ହାଇଦ୍ରାବାଦ: ତେଲେଙ୍ଗାନାରେ ବର୍ଷା ବିତ୍ପାତରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଏବେ ବି ଅନେକ ଅଞ୍ଚଳ ପାଣି ଘେରରେ ରହିଛି । ସ୍ଥିତିର ସମୀକ୍ଷା କରିଛନ୍ତି ରାଜ୍ୟ ସରକାର । ତେବେ ବନ୍ୟା ଯୋଗୁଁ ତେଲେଙ୍ଗାନା ଓ ରାଜଧାନୀ ହାଇଦ୍ରାବାଦରେ ପାଖିପାଖି 5 ହଜାର କୋଟି ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ କେସିଆର ।
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ବିଟ କରି କ୍ଷୟକ୍ଷତିର ସୂଚନା ଦେଇଛନ୍ତି । ଏହାସହ ରାଜ୍ୟକୁ 1350 କୋଟିର ଆର୍ଥିକ ସହାୟତା ଯୋଗାଇଦେବାକୁ ମୋଦିଙ୍କୁ ଅନୁରୋଧ କରିଛନ୍ତି କେସିଆର ।
ବୁଧବାର ତେଲେଙ୍ଗାନାରେ ପ୍ରବଳ ବର୍ଷା ପରେ ଜଳ ପ୍ରଳୟର ଭୟାବହ ଦୃଶ୍ୟ ଦେଖିବାକୁ ମିଳିଥିଲା । କେଉଁଠି ପାଚେରୀ ଭାଙ୍ଗି ଯାଇଥିଲା ତ ଆଉ କେଉଁଠି ଗାଡିମୋଟର ଭାସି ଯାଇଥିଲା । ଏପରିକି ବର୍ଷା ବିତ୍ପାତରେ 19 ଜଣଙ୍କର ମୃତ୍ୟୁ ହୋଇସାରିଛି ।
ତେବେ ରାଜ୍ୟକୁ ଯଥାସମ୍ଭବ ସହଯୋଗ ଯୋଗାଇଦେବା ନେଇ ପ୍ରତିଶୃତି ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଉଭୟ ଗୃହମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇଥିଲେ ।