ଶ୍ରୀନଗର: ଜମ୍ମୁ-କାଶ୍ମୀରର ସୋପୋରେରୁ ସୋମବାର ପୋଲିସକୁ ବଡ ଧରଣର ସଫଳତା ମିଳିଛି । ଲସ୍କର-ଇ-ତୋଏବା ସମେତ ଭିନ୍ନ ଭିନ୍ନ ଆତଙ୍କବାଦୀ ସଂଗଠନ ପାଇଁ କାର୍ଯ୍ୟ କରୁଥିବା 8 ଜଣ ଆତଙ୍କବାଦୀଙ୍କୁ ସୋପୋରେରୁ ଗିରଫ କରିଛି ପୋଲିସ । ସେମାନେ କାଶ୍ମୀରର ସାଦାରଣ ଲୋକଙ୍କ ଧମକ ଦେଉଥିବା ସହ କାଶ୍ମୀରରେ ଧମକ ଭରା ପୋଷ୍ଟର ଲଗାଉଥିଲେ । ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରାଯାଇଛି ।
ଗିରଫ ଆତଙ୍କବାଦୀଙ୍କ ନାମ ଏଜାଜ ମୀର, ଉମର ମୀର, ତୌସିଫ ନଜର, ଇମତିଆଜ ନଜର, ଅମର ଆକବର, ଫୌଜାନ ଲତିଫ, ଦାନିଶ ହବିବ ଏବଂ ଶୌକତ ଅହମଦ ମୀର । ଏମାନେ ଆତଙ୍କବାଦୀ ସଂଗଠନ ପାଇଁ ପୋଷ୍ଟର ପ୍ରସ୍ତୁତ କରୁଥିଲେ ଏବଂ ତାକୁ ଆଖପାଖ ଅଞ୍ଚଳରେ ଲଗାଇବାର କାର୍ଯ୍ୟ କରୁଥିଲେ । ସାଜଦ ମୀର ଓରଫ ହାଇଦର ଏବଂ ତା’ର ସହଯୋଗୀ ମୁଦାସିର ପଣ୍ଡିତ ଓ ଆସିଫ ମକବୁଲ ଭଟ୍ଟ ଲସ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠ ସହ ଜଡିତ ଅଛନ୍ତି । ଏମାନେ ହିଁ ସମ୍ପୁର୍ଣ୍ଣ ଘଟଣାର ମାଷ୍ଟର ମାଇଣ୍ଡ ଥିଲେ ବୋଲି ପୋଲିସ ତଦନ୍ତରୁ ଜଣା ପଡିଛି । ତେବେ ପୋଲିସ ଏହି ଆତଙ୍କବାଦୀଙ୍କ ଠାରୁ କମ୍ପ୍ୟୁଟର ଓ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ହେଉଥିବା ଅନ୍ୟ ସାମଗ୍ରୀ ଜବତ କରିଛି ।