ହାଇଦ୍ରାବାଦ: ଉତ୍ତର ପ୍ରଦେଶରେ ପୁଣି ଏକ 18 ବର୍ଷର ଯୁବତୀଙ୍କୁ ଦୁଷ୍କର୍ମ କରିବା ସହ ପୋଡି ଦିଆଯାଇଛି । ପୀଡିତା ଜଣକ କାନପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପ୍ରତିଦିନ ପ୍ରାୟ 100ଟି ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଥାଏ । ଆଜି ଡିସେମ୍ବର 16, ନିର୍ଭୟା ଘଟଣାକୁ ପୁରିଛି ସାତ ବର୍ଷ । ଏବେବି ନ୍ୟାୟ ଅପେକ୍ଷାରେ ନିର୍ଭୟାଙ୍କ ମା' । ଆଗାମୀ ଡିସେମ୍ବର 18ରେ ଏହି ମାମଲାର ଶୁଣାଣି ହେବ । ତେବେ ଆଉ କେତେ ଶୁଣାଣିର ଆବଶ୍ୟକତା ରହିଛି ?
ଡିସେମ୍ବର 16ରେ ଉନ୍ନାଓ ମାମଲାରେ ଶୁଣାଣି ହୋଇଥିବା ବେଳେ ନିର୍ଭୟା ମାମଲାର ଶୁଣାଣି 18କୁ ଘୁଞ୍ଚିଥିବା କୁହାଯାଇଛି । ତେବେ କେତେକ କ୍ଷେତ୍ରରେ ରାଜନେତା ମଧ୍ୟ ଏହି ବର୍ବରତାରୁ ବାଦ ପଡିନାହାଁନ୍ତି । ଉନ୍ନାଓ ମାମଲାରେ ବିଧାୟକଙ୍କ ବର୍ବରତା ଦେଖିବାକୁ ମିଳିଛି । ପୀଡିତାଙ୍କୁ ଦୁଷ୍କର୍ମ ପରେ ତାଙ୍କ ବାପା-ମା ଓ ଖୁଡିଙ୍କୁ କାର ଦୁର୍ଘଟଣା କରି ହତ୍ୟା କରାଗଲା । ବର୍ତ୍ତମାନ ପୀଡିତାଙ୍କ ସ୍ବାସ୍ଥ୍ୟ ମଧ୍ୟ ସଙ୍କଟାପର୍ଣ୍ଣ ।
2017ରେ ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗର ଜଣେ ନାବାଳିକାଙ୍କୁ ନିର୍ଯାତନା ଦେଇଥିଲେ । କୁଲଦୀପ ସିଂହ ସେଙ୍ଗରଙ୍କୁ ବର୍ତ୍ତମାନ ଗିରଫ କରାଯାଇଛି । ତେବେ କେବଳ ଉତ୍ତର ପ୍ରଦେଶ ନୁହେଁ ଦେଶର ବିଭିନ୍ନ ପ୍ରାନ୍ତରେ ଗଣଦୁଷ୍କର୍ମ ଓ ହତ୍ୟାର ଖବର ସାମ୍ନାକୁ ଆସୁଛି । ନା ସମାଜ ନା ସରକାର କେହି ବି ଏହାକୁ ରୋକିବାରେ ସମର୍ଥନ ହେଉନାହାଁନ୍ତି । ନ୍ୟାସନାଲ କ୍ରାଇମ ରିସର୍ଚ ବ୍ୟୁରୋ 2017 ଆକଳନ ଅନୁସାରେ, ପ୍ରାୟ 33, 885 ଦୁଷ୍କର୍ମ ମାମାଲା ରୁଜୁ କରାଯାଇଛି । ସେଥିମଧ୍ୟରୁ 93ଜଣ ମହିଳା ପ୍ରତିଦିନ ଦୁଷ୍କର୍ମର ଶିକାର ହେଉଛନ୍ତି । ଏହାସହ ପ୍ରତି ତିନି ଜଣ ମହିଳାଙ୍କ ମଧ୍ୟରେ ଜଣେ ନାବାଳିକା । ଅନ୍ୟପକ୍ଷେ ପ୍ରାୟ 88,000 ମହିଳା ଅସଦାଚରଣ ମାମଲା ରୁଜୁ ହୋଇଛି । ଏହା ପୁଣି ଏକ ବର୍ଷର ଆକଳନ ନୁହେଁ ବରଂ 240 ଦିନର ଆକଳନ ।
