ଚେନ୍ନାଇ: ମହାରାଷ୍ଟ୍ର ପରେ ଦ୍ବିତୀୟ ରାଜ୍ୟ ଭାବେ ତାମିଲନାଡୁରେ କୋରୋନା ଆକ୍ରାନ୍ତ 20 ହଜାର ପାର କରିଛି । ଶୁକ୍ରବାର ଗୋଟିଏ ଦିନରେ ଏଠାରେ ସର୍ବାଧିକ ଆକ୍ରାନ୍ତ ବାହାରିଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ଶୁକ୍ରବାର 874 ନୂଆ କେସ ସ୍ପଷ୍ଟ ହୋଇଛି ।
ଫଳରେ ଏଠାରେ ମୋଟ ଆକ୍ରାନ୍ତ 20 ହଜାର 246 ପହଞ୍ଚିଛି । ତେବେ ମୃତ୍ୟୁସଂଖ୍ୟା କମ ରହିବା ସହ 6ଟି ମୃତ୍ୟୁ ପରେ ମୋଟ 139 ରହିଛି । ସେପଟେ ଗୁଜରାଟରେ ଶୁକ୍ରବାର 372 ମାମଲା ଚିହ୍ନଟ ହୋଇଛି । ଏହାସହ 20 ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ ଆକ୍ରାନ୍ତ 15 ହଜାର 944 ଛୁଇଁଛି । ଏଥିରୁ 8609 ସୁସ୍ଥ ହୋଇଛନ୍ତି । ମୃତ୍ୟୁସଂଖ୍ୟା ହଜାରେ ଅଭିମୁଖେ ଆଗେଇଛି । ଏବେ ଯାଏଁ ମୋଟ 980 ଲୋକଙ୍କର ପ୍ରାଣ ଯାଇଛି ।
ରାଜଧାନୀ ଦିଲ୍ଲୀରେ 24 ଘଣ୍ଟାରେ କୋରୋନା ସଂଖ୍ୟା 1000 ତଳକୁ ଖସିଛି । 792 ନୂଆ ମାମଲା ସହ 17 ହଜାର ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ହରିୟାଣାରେ 217 ଆକ୍ରାନ୍ତଙ୍କ ସହ 1721 ପହଞ୍ଚିଛି ମୋଟ ମାମଲା । ଉତ୍ତରପ୍ରଦେଶରେ ଶୁକ୍ରବାର 275 ପଜିଟିଭ ସ୍ପଷ୍ଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତ 7745 ରହିଛି । ଗତ 24 ଘଣ୍ଟାରେ ରାଜ୍ୟରେ ମାତ୍ର 4 ଜଣଙ୍କର ମୃତ୍ୟୁ ହୋଇଛି ।
ରାଜସ୍ଥାନରେ ଶୁକ୍ରବାର 298 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଠାରେ କୋଭିଡ 19 ପଜିଟିଭଙ୍କ ସଂଖ୍ୟା 10 ହଜାର ପାଖାପାଖି ପହଞ୍ଚିଛି । ଏବେ ଯାଏଁ ମୋଟ 8365 କେସ ବାହାରିଛି । ମୃତ୍ୟୁସଂଖ୍ୟା 184 ରହିଛି । ସେହିପରି ଲଗାତାର ତୃତୀୟ ଦିନ ଜମ୍ମୁ ଓ କାଶ୍ମୀରରେ ଶହେ ଉପରେ କୋରୋନା ଆକ୍ରାନ୍ତ ସ୍ପଷ୍ଟ ହୋଇଛି । ଶୁକ୍ରବାର 128 ମାମଲା ମଧ୍ୟରୁ ଜମ୍ମୁରେ 36 ଏବଂ କାଶ୍ମୀରରେ 92 ସ୍ପଷ୍ଟ ହୋଇଛନ୍ତି । ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା କେନ୍ଦ୍ରା ଶାସିତ ଅଞ୍ଚଳରେ ମୋଟ୍ ଆକ୍ରାନ୍ତ 2164 ରହିଛି ବୋଲି ପ୍ରଶାସନ ସୂଚନା ଦେଇଛି ।
ସୌଜନ୍ୟ@ANI