍ୟ ପୂଜା ହେଉ ନାହିଁ । ବିଶ୍ବାସ କରାଯାଏ ଯେ ମନ୍ଦିର ଖିଲଜୀର ଆକ୍ରମଣ ଦ୍ବାରା ଖଣ୍ଡିତ ହେଲା । ବର୍ତ୍ତମାନ ଏହାକୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ନିଜ ତତ୍ତ୍ବାବଧାନରେ ରଖିଛି । ବର୍ତ୍ତମାନ ମଧ୍ୟ ବର୍ଷର 12 ମାସକୁ ସୂଚାଉଥିବା 12ଟି ସୂର୍ଯ୍ୟଙ୍କ 12ଟି ସ୍ଥତି ଚିତ୍ରିତ ହୋଇଥିବା ଦେଖିବାକୁ ମିଳେ ।
ପୁରାଣରେ ବର୍ଣ୍ଣିତ ଅଛି ଯେ, ସୂର୍ଯ୍ୟକୁଣ୍ଡ ଠାରୁ ମୁଖ୍ୟ ମନ୍ଦିର ଦେଇ ଗୁଡ଼ା ମଣ୍ଡପ ପର୍ଯ୍ୟନ୍ତ ଯାତ୍ରା ହେଉଛି ମୃତ୍ୟୁରୁ ମୋକ୍ଷ ପର୍ଯ୍ୟନ୍ତ ଯାତ୍ରା ।
ପୁରାଣରେ ମୋଢ଼େରାର ବର୍ଣ୍ଣନା
ସ୍କନ୍ଦ ଓ ବ୍ରହ୍ମ ପୁରାଣରେ ମଧ୍ୟ ଏହି ମନ୍ଦିରର ବର୍ଣ୍ଣନା ରହିଛି ଯେ ପ୍ରାଚୀନ କାଳରେ ମୋଢ଼େରା ଆଖପାଖ ସ୍ଥାନକୁ ଧର୍ମାରଣ୍ୟ ବୋଲି କୁହାଯାଉଥିଲା । ପୁରାଣରେ ଏହା ମଧ୍ୟ ବର୍ଣ୍ଣିତ ଅଛି ଯେ ପ୍ରଭୁ ରାମ ରାବଣ ବଧ ପରେ ଗୁରୁ ବଶିଷ୍ଟଙ୍କୁ ଏପରି ଏକ ସ୍ଥାନ ପଚାରି ଥିଲେ ଯେଉଁଠାରେ ସେ ଯାଇ ଆତ୍ମଶୁଦ୍ଧି କରିବେ ଓ ବ୍ରହ୍ମ ହତ୍ୟାର ପାପରୁ ମୁକ୍ତି ପାଇବେ । ସେତେବେଳେ ଗୁରୁ ବଶିଷ୍ଟ ଶ୍ରୀ ରାମଙ୍କୁ ଏହି ସ୍ଥାନକୁ ଯିବା ପାଇଁ କହିଥିଲେ ।
ପୂର୍ବରୁ ଏହି ମନ୍ଦିରର ସ୍ଥିତି ଏପରି ଥିଲା ଯେ ପ୍ରତି ଇକ୍ୟୁନକ୍ସରେ ସୂର୍ଯ୍ୟଙ୍କ ବିଗ୍ରହରେ ଲାଗିଥିବା ହୀରା ଉପରେ ସୂର୍ଯ୍ୟ କିରଣ ପଡ଼ି ସମ୍ପୂର୍ଣ୍ଣ ଗର୍ଭଗୃହ ସୁନେଲୀ କିରଣ ଆଲୋକିତ ହେଉଥିଲା । ଏହାସହ ଅନ୍ୟଦିନରେ ସୂର୍ଯ୍ୟଙ୍କ ଉପସ୍ଥିତି ଯେମିତି ହେଉ ନା କାହିଁକି ଗର୍ଭଗୃହ ସମ୍ମୁଖର ଦୁଇଟି ସ୍ତମ୍ଭ ଆଲୋକିତ ହୋଇ ରହୁଥିଲା । କିନ୍ତୁ ବର୍ତ୍ତମାନ ତାହା କେବଳ ଇତିହାସ ପୃଷ୍ଠାରେ ହିଁ ରହିଯାଇଛି ।
ଆପଣ ଯଦି କେବେ ଗୁଜୁରାଟ ଯାଆନ୍ତି ସୁନ୍ଦରେ କଳା ସ୍ଥାପତ୍ୟରେ ପରିପୂର୍ଣ୍ଣ ଏହି ମନ୍ଦିର ଓ ଐତିହ ସ୍ଥଳୀକୁ ଥରେ ବୁଲି ଆସିବେ ନିଶ୍ଚୟ ।