ନିକଟରେ ହାଇଦ୍ରାବାଦ ପଶୁ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ କରି ଜୀଅନ୍ତା ଜାଳିଦେବା ଘଟଣା ପୁଣି ନିର୍ଭୟା ଘଟଣାକୁ ମନେ ପକାଇ ଦେଇଥିଲା । ଏହାସହ ଉନ୍ନାଓରେ ଆଉ ଜଣେ ପୀଡିତାଙ୍କୁ କୋର୍ଟ ଯିବା ରାସ୍ତାରେ ଜୀଅନ୍ତା ଜାଳିବା, ଝାଡଖଣ୍ଡରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଭଳି ଅନେକ ଘଟଣା ସାମ୍ନାକୁ ଆସିଲା । ହାଇଦ୍ରାବାଦ ମାମଲାରେ ତୁରନ୍ତ ଏନକାଉଣ୍ଟର କରି ପୀଡିତାଙ୍କୁ ନ୍ୟାୟ ଦେଇଦେଲେ ମାତ୍ର ଆଇନ ବ୍ୟବସ୍ଥା ଉପରେ ସୃଷ୍ଟି ହୋଇଗଲା ପ୍ରଶ୍ନବାଚୀ । କଣ ଆମ ଆଇନ ବ୍ୟବସ୍ଥା ଏତେ ଦୁର୍ବଳ ଯେ ପୋଲିସକୁ ଏନକାଉଣ୍ଟର କରିବାକୁ ପଡିଲା । ଯଦି ଏଇଟା ଆଇନ ବିରୋଧି କାର୍ଯ୍ୟ ତାହାଲେ 50 ବର୍ଷ ହେବ ଫାଇଲରେ ପଡିରହିଥିବା 33 ମିଲିୟନ ମାମଲା ବିଷୟରେ କ’ଣ କହିବେ ଆପଣ । ବିଶ୍ବର ଦୀର୍ଘ ସମ୍ବିଧାନ ଆଜି ନ୍ୟାୟ ଦେବାରେ ବିଫଳ ।
ଏଠି ଆମେ ମଣିଷର ମାନସିକତା କିମ୍ବା ଶିକ୍ଷାର ଅଭାବକୁ ଦୋଷ ଦେଇପାରିବା ମାତ୍ର ଶିକ୍ଷିତ ବ୍ୟକ୍ତି କରୁଥିବା ଅପରାଧକୁ କେଉଁ ଭଳି ଭାବରେ ଦେଖିବା । ବଡ ବଡ ପଦବୀରେ ବସିଥିବା ଲୋକେ ସମ୍ବିଧାନ ଓ ଆଇନ ବ୍ୟବସ୍ଥାକୁ ପରିଚାଳିତ କରୁଛନ୍ତି । ଦୁଷ୍କର୍ମ ହେବାର ଓ ନ୍ୟାୟ ନ ମିଳିବାର ଏହା ଏକ ବଡ କାରଣ । କାରଣ ଅଧିକାଂଶ ଅପରାଧରେ ସାମିଲ ଥାଆନ୍ତି ବଡବଡିଆ ଓ ଏମାନଙ୍କ ହାତରେ ସମ୍ପୁର୍ଣ୍ଣ ଶାସନକଳ । ଉଦାହରଣ, #METOO । ଏକ ଏନଜିଓ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ(ADR) ଭାରତୀୟ ବିଧାୟକଙ୍କୁ ନେଇ ଏକ ସର୍ଭେ କରିଥିଲେ । ତେବେ ଶାସନ ମଙ୍ଗ ଧରିଥିବା ଅନେକ ବିଧାୟକଙ୍କ ନାଁରେ ପୂର୍ବରୁ ମହିଳାଙ୍କୁ ନିର୍ଯାତନା ଦେଇଥିବା ମାମଲା ରୁଜୁ ହୋଇଛି । ପ୍ରାୟ 85 ପ୍ରତିଶତ ବିଧାୟକଙ୍କ ନାମରେ ମହିଳା ନିର୍ଯାତନା ସମ୍ବନ୍ଧୀୟ ମାମଲା ଦାୟର କରାଯାଇଛି ।
ADR ରିପୋର୍ଟ ଅନୁସାରେ, ଶାସକ ଦଳ ବିଜେପିରୁ 21, କଂଗ୍ରେସରୁ 16 ଓ YSR କଂଗ୍ରେସରୁ 7ଜଣଙ୍କ ନାମରେ ମହିଳା ଅସଦାଚରଣ ମାମଲା ରୁଜୁ ହୋଇଛି । ଏଠାରେ ଶାସନ କରୁଥିବା ଲୋକ ଅପରାଧୀ ତ' ଆମେ ସାଧାରଣରେ ନ୍ୟାୟର ଆଶା ରଖିବା ଆମର ମୁର୍ଖାମୀ । ଏହା ଆଶ୍ଚର୍ଯ୍ୟ ନୁହେଁ କି, ଭାରତ ସଂସ୍କୃତିରେ ଦୁଷ୍କର୍ମ ପ୍ରଥା ଧିରେଧିରେ ପ୍ରବେଶ କରୁଛି ! ତେବେ ଏସବୁ କେବଳ ଏକ ଆକଳନ । ମାତ୍ର ନିର୍ଭୟା ଓ ଉନ୍ନାଓ ମାମଲା 2019ରେ ହିଁ ସମାପ୍ତ ହେଉଛି ନା ଏହାର ଚେର 2020କୁ ବି ବ୍ୟାପୁଛି ତାହା ଆଗାମୀ ଭବିଷ୍ୟତ କହିବ ।