ଶ୍ରୀନଗର: ଗୁରୁବାର ଭୋର ପ୍ରାୟ 4ଟା ସମୟରେ, 45 ବର୍ଷୀୟା କୌସର ରିୟାଜ୍ ଏବଂ ତାଙ୍କ ପୁଅ ଆକିବ୍ ରିୟାଜ୍ ସେମାନଙ୍କ ବେକେରୀ ଦୋକାନ ଆଡକୁ ଗାଡିରେ ଯାଉଥିବା ବେଳେ ସେମାନଙ୍କ ଆଗରେ ସୁରକ୍ଷା ବଳର ଯବାନମାନେ ଯାଉଥିବା ଦେଖିଲେ । ଏକ ଅସ୍ବାଭାବିକ ଘଟଣା ଘଟିଥିବା ଆଶଙ୍କା କରି କୌସର ଗାଡି ବୁଲାଇ ଫେରିଯିବା ପାଇଁ ତାଙ୍କ ପୁଅଙ୍କୁ କହିଲେ । କିନ୍ତୁ ଯେମିତି ସେ ପଛକୁ ଗାଡ଼ି ବୁଲାଇଛନ୍ତି, ତାଙ୍କ କାର୍ ଉପରକୁ ଆଖିବୁଜା ଗୁଳିମାଡ଼ ହୋଇଥିଲା । ସୁରକ୍ଷା ବଳ କର୍ମୀଙ୍କ ଅଚାନକ ଗୁଳିମାଡ଼ ଫଳରେ କୌସର ପ୍ରାଣ ହରାଇଲେ ।
ମାଆଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ହେଉଥିବା ଦେଖି ଆକିବ୍ ତାଙ୍କ ଜେକେ 01 ଡବ୍ଲୁ 7338 ନମ୍ବର ବିଶିଷ୍ଟ ସାଣ୍ଟ୍ରୋ କାର୍ ଅଟକାଇ ଦେଖିଲେ ଯେ, ତାଙ୍କ ମାଆଙ୍କର ମୁଣ୍ଡ ପଛପଟରେ କେତେକ ଗୁଳି ବାଜିଛି । 25 ବର୍ଷୀୟ ଏହି ଯୁବକ ଇଟିଭି ଭାରତକୁ କହିଛନ୍ତି, “ଯେମିତି ମୋ ମାଆ ସୁରକ୍ଷା ବଳ ଯବାନମାନଙ୍କୁ ଦେଖିଲେ, ସେ ଡରିଗଲେ ଏବଂ ଗାଡ଼ି ବୁଲାଇବା ପାଇଁ ମୋତେ କହିଲେ । କେଇ ମିନିଟ୍ ଭିତରେ ଆମ ଉପରେ ଗୁଳିମାଡ଼ ହେଲା । କେତେକ ଗୁଳି କାର୍ର ପଛପଟ କାଚ ଭିତରେ ଗଳି ମୋ ମାଆଙ୍କ ମୁଣ୍ଡରେ ବାଜିଲା ।”
ସେ ଆହୁରି କହିଛନ୍ତି, “ମୋ ମାଆଙ୍କ ଦେହରେ ଗୁଳି ବାଜିଛି ବୋଲି ମୁଁ ସେଠାରେ ଅବସ୍ଥାପିତ ପୋଲିସ କର୍ମଚାରୀମାନଙ୍କୁ କହିଲି, ହେଲେ ସେମାନେ କୌଣସି ପ୍ରତିକ୍ରିୟା ପ୍ରକାଶ କଲେ ନାହିଁ । ତା’ପରେ ରକ୍ଷକ (ପୋଲିସ ଭ୍ୟାନ୍)ରେ ଥିବା କେତେକ ପୋଲିସ କର୍ମଚାରୀ ଆମକୁ ପୋଲିସ କଣ୍ଟ୍ରୋଲ ରୁମ୍କୁ ନେଇଗଲେ ଏବଂ ସେଠାରେ ମୁଁ ନିଜେ ମୋ ମାଆଙ୍କୁ ବାହାରକୁ ବାହାର କଲି । ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ରିପୋର୍ଟରେ କୁହାଗଲା, କିନ୍ତୁ, ବାସ୍ତବରେ ସେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ।
