ଲକ୍ଷ୍ନୌ : ନିଜ ବୟାନ ଯୋଗୁଁ ସର୍ବଦା ବିବାଦରେ ରହୁଥିବା ବିଜେପି ସାଂସଦ ସାକ୍ଷୀ ମହାରାଜ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି । ସାକ୍ଷୀ ମହାରାଜ ନୋତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ପଛରେ କଂଗ୍ରେସର ହାତ ଥିବା କହିଛନ୍ତି । ସାକ୍ଷୀ ଅଭିଯୋଗ କରି କହିଛନ୍ତି ଯେ, କଂଗ୍ରେସ ହିଁ ସୁଭାଷ ବୋଷଙ୍କ ହତ୍ୟା କରାଇଛନ୍ତି । ଉନ୍ନାଓରେ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜୟନ୍ତି ପାଳନ ଅବସରରେ ସେ ଏହା କହିଛନ୍ତି ।
ସାକ୍ଷୀ କହିଛନ୍ତି,‘‘ସୁଭାଷ ଚନ୍ଦ୍ର ବୋଷଙ୍କ ସମୟ ସରିବା ପୂର୍ବରୁ ତାଙ୍କୁ ମୃତ୍ୟୁ ମୁଖକୁ ଠେଲି ଦିଆଯାଇଛି । ମୋର ଅଭିଯେଗ ହେଉଛି ଯେ, କଂଗ୍ରେସ ହିଁ ତାଙ୍କର ହତ୍ୟା କରାଇଛନ୍ତି । ବୋଷଙ୍କ ଲୋକପ୍ରିୟତା ଆଗରେ ପଣ୍ଡିତ ନେହେରୁଙ୍କ ଲୋକପ୍ରିୟତା ଫିକା ପଡି ଯାଉଥିଲା । ମାହାତ୍ମା ଗାନ୍ଧୀ ମଧ୍ୟ ତାଙ୍କ ଲୋକପ୍ରିୟତା ଆଗରେ କିଛି ନଥିଲେ । ’’
‘‘ସୁଭାଷ ଚନ୍ଦ୍ର ବୋଷ ସେହି ବ୍ୟକ୍ତି ଥିଲେ ଯିଏ କି କହୁଥିଲେ ତୁମେ ମତେ ରକ୍ତ ଦିଅ ମୁଁ ତୁମକୁ ସ୍ବାଧିନତା ଦେବି । ଇଂରେଜ ମାନେ ଏତେ ବି ସରଳ ନଥିଲେ ଯେ, ସେମାନଙ୍କୁ ମାଗିଲେ ସ୍ବାଧିନତା ଦେଇଦିଅନ୍ତେ । ଏହି ସ୍ବାଧିନତା ପାଇଁ କେତେ ଲୋକ ସହିଦ ହୋଇଗଲେ । ଲହୁର ମୂଲ୍ୟ ଦେଇ ଆମେ ସ୍ବାଧିନତା କିଣିଥିଲୁ । ’’
23 ଜାନୁଆରୀ ଅର୍ଥାତ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତିକୁ ବିଜେପି ପରାକ୍ରମ ଦିବସ ଭାବେ ପାଳନ କରିଛି । ଏହି ଅବସରରେ ସମଗ୍ର ଦେଶରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।