ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନ ବିରୋଧରେ 22 ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ । ନିଜ ଦାବିରେ ଅଟଳ ରହିଛନ୍ତି ଚାଷୀ । ଏହାରି ମଧ୍ୟରେ ଜଣେ ଚାଷୀ ସିଂଘୁ ସୀମାରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିସାରିଛନ୍ତି । ଚାଷୀଙ୍କ ମୃତ୍ୟୁକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେବଳ ଏତିକି ନୁହେଁ, କେନ୍ଦ୍ରର କୃଷି ଆଇନକୁ ଦିଲ୍ଲୀ ବିଧାନସଭା ଭିତରେ ଚିରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପ୍ରଶ୍ନ ପଚାରିଛନ୍ତି ଯେ ଆପଣ ଆଉ କେତେ ଧୈର୍ଯ୍ୟର ପରୀକ୍ଷା ନେବେ? ସମସ୍ତ ଚାଷୀ ଭଗତ ସିଂହ ପାଲଟିଯାଇଛନ୍ତି । ଦିଲ୍ଲୀ ବିଧାନସଭାରେ କେଜ୍ରିୱାଲ କହିଛନ୍ତି, 20ରୁ ଅଧିକ ଚାଷୀଙ୍କର ଆନ୍ଦୋଳନରେ ମୃତ୍ୟୁ ହୋଇସାରିଲାଣି । ପ୍ରତ୍ୟେକ ଦିନ ଜଣେ ଚାଷୀର ମୃତ୍ୟୁ ହେଉଛି । ତେବେ କେତେ ଜଣଙ୍କର ଜୀବନ ଆଉ ନେବେ ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି କେଜ୍ରିୱାଲ ।
ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, 1907ରେ ଠିକ ଏହିପରି ଆନ୍ଦୋଳନ ହୋଇଥିଲା । 9 ମାସ ପର୍ଯ୍ୟନ୍ତ ଇଂରେଜଙ୍କ ବିରୋଧରେ ଜାରି ରହିଥିଲା ଏହି ଆନ୍ଦୋଳନ । ଏହି ଆନ୍ଦୋଳନର ନେତୃତ୍ବ ନେଇଥିଲେ ଭଗତ ସିଂହ ଓ ତାଙ୍କ ବାପା । ସେ ସମୟରେ ଇଂରେଜ ସରକାର କହିଥିଲେ ଆଇନରେ ଆମେ ପରିବର୍ତ୍ତନ ଆଣିବୁ । ହେଲେ ଚାଷୀ ନିଜ ଦାବିରେ ରହିଥିଲେ ଅଟଳ । ସ୍ବତନ୍ତ୍ର ଭାରତରେ ମଧ୍ୟ ଏପରି ଆନ୍ଦୋଳନ ହେଉ, କଣ ଭଗତ ସିଂହ ଏଥିପାଇଁ ପ୍ରାଣବଳୀ ଦେଇଥିଲେ କି ବୋଲି ପ୍ରଶ୍ନ କରିଛନ୍ତି କେଜ୍ରିୱାଲ ।
କେଜ୍ରିୱାଲ କହିଛନ୍ତି, କେନ୍ଦ୍ର ଅନୁଯାୟୀ ଚାଷୀଙ୍କୁ ଆଇନ ବୁଝା ପଡୁନାହିଁ । ମଣ୍ଡି ନଯିବା, ଜମି ନଯିବା ଏହା କଣ ଲାଭ? ସମସ୍ତ ଗୋଟିଏ ବାକ୍ୟ ଦୋହରାଉଛନ୍ତି ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।