ସେହି ଅଞ୍ଚଳରେ କୌସରଙ୍କ ପରିବାରର ଏକ ବେକେରୀ ଦୋକାନ ଅଛି ଏବଂ ସେମାନେ ସବୁଦିନ ପ୍ରାୟ ସେହି ସମୟରେ ଘରୁ ବାହାରି ଦୋକାନକୁ ଯାଆନ୍ତି ଏବଂ ସେଠାକାର ବାସିନ୍ଦାଙ୍କ ପାଇଁ ପାଉଁରୁଟି ତିଆରି କରନ୍ତି । ଏ ବର୍ଷ ଅଗଷ୍ଟ 31ରେ ଆକିବ୍ଙ୍କ ବିବାହ ହୋଇଥିଲା ଏବଂ ତା ପରେ ସେ ସେହି ଅଞ୍ଚଳରେ ନିର୍ମିତ ଏକ ନୂଆ ଘରେ ରହୁଥିଲେ । ବିବାହ ଓ ନୂଆଘର ପାଇଁ ଆଗପଛ ହୋଇ ଦୁଇଟି ଉତ୍ସବ ପାଳିତ ହେବା ପରେ, ଏବେ ତାଙ୍କ ସଂପର୍କୀୟମାନେ କୌସରଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବାକୁ ସେଇ ନୂଆ ଘରେ ଏକତ୍ର ହୋଇଛନ୍ତି ।
ପରିବାରର ଅଭିଯୋଗ ଯେ, “ଏହା ଏକ ପୂର୍ବରୁ ଲକ୍ଷ୍ୟ ସ୍ଥିରୀକୃତ ହତ୍ୟାକାଣ୍ଡ ।”ଗୁଳିମାଡ଼ରେ କୌସରଙ୍କ ମୃତ୍ୟୁ ସମୟରେ ତାଙ୍କ ସ୍ବାମୀ ଶ୍ରୀନଗରର ‘ଚେଷ୍ଟ୍ ଡିଜିଜ୍ ହସ୍ପିଟାଲ’ରେ ରାତି ସିଫ୍ଟ ଡ୍ୟୁଟିରେ କାମ କରୁଥିଲେ । ଆକିବଙ୍କ ଶ୍ବଶୁର ମହମ୍ମଦ ଆମିନ ସୋଫି କହିଛନ୍ତି, “ପ୍ରଥମେ ଆକିବ୍ ତାଙ୍କ ବାପାଙ୍କୁ ଖବର ଦେଲେ । ତା ପରେ ସେ ଘଟଣାସ୍ଥଳରୁ ହିଁ ମୋତେ ଫୋନ୍ କଲେ ଏବଂ ଆମେ ପୋଲିସ କଣ୍ଟ୍ରୋଲ ରୁମ୍କୁ ଗଲୁ । କିନ୍ତୁ ଏ ପର୍ଯ୍ୟନ୍ତ ସେମାନେ କୌସରଙ୍କ ମୃତଦେହ ଦେଇନାହାନ୍ତି ।” ଏ ପର୍ଯ୍ୟନ୍ତ ଏହି ପରିବାରକୁ ସାକ୍ଷାତ କରିବା ଲାଗି କୌଣସି ପୋଲିସ କିମ୍ବା ପ୍ରାଶାସନିକ ଅଧିକାରୀ ଆସିନାହାନ୍ତି ଏବଂ ସେମାନଙ୍କ ଭରସାରେ ହିଁ ସେମାନଙ୍କୁ ଛାଡ଼ି ଦିଆଯାଇଛି ବୋଲି ମଧ୍ୟ ସେ କହିଛନ୍ତି ।
ସେ କହିଥିଲେ, “ସେମାନେ କହୁଛନ୍ତି ଯେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଆମେ ତୁମକୁ ତାଙ୍କ ମୃତଦେହ ଦେଇପାରିବୁନି ।”
ପୋଲିସ କହିବା ଅନୁସାରେ, ଶ୍ରୀନଗରର ବାଟାମାଲୁ ଅଞ୍ଚଳରେ ଭୋର ପ୍ରାୟ 2ଟା ସମୟରେ ଏହି ମିଳିତ ଅଭିଯାନ ଆରମ୍ଭ ହୋଇଥିଲା । ଏବଂ ସେଠାକାର ସ୍ଥାନୀୟ ତିନି ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ସହିତ ଏହି ଅପରେସନ୍ ଶେଷ ହୋଇଥିଲା । ସେମାନେ ସମସ୍ତେ ଦକ୍ଷିଣ କାଶ୍ମୀର ବାସିନ୍ଦା । ସେମାନଙ୍କ ସହିତ କୌସର ପ୍ରାଣ ହରାଇଥିଲେ ।
ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଜାମ୍ମୁ ଓ କାଶ୍ମୀରର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଦିଲବାଗ ସିଂହ କହିଲେ ଯେ ଉଭୟ ପକ୍ଷରୁ ‘ଗୁଳି ବିନିମୟ’ରେ କୌସର ପ୍ରାଣ ହରାଇଲେ । ଏହି ଅଭିଯାନର ନେତୃତ୍ବ ନେଇଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍ପିଏଫ୍)ର ଜଣେ ଡେପୁଟୀ କମାଣ୍ଡାଣ୍ଟ ମଧ୍ୟ ଏହି ସଂଘର୍ଷରେ ଆହତ ହୋଇଛନ୍ତି ଏବଂ ସେ ବର୍ତ୍ତମାନ ମିଲିଟାରୀ ବେସ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ସିଂହ କହିଲେ, “ଦୁର୍ଭାଗ୍ୟବଶତଃ କୌସର ରିୟାଜ୍ ନାମ୍ନୀ ଜଣେ ମହିଳା ମଧ୍ୟ ଏନ୍କାଉଣ୍ଟର ସ୍ଥଳରେ ପ୍ରାଣ ହରାଇଛନ୍ତି । ଏହି ଏନ୍କାଉଣ୍ଟର ସମୟରେ ଜଣେ ବେସାମରିକ ନାଗରିକଙ୍କ ଜୀବନହାନି ଘଟଣା ଆମକୁ ଦୁଃଖିତ କରିଛି ।”
ଆଶ୍ଚର୍ଯ୍ୟକର କଥା ଯେ, ଏ ବର୍ଷ ଜୁଲାଇ 1 ତାରିଖରେ ଆତଙ୍କବାଦୀଙ୍କ ଆକ୍ରମଣ ସମୟରେ ବଶିର ଅହମଦ ଖାନ୍ ନାମକ ଜଣେ 65 ବର୍ଷୀୟ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ । ସେତେବେଳେ ବଶିର ତାଙ୍କ ତିନି ବର୍ଷର ନାତି ସମେତ ପରିବାର ସହ ଯାଉଥିଲେ । ତାଙ୍କ ସହିତ ଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ଯେ ତାଙ୍କୁ ଗାଡ଼ି ଭିତରୁ ଟାଣି ବାହାର କରି ହତ୍ୟା କରାଯାଇଥିଲା । କିନ୍ତୁ ସୁରକ୍ଷା ବଳ ଏହାକୁ ଅସ୍ବୀକାର କରିଆସୁଛନ୍ତି ।
ପୋଲିସ ମହାନିର୍ଦ୍ଦେଶକଙ୍କ କହିବା ଅନୁସାରେ, ଏହି ଅଞ୍ଚଳରେ ଏ ବର୍ଷ ବର୍ତ୍ତମାନ ସୁଦ୍ଧା 177 ଜଣ ଆତଙ୍କବାଦୀ ପ୍ରାଣ ହରାଇଲେଣି ଏବଂ ସେମାନଙ୍କ ମଧ୍ୟରୁ 16 ଜଣ କେବଳ ଶ୍ରୀନଗର ସହରରେ ହୋଇଥିବା ସାତଟି ଅଭିଯାନ ଅବସରରେ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ସାତ ଜଣ ଆତଙ୍କବାଦୀ ଶ୍ରୀନଗରର ସ୍ଥାନୀୟ ବାସିନ୍ଦା ।