ନୂଆଦିଲ୍ଲୀ: ଆସନ୍ତାକାଲି ତାମିଲନାଡୁ ଓ ପୁଡୁଚେରୀରେ ସ୍ଥଳ ଭାଗରେ ଛୁଇଁବ ବାତ୍ୟା ‘ନିଭାର’ । ସ୍ଥଳ ଭାଗ ଅତିକ୍ରମ କରିବା ବେଳେ ବାତ୍ୟା ‘ନିଭାର’ ସାମୁଦ୍ରିକ ଝଡରେ ପରିଣତ ହେବ । ଏହି ସମୟରେ ପବନର ବେଗ 100-110 କିମି ରେ ବୋହିବ ବୋଲି ଆକଳନ କରାଯାଇଛି । ତେବେ ଏହା ପ୍ରଭାବରେ ଆଜି ଠାରୁ ତାମିଲନାଡୁର ଅନେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି ।
ଏଥିପାଇଁ ଆଜି ଠାରୁ ହାଇଆଲର୍ଟ ଜାରି କରାଯାଇଛି । ବାତ୍ୟା ନିଭାରକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର 6ଟି ଟ୍ରେନକୁ ସମ୍ପୂର୍ଣ୍ଣ ଭାବେ ବାତିଲ କରିବା ସହ 9ଟି ଟ୍ରେନ ଆଶିଂକ ବାତିଲ କରିଛନ୍ତି ।
ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ପକ୍ଷରୁ କୁହାଯାଇଛି, ଚେନ୍ନାଇ ଇଗମୋର ଓ ପୁଡୁଚେରୀ ମଧ୍ୟରେ ଯାତାୟାତ କରୁଥିବା ଭୁବନେଶ୍ବର-ପୁଡୁଚେରୀ ଟ୍ରେନଗୁଡିକୁ ଆଶିଂକ ଭାବେ ବାତିଲ କରାଯାଇଛି । ନଭେମ୍ବର 24 ଓ 25 ପାଇଁ ଏହି ନିୟମ ଲାଗୁ ହେବ । ସେହିପରି ପୁଡୁଚେରୀ-ଭିଲଲୁପୁର ମଧ୍ୟରେ ଚାଲୁଥିବା ପୁଡୁଚେରୀ-ହାୱଡା ଏକ୍ସପ୍ରେସକୁ ମଧ୍ୟ ବାତିଲ କରାଯାଇଛି ।
ତାମିଲନାଡୁର 11ଟି ଜିଲ୍ଲାରେ ବସ ଚଳାଚଳକୁ ମଧ୍ୟ ବନ୍ଦ ରଖାଯାଇଛି । ମଙ୍ଗଳବାର ଦିନ 1ଟୁ କୁଡ୍ଡାଲୁରୁ, ନାଗାପାଟିନମ, ତାଞ୍ଜଭୁର, ତିରୁଭାରୁର, ଭିଲ୍ଲାପୁରମ, ଚେଙ୍ଗାଲପଟ୍ଟୁ ଓ ପୁଡୁକୋଟୋଇ ଭଳି 11ଟି ଜିଲ୍ଲାରେ କୌଣସି ବସ ଚଳାଚଳ କରିପାରିବ ନାହିଁ । ଜରୁରୀ କାମ ନଥିଲେ ଲୋକମାନେ ମଧ୍ୟ ଘରୁ ନ ବାହାରନ୍ତୁ ବୋଲି ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ସେହିଭଳି 30ଟି ଏନଡିଆରଏଫ ଟିମକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । 12ଟି ଟିମ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀ ଯାଇଥିବେବେଳେ 18ଟି ଟିମ ଷ୍ଟାଣ୍ଡ ବାଏ ରେ ରଖାଯାଇଛି ।
ସେପଟେ, ବାତ୍ୟା ଉପରେ ପ୍ରଧାନମନ୍ତ୍ରୀ ମୋଦି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏବଂ ପୁଡୁଚେରୀର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସମ୍ଭାବ୍ୟ ବାତ୍ୟା ସମୟରେ କେନ୍ଦ୍ର ପକ୍ଷକୁ ସମସ୍ତ ସହାୟତା ଯୋଗାଇ ଦିଆଯିବ । ପ୍ରଭାବିତ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷା ଓ କଲ୍ୟାଣ ମୋଦି ପ୍ରାର୍ଥନା କରିଛନ୍ତି ।