ହାଇଦ୍ରାବାଦ: ଗଲଓ୍ବାନ ଉପତ୍ୟକାରେ ଚୀନ ସୈନଙ୍କୁ ସାହସର ସହିତ ଜବାବ ଦେଉଥିବା ବେଳେ ଶହୀଦ ହୋଇଥିବା କର୍ଣ୍ଣଲ ସନ୍ତୋଷ ବାବୁଙ୍କୁ ସମଗ୍ର ଦେଶ ସଲାମ ଜଣାଉଛି । କର୍ଣ୍ଣଲ ସନ୍ତୋଷଙ୍କ ବୀରତ୍ୱ ସବୁ ସ୍ଥାନରେ ଆଲୋଚନା ହେଉଛି । ଶହୀଦଙ୍କ ପାଇଁ ତାଙ୍କ ପରିବାର ମଧ୍ୟ ଗର୍ବିତ। ଏଥି ସହିତ ସରକାରଙ୍କ ପକ୍ଷରୁ ଶହୀଦ ସନ୍ତୋଷଙ୍କୁ ପ୍ରଣାମ ଜଣାଉଛି ।
ଏନେଇ ଆଜି (ସୋମବାର) ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଶହୀଦ କର୍ଣ୍ଣଲ ସନ୍ତୋଷଙ୍କ ପରିବାର ସହ ସାକ୍ଷାତ କରିବେ। ଶହୀଦଙ୍କ ଘର ତେଲେଙ୍ଗାନାର ସୁର୍ଯ୍ୟପେଟରେ ଥିବାବେଳେ, ସିଏମ ଆଜି ସେଠାକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଏହା ସହିତ ସେ ପରିବାରକୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିବେ ।
ସିଏମ କେସିଆର ଶହୀଦ ସନ୍ତୋଷଙ୍କ ପତ୍ନୀ ସନ୍ତୋଷୀଙ୍କୁ ସରକାରୀ ଚାକିରିର ନିଯୁକ୍ତି ପତ୍ର ପ୍ରଦାନ କରିବେ। ସନ୍ତୋଷୀଙ୍କୁ ଗ୍ରୁପ-1 ଅଫିସରଙ୍କ ଚାକିରି ଦିଆଯାଇଛି। ଏହା ମଧ୍ୟ କୁହାଯାଇଛି ଯେ ଶହୀଦଙ୍କ ପତ୍ନୀଙ୍କ ପସନ୍ଦ ଅନୁଯାୟୀ ତାଙ୍କୁ ଚାକିରି ଦିଆଯାଇଛି।
ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ କେସିଆର ଶହୀଦଙ୍କ ପରିବାରକୁ 5 କୋଟି ଟଙ୍କାର ଚେକ ମଧ୍ୟ ପ୍ରଦାନ କରିବେ। ଘର ପାଇଁ ଜମି ଆବଣ୍ଟନର ଦଲିଲ ମଧ୍ୟ ପରିବାରକୁ ହସ୍ତାନ୍ତର କରାଯିବ।
ତେଲେଙ୍ଗାନାର ସୁର୍ଯ୍ୟପେଟ ଜିଲ୍ଲାର କର୍ଣ୍ଣଲ ସନ୍ତୋଷ ବାବୁ 16-ବିହାର ରେଜିମେଣ୍ଟରେ ଥିଲେ ଏବଂ ଗତ ଦେଢ ବର୍ଷ ଧରି ଚୀନ ସୀମାରେ ପୋଷ୍ଟିଂ ହୋଇଥିଲେ। ଜୁନ 15ରେ, ଯେତେବେଳେ ଚୀନ୍ ସୈନ୍ୟମାନେ ଗଲଓ୍ବାନରେ ଭାରତୀୟ ସୈନ୍ୟ ଉପରେ ଆକ୍ରମଣ କରିଥିଲେ, କର୍ଣ୍ଣଲ ବାବୁ ସେହି ସଂଘର୍ଷରେ ସହିଦ ହୋଇଥିଲେ ।