ମୁମ୍ବାଇ: ଦକ୍ଷିଣ ପଶ୍ଚିମ ମୌସୁମୀ ଅଗଷ୍ଟ 10ରେ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳରେ ପୁଣି ସକ୍ରିୟ ହେବ ଏବଂ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଶନିବାର ଦିନ କହିଛି।
ତେବେ ଗତ ବୁଧବାର ପ୍ରବଳ ବର୍ଷା କାରଣରୁ ମୁମ୍ବାଇରେ କ୍ରୁତିମ ବନ୍ୟା ସୃଷ୍ଟି ହୋଇଥିଲା। ଏହାପରେ ଗତ ଦୁଇ ଦିନ ମଧ୍ୟରେ ବର୍ଷା ଧୀରେ ଧୀରେ କମିଥିଲା ।
ଭାରତୀୟ ପାଣିପାଗ ବିଭାଗର ମୁମ୍ବାଇ ଡେପୁଟି ଡାଇରେକ୍ଟର ଜେନେରାଲ କେଏସ ହୋସାଲିକର କହିଛନ୍ତି, ଆଇଏମଡି ଆକଳନରୁ ଜଣାପଡିଛି ଯେ ଅଗଷ୍ଟ 10-11ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ କାରଣରୁ ମୁମ୍ବାଇ ସମେତ ପଶ୍ଚିମ ଉପକୂଳରେ ମୌସୁମୀ ପୁଣି ସକ୍ରିୟ ହେବାର ସମ୍ଭାବନା ରହିଛି।
ପ୍ରକାଶ ଥାଉକି, ବୁଧବାର ଲଗାତାର ବର୍ଷା ହେବା ଯୋଗୁଁ ମୁମ୍ବାଇ ସହରର ମୁଖ୍ୟରାସ୍ତାରେ ଅଣ୍ଟାଏଁ ପାଣି ଭର୍ତ୍ତି ହୋଇଥିଲା । ଏନେଇ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହୋଇଥିଲେ । ସହରର ଏପରି ସ୍ଥିତି ଦେଖି ମୁମ୍ବାଇ ବିଏମସି ଲୋକଙ୍କୁ ଘରୁ ନବାହାରିବାକୁ ଅନୁରୋଧ କରିଥିଲେ ଏବଂ ବିଶେଷ କରି ଯେଉଁ ସ୍ଥାନରେ ପାଣି ଜମାହୋଇ ରହୁଥିଲା ସେଠାକୁ ପିଲାଙ୍କୁ ଆଦୌ ନଛାଡିବାକୁ ଅନୁରୋଧ କରାଯାଇଥିଲା । ବିଏମସି ପୂର୍ବରୁ ମୁମ୍ବାଇ ପୋଲିସ ମଧ୍ୟ ଲୋକଙ୍କୁ ସାବଧାନ ଅବଲମ୍ବନ କରିବାକୁ କହିଥିଲା ।