ଲକ୍ଷ୍ନୌ: ଦାଢି ରଖିବାରୁ ଗଲା ଚାକିରୀ । ଉତ୍ତରପ୍ରଦେଶର ବାଗପାଟରେ ଦାଢି ରଖିବାରୁ ଜଣେ ପୋଲିସ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ଇନ୍ସପେକ୍ଟର ଜଣକ ହେଲେ ଇନତେସାର ଅଲ୍ଲୀ ।
ଉତ୍ତରପ୍ରଦେଶର ପୋଲିସ ନିୟମ ଅନୁସାରେ କେହି ବି ପୋଲିସ ଅଧିକାରୀ ବିନା ଅନୁମତିରେ ଦାଢି ରଖିପାରିବେ ନାହିଁ । କେବଳ ଶିଖ ସମ୍ପ୍ରଦାୟ ପୋଲିସ ଅଧିକାରୀଙ୍କୁ ଦାଢି ରଖିବାର ଅନୁମତି ରହିଛି । ଇନସପେକ୍ଟର ଅଲ୍ଲୀ ନିୟମ ନ ମାନି ଦାଢି ରଖିଥିଲେ । ଏଥି ପାଇଁ ତାଙ୍କୁ ବାରମ୍ବାର ଚେତାବନୀ ମଧ୍ୟ ଦିଆଯାଇଥିଲା । ମାତ୍ର ଅଲ୍ଲୀ ଦାଢି କାଟି ନଥିଲେ । ପୋଲିସ ନିୟମ ଉଲ୍ଲଘଂନ କରି ଦାଢି ରଖିବାରୁ ଅଲ୍ଲୀଙ୍କୁ ନିଲମ୍ବିତ କରାଯାଇଛି । କେବଳ ଶିଖ ପୋଲିସ ଅଧିକାରୀଙ୍କୁ ଦାଢି ରଖିବାର ଅନୁମତି ଥିବାବେଳେ ଯଦି ଅନ୍ୟ କାହାକୁ ଦାଢି ରଖିବାର ଅଛି ତେବେ ତାଙ୍କୁ ଅନୁମତି ନେବାକୁ ପଡିଥାଏ ବୋଲି କହିଛନ୍ତି ବାଗପାଟ ଏସପି ।
ଅଲ୍ଲୀଙ୍କୁ ଦାଢି ରଖିବା ପାଇଁ ଅନୁମତି ଆଣିବାକୁ ବାରମ୍ବାର କୁହାଯାଇଥିଲା ହେଲେ ସେ ଅନୁମତି ଆଣିନଥିଲେ । ତେଣୁ ତାଙ୍କୁ ନିଲମ୍ବିତ କରାଯାଇଥିବା କହିଛନ୍ତି ଏସପି ଅଭିଷେକ ସିଂହ । ଗଣମାଧ୍ୟମ ଏ ଘଟଣା ନେଇ ଅଲ୍ଲୀଙ୍କୁ ପଚାରିବାରୁ ସେ ଦାଢି ରଖିବାକୁ ଆବେଦନ କରିଛନ୍ତି ଦେଲେ ତାଙ୍କୁ କୌଣସି ପ୍ରତିକ୍ରିୟା ମିଳି ନଥିବା କହିଛନ୍ତି ।
ପ୍ରକାଶ ଯେ, ଗତ ତିନି ବର୍ଷ ହେବ ଅଲ୍ଲୀ ବାଗପାଟ ପୋଲିସ ଷ୍ଟେସନରେ କାର୍ଯ୍ୟରତ ଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