ଗୁରୁବାର ଭୋର ପ୍ରାୟ 2ଟା ସମୟରେ ପୋଲିସ କଣ୍ଟ୍ରୋଲ ରୁମ ନିକଟବର୍ତ୍ତୀ ଜନବହୁଳ ବାଟାମାଲୁ ଅଞ୍ଚଳରେ ଏନ୍କାଉଣ୍ଟର ଆରମ୍ଭ ହୋଇଥିଲା । ଜାମ୍ମୁ ଓ କାଶ୍ମୀର ଗ୍ରାମୀଣ ବ୍ୟାଙ୍କର ଜଣେ ଅବସରପ୍ରାପ୍ତ ପରିଚାଳକ ଅବଦୁଲ ମାଜିଦ ଗାନିଙ୍କ ଘରକୁ ସଶସ୍ତ୍ର ସୁରକ୍ଷା ବଳ ଘେରିଯାଇଥିଲେ ।
ଇଟିଭି ଭାରତକୁ ଗାନି କହିଛନ୍ତି, “ପୋଲିସ ଆମ ଘରର କବାଟ ବାଡ଼େଇ ଆମକୁ ବାହାରି ଯିବାକୁ କହିଲା । ସେମାନେ ଆମର ସମସ୍ତ ଛଅଟି ଯାକ ମୋବାଇଲ ଫୋନ୍ ନେଇଗଲେ ଏବଂ ମୋ ପିଲାମାନଙ୍କୁ ଅଟକ ରଖିଲେ । ସେମାନେ ଆମକୁ ରାସ୍ତାରେ ରହିବାକୁ କହିଲେ । ଆମେ ଜାଣି ନଥିଲୁ ଯେ କ’ଣ ସବୁ ଘଟୁଛି । ସେତେବେଳେ ମୋର ପରିବାର ଲୋକଙ୍କ ବ୍ୟତୀତ ଆମ ଘରେ ଆଉ କେହି ନଥିଲେ ।”
ଗାନିଙ୍କ କହିବା ଅନୁସାରେ, ପୋଲିସ ତାଙ୍କର ତିନି ପୁଅଙ୍କୁ ଅଟକ ରଖିଛି । ସେମାନେ ହେଲେ ଇଜହାର-ଉଲ-ଇସଲାମ, ଯେ କି ଜଣେ ବିୟୁଏମ୍ଏସ୍ ଡାକ୍ତର, ଇଦ୍ରିସ୍-ଉଲ୍-ଇସ୍ଲାମ, ଦନ୍ତ ଚିକିତ୍ସକ ଏବଂ ଶାହୀନ-ଉଲ୍-ଇସଲାମ, ସ୍ନାତକୋତ୍ତର ଡିଗ୍ରୀଧାରୀ । ତାଙ୍କର ଦୁଇ ଜଣ ଝିଅ ମଧ୍ୟ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଏବେ ଏମ୍ବିବିଏସ୍ ପଢୁଛନ୍ତି ।ସୁରକ୍ଷା ବଳର ଏହି ଅଭିଯାନ ଯୋଗୁଁ ତାଙ୍କର ଏକ ମହଲାର ଘରଟି କ୍ଷତିଗ୍ରସ୍ତ ହୋଇଛି ଏବଂ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଏହି ଅଭିଯାନ ସମୟରେ ତାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ନଗଦ 45,000 ଟଙ୍କା ଚୋରି ହୋଇଯାଇଛି ।
ପୂର୍ବରୁ ମଧ୍ୟ ଏନକାଉଣ୍ଟର ସମୟରେ ପୋଲିସ କର୍ମୀମାନେ ସେମାନଙ୍କର ସୁନା ଗହଣା ଓ ନଗଦ ଟଙ୍କା ଚୋରି କରିନେଇଛନ୍ତି ବୋଲି ବିଭିନ୍ନ ଏନ୍କାଉଣ୍ଟର ସ୍ଥଳ ନିକଟବର୍ତ୍ତୀ ସ୍ଥାନରେ ବସବାସ କରୁଥିବା କିମ୍ବା ଉଭୟ ସଶସ୍ତ୍ର ବଳ ଓ ଆତଙ୍କବାଦୀଙ୍କ ଗୁଳିଗୋଳା ବିନିମୟ ମଝିରେ ଫସି ଯାଇଥିବା ଅନେକ ସ୍ଥାନୀୟ ବାସିନ୍ଦା ବହୁତ ଥର ଅଭିଯୋଗ କରିଛନ୍ତି । କିନ୍ତୁ ପୋଲିସ ସବୁ ସମୟରେ ଏହି ଅଭିଯୋଗକୁ ଅସ୍ବୀକାର କରିଆସିଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସକାଳ ପ୍ରାୟ 7ଟା 30 ସମୟରେ ଗୁଳିମାଡ଼ ବନ୍ଦ ହୋଇଥିଲା ଏବଂ ଏହା ପରେ ସେ ଅଞ୍ଚଳରେ ପୋଲିସ ସହିତ ଲୋକଙ୍କ ସଂଘର୍ଷ ଆରମ୍ଭ ହୋଇଥିଲା । ପ୍ରତିବାଦକାରୀମାନଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିବା ସହିତ ଫାଙ୍କା ଗୁଳିଚାଳନା କରିଥିଲା । କୌସରଙ୍କ ହତ୍ୟା ପ୍ରତିବାଦରେ ସ୍ଥାନୀୟ ବାସିନ୍ଦାମାନେ ବାଟାମାଲୁକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତା ଓ ଗଳିରାସ୍ତାରେ ଟାୟାର ଜାଳି ରାସ୍ତା ବନ୍ଦ କରିବା ସହିତ ପରିବହନ ବ୍ୟବସ୍ଥାକୁ ଠପ୍ କରିଦେଇଛନ୍ତି ।
ସୋପୋରରେ ଜାମ୍ମୁ ଓ ପୋଲିସ ‘ହାଜତ’ରେ ଥିବା ଜଣେ 23 ବର୍ଷୀୟ ଯୁବକ ଇର୍ଫାନ ଅହମଦ ଦରଙ୍କ ହତ୍ୟା ଅଭିଯୋଗ ଏବଂ ଏହା ପରେ ସେ ଅଞ୍ଚଳରେ ପ୍ରତିବାଦ ଆନ୍ଦୋଳନ ସଂଘଟିତ ହେବାର ଦିନକ ପରେ ବାଟାମାଲୁରେ ଏହି ଘଟଣା ଘଟିଛି । ଉକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି । ପୋଲିସ ମହାନିର୍ଦ୍ଦେଶକଙ୍କ କହିବା ଅନୁସାରେ, ଇରଫାନ ନିକଟରୁ ପୋଲିସ କେତେକ ହ୍ୟାଣ୍ଡ ଗ୍ରେନେଡ୍ ଜବତ କରିଥିଲା ଏବଂ ଆହୁରି କେତେକ ଗ୍ରେନେଡ୍କୁ ସେ ଲୁଚାଇ ରଖିଥିବା ସ୍ଥାନରୁ ଉଦ୍ଧାର କରିବାକୁ ଯିବା ବାଟରେ ସେ ‘ଖସି ପଳାଇବାକୁ’ ଉଦ୍ୟମ କରିଥିଲା । ପରବର୍ତ୍ତୀ ସମୟରେ ସୋପୋରର ତୁଜ୍ଜାର ଶରିଫ ଅଞ୍ଚଳରେ ଥିବା ଏକ ପଥର ଖାଦାନ ନିକଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।
ଶେଷରେ ବାଟାମାଲୁ ଘଟଣାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ପାଇଁ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଲେଖକ, ମହମ୍ମଦ ଜୁଲକରନୈନ୍ ଜୁଲ୍ଫି