ହାଇଦ୍ରାବାଦ: କାରଗିଲ୍ ଲଢେଇର ଯୁବ କ୍ୟାପଟେନ ସୌରଭ କାଲିଆ ସମେତ 5 ଜଣ ଯବାନଙ୍କ ସହ ପାକିସ୍ତାନର କ୍ରୁର ନିର୍ଯାତନା ଅସନ୍ତୋଷର ମୁଖ୍ୟ କାରଣ ଥିଲା । କ୍ୟାପଟେନ ସୌରଭ କାଲିଆ ପଞ୍ଜାବ ଅମୃତସରର ବାସିନ୍ଦା ଥିଲେ ଓ ୟୁପିଏସସି ଦ୍ବାରା ପରିଚାଳିତ ମିଳିତ ପ୍ରତିରକ୍ଷା ସେବା ପରୀକ୍ଷା ମାଧ୍ୟମରେ ଭାରତୀୟ ମିଲିଟାରୀ ଏକାଡେମୀ ପାଇଁ ମନୋନୀତ ହୋଇଥିଲେ । ତାଙ୍କର ପ୍ରଥମ ପୋଷ୍ଟିଂ ଚତୁର୍ଥ ବାଟାଲିୟନ ଜାଟ ରେଜିମେଣ୍ଟରେ ଜାନୁଆରୀ 1999 ରେ କାରଗିଲ ସେକ୍ଟରରେ ହୋଇଥିଲା । ଯୁଦ୍ଧ ଆରମ୍ଭ ହେବାର କିଛି ମାସ ପୂର୍ବରୁ ସେ ଯୋଗ ଦେଇଥିଲେ । ମାତ୍ର 22 ବର୍ଷରେ ସେ ଶହୀଦ ହୋଇଥିଲେ ।
15 ମେ 1999 ରେ କ୍ୟାପଟେନ ସୌରଭ ଓ ଅନ୍ୟ 5 ଜଣ ଯବାନ ଲଦାଖ ପର୍ବତର କାକସର ସେକ୍ଟରରେ ବଜରଙ୍ଗ ପୋଷ୍ଟରେ ନିୟମିତ ପାଟ୍ରୋଲିଂ ପାଇଁ ଯାଇଥିଲେ। ପରିସ୍ଥିତି ଏତେ ବଢିଗଲା ଯେ ଉଭୟ ପକ୍ଷର ସୈନ୍ୟ ମଧ୍ୟରେ କ୍ରମାଗତ ଗୁଳି ବିନିମୟ ହୋଇଥିଲା । କିନ୍ତୁ ଶେଷରେ କ୍ୟାପଟେନ ଓ ତାଙ୍କର ସୈନ୍ୟ ଗୁଳି ଚଳାଇଥିଲେ । ଠିକ୍ ସେତିକିବେଳେ ସେମାନଙ୍କୁ ଏକ ପ୍ଲାଟୁନ୍ ପାକିସ୍ତାନୀ ରେଞ୍ଜର ଘେରି ରହିଥିଲେ ଓ ଭାରତୀୟ ସୈନ୍ୟ ସେମାନଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ପାକିସ୍ତାନୀ ସେମାନଙ୍କୁ ଜୀବନ୍ତ କାବୁ କରି ନେଇଥିଲେ। ସେମାନେ 3 ସପ୍ତାହରୁ ଅଧିକ ସମୟ କାରାଗାରରେ ରହିଥିଲେ ଓ 9 ଜୁନ 1999 ରେ ପାକିସ୍ତାନ ସେନା ଦ୍ବାରା ଫେରସ୍ତ କରାଯାଇଥିବା ମୃତଦେହରୁ ପ୍ରମାଣିତ ହୋଇଥିଲା ପାକିସ୍ତାନର ନିର୍ଯାତନା ।
ପୋଷ୍ଟମର୍ଟମରୁ ପାକିସ୍ତାନୀମାନେ କିପରି ନିଜ ବନ୍ଦୀମାନଙ୍କୁ ନିର୍ଯାତନା ଦେଇଛନ୍ତି, ସେନେଇ ସମଗ୍ର ବିଶ୍ବ ଅବଗତ ହୋଇଗଲା । ସିଗାରେଟରେ ଶରୀରକୁ ଜାଳିବା, ଗରମ ରଡରେ କାନ ଭିତରେ ଭର୍ତ୍ତି କରିବା, ଆଖି ଫୁଟାଇବା, ଦାନ୍ତ ଓ ହାଡ ଭାଙ୍ଗିବା, ଖପୁରୀ ଭାଙ୍ଗିବା, ଓଠ କାଟିବା , ନାକ କାଟିବା, ଯବାନଙ୍କ ଗୁପ୍ତାଙ୍ଗ କାଟିବା ଓ ଶେଷରେ ସେମାନଙ୍କୁ ଗୁଳି କରି ହତ୍ୟା କରିବା । ମୃତ୍ୟୁ ପୂର୍ବରୁ ଯବାନଙ୍କ ଏପରି ଭାବେ ନିର୍ଯାତନା ଦେଇଥିଲା ପାକିସ୍ତାନ ।
21 ବର୍ଷ ପରେ ବି ନ୍ୟାୟ ପାଇଁ ପିତାଙ୍କ ସଂଗ୍ରାମ-
ଅକ୍ଟୋବର 1999ରେ ସେନା ମୁଖ୍ୟ ଜେନେରାଲ ଭି.ପି ମଲିକ ସୌରଭଙ୍କ ଘରକୁ ଯାଇ ଭାରତ ସରକାରଙ୍କ ସହିତ ଏହି ପ୍ରସଙ୍ଗ ଉଠାଇବାକୁ ପ୍ରତିଶୃତି ଦେଇଥିଲେ, କିନ୍ତୁ ପରେ ସେନା ତାଙ୍କ ପିତାଙ୍କୁ କହିଥିଲେ ଯେ ଏହି ସମ୍ବେଦନଶୀଳ ପ୍ରସଙ୍ଗ 2 ଟି ଦେଶ ସହିତ ଜଡିତ । ତେଣୁ ଏଥିରେ କେବଳ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA), ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (PMO) କିମ୍ବା ପ୍ରତିରକ୍ଷା ମନ୍ତ୍ରଣାଳୟ (MOD) ହିଁ ଏହାକୁ ନେଇପାରିବେ ।
2001 ଆଗ୍ରା ଶିଖର ସମ୍ମିଳନୀ ପୂର୍ବରୁ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁଶରଫଙ୍କ ସହ 10 ମିନିଟର ସାକ୍ଷାତକାର ପାଇଁ ତାଙ୍କ ପିତା କହିଥିଲେ ମାତ୍ର ତାହା ମଧ୍ୟ ମିଳିଲା ନାହିଁ । ସେ MEA, PMO, MODକୁ ଚିଠି ଲେଖିଥିଲେ । ସେ 1999 ରେ ନୂଆଦିଲ୍ଲୀରେ ପାକିସ୍ତାନ ହାଇ କମିଶନ ମାଧ୍ୟମରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଥିଲେ କିନ୍ତୁ କୌଣସି ଉତ୍ତର ମିଳିପାରିନଥିଲା ।
ଜାତୀୟ ମାନବାଧିକାର କମିଶନଙ୍କ ନିକଟକୁ ଆସିବା ପରେ ସୂଚନା ଦିଆଯାଇଥିଲା ଯେ ଏଭଳି ପ୍ରସଙ୍ଗରେ କାର୍ଯ୍ୟ କରିବା ସହଜ ନୁହେଁ। ଯେତେବେଳେ ସେ ଆର୍ମ ଫୋର୍ସ ଟ୍ରିବ୍ୟୁନାଲ୍ ନିକଟକୁ ଯାଇଥିଲି ସେତେବେଳେ ଭାରତ ସରକାର, ପାକିସ୍ତାନ ସହିତ ଏହି ପ୍ରସଙ୍ଗ ଉଠାଇବାକୁ କହିଥିଲେ। ଭାରତର ରାଷ୍ଟ୍ରପତିଙ୍କ ନିକଟରେ ତାଙ୍କର ଆବେଦନର 6 ମାସ ପରେ କେବଳ ଏତିକି ହିଁ ଉତ୍ତର ଆସିଲା ଯେ, ମାମଲାକୁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ପଠାଯାଇଛି । ଶେଷରେ 2012 ସେ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ କରିଥିଲେ।
ସରକାରଙ୍କ ପ୍ରତିକ୍ରିୟା-
ଏହି ପ୍ରସଙ୍ଗରେ ପାକିସ୍ତାନ ବିରୋଧରେ ଆଇସିଜେକୁ ଜଣାଇବା ବ୍ୟବହାରିକ ନୁହେଁ ବୋଲି ନରେନ୍ଦ୍ର ମୋଦି ସରକାର କହିଛନ୍ତି । କ୍ୟାପଟେନ ସୌରଭଙ୍କ ପରିବାର ସୁପ୍ରିମକୋର୍ଟରେ ଅନ୍ତର୍ଜାତୀୟ ଯାଞ୍ଚ ପାଇଁ ଦାବି କରିବା ପରେ କେନ୍ଦ୍ରର ପ୍ରତିକ୍ରିୟା ଆସିଛି ।
ୟୁପିଏ କାର୍ଯ୍ୟକାଳ ମଧ୍ୟରେ ସରକାର କେବଳ ଏହା ବଜାୟ ରଖିଥିଲା ଯେ ପାକିସ୍ତାନ ଏହାକୁ ଅନୁମତି ଦେବ ନାହିଁ । ଭାରତ ଅନୁଭବ କରୁଛି ଯେ ଏହା ଏକ ଦ୍ବିପାକ୍ଷିକ ପ୍ରସଙ୍ଗ ଓ ଏହା ସର୍ବଦା ବଜାୟ ରଖିଛି ଯେ ଦ୍ବିପାକ୍ଷିକ କିମ୍ବା ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଆଇସିଜେ ଦ୍ବାରା ହସ୍ତକ୍ଷେପ ନହେବା ଉଚିତ୍।
ଅନ୍ୟପକ୍ଷେ କ୍ୟାପଟେନ ସୌରଭ ଓ ତାଙ୍କ ଯବାନ ଅତ୍ୟଧିକ ଖରାପ ପାଗ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି ଓ ସେମାନଙ୍କ ମୃତଦେହ ଏକ ଗର୍ତ୍ତରୁ ମିଳିଥିଲା ବୋଲି ଏପର୍ଯ୍ୟନ୍ତ ପାକିସ୍ତାନ ସରକାର କହିଆସୁଛନ୍ତି